କନକ ବ୍ୟୁରୋ: ନୂଆବର୍ଷରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଆଉ ଯଦି ଆପଣ ରାଜପଥରେ ଦ୍ରୁତ ଗତିରେ ଗାଡି ଚଳାଉଥାନ୍ତି ତେବେ ଟିକେ ସତର୍କ ରୁହନ୍ତୁ । କାରଣ କେନ୍ଦ୍ର ସରକାର ଏବେ ଏମିତି ଏକ ଟୋଲ୍ ସିଷ୍ଟମ୍ ଆଣିବାକୁ ଯାଉଛନ୍ତି, ଯାହା ଦ୍ୱାରା ନା ଟୋଲ୍ ପ୍ଲାଜାରେ ଅଟକିବାକୁ ପଡିବ, ନା ଜରିମାନାରୁ ବର୍ତ୍ତିପାରିବେ ଆପଣ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ କହିବା ଅନୁଯାୟୀ ୨୦୨୬ ସୁଦ୍ଧା ଦେଶରେ ଏକ ସାଟେଲାଇଟ୍ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଯାହାଦ୍ୱାରା ଗାଡ଼ି ଗୁଡ଼ିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଟୋଲ୍ ପ୍ଲାଜା ପାର କରିପାରିବେ । ଗାଡ଼ିର ନମ୍ବର ପ୍ଲେଟ୍ ଏବଂ FASTagର ଫଟୋ ଉଠାଇବା ପାଇଁ ହାଇ-ସ୍ପିଡ୍ କ୍ୟାମେରା ଲଗାଯିବ । ତା'ପରେ ଗାଡ଼ି ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ୍ ରାଶି କଟିଯିବ । ଏହାର ଅର୍ଥ କୌଣସି ନଗଦ ଟଙ୍କା ନାହିଁ, କୌଣସି ବାଧା ନାହିଁ ଏବଂ ଲମ୍ବା ଧାଡ଼ି ନାହିଁ ।

Advertisment

ସେହିଭଳି ଏହି ନୂଆ ବ୍ୟବସ୍ଥା ଦ୍ବାରା ଗାଡ଼ି ସ୍ପିଡ୍ ଉପରେ ମଧ୍ୟ ନଜର ରଖିବ । ଯଦି କୌଣସି ଗାଡ଼ି ସାଧାରଣ ଅପେକ୍ଷା ଦୁଇଟି ଟୋଲ୍ ପ୍ଲାଜା ମଧ୍ୟରେ ଦ୍ରୁତ ଗତିରେ ଯାଏ ତେବେ ସିଷ୍ଟମ୍ ଗାଡ଼ିକୁ ଦ୍ରୁତ ଗତିରେ ଚଲାଯାଉଥିବା ଚିହ୍ନଟ କରିବ । ଆଉ ସ୍ୱୟଂଚାଳିତ ଚାଲାଣ ଜାରି କରାଯିବ । ଗଡ଼କରୀ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ସାଟେଲାଇଟ୍ ବ୍ୟବସ୍ଥା (AI) ସାହାଯ୍ୟରେ କାର୍ଯ୍ୟ କରିବ । ଟୋଲ୍ ପ୍ଲାଜାରେ ଯାନବାହାନ ନ ଅଟକାଇ ଇନ୍ଧନ ସଞ୍ଚୟ ହେବ । 

ଅଧିକ ପଢ଼ନ୍ତୁ---ବରୀରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ! ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ!

ସରକାରଙ୍କ ସୂଚନା ଅନୁଯାୟୀ ଏହା ପ୍ରାୟ ୧୫୦୦ କୋଟି ଟଙ୍କାର ଇନ୍ଧନ ସଞ୍ଚୟ କରିବ । ଏହାସହ ସରକାରଙ୍କ ଜରୁରୀକାଳୀନ ପାଣ୍ଠିରେ ପ୍ରାୟ ୬୦୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ । ଖାଲି ଏତିକି ନୁହେଁ ନୀତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର କେବଳ ଜାତୀୟ ରାଜପଥ ପାଇଁ ଦାୟୀ, ରାଜ୍ୟ-ସହର କିମ୍ବା ଗ୍ରାମାଞ୍ଚଳ ରାସ୍ତା ପାଇଁ ନୁହେଁ । ସେ କହିଛନ୍ତି ଯେ ୭୦% ଅଭିଯୋଗ ସେହି ରାସ୍ତାଗୁଡିକର ଆସୁଛି ଯେଉଁ ରାସ୍ତାଗୁଡ଼ିକର କେନ୍ଦ୍ର ସରକାରଙ୍କର କିଛି ସମ୍ପର୍କ ନାହିଁ । ଜାତୀୟ ରାଜପଥରେ ନିମ୍ନମାନର କାମ କରୁଥିବା ଠିକାଦାରମାନଙ୍କୁ ଏବେ ଦୁଇ ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯିବ ।