କନକ ବ୍ୟୁରା: ପଙ୍କଜ ଚୌଧୁରୀ ହେଲେ ୟୁପିର ବିଜେପି ସଭାପତି । କେନ୍ଦ୍ରମନ୍ତ୍ରୀ ଏବଂ ମହାରାଜଗଞ୍ଜରୁ ସାତ ଥର ଲୋକସଭା ସାଂସଦ ଥିବା ପଙ୍କଜ ଚୌଧୁରୀଙ୍କୁ ରବିବାର ଉତ୍ତର ପ୍ରଦେଶର ନୂତନ ବିଜେପି ରାଜ୍ୟ ସଭାପତି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଲକ୍ଷ୍ନୌର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ପୀୟୁଷ ଗୋୟଲ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି । ବିଦାୟୀ ରାଜ୍ୟ ସଭାପତି ଚୌଧୁରୀ ଭୂପେନ୍ଦ୍ର ସିଂହ ନବନିଯୁକ୍ତ ସଭାପତି ପଙ୍କଜ ଚୌଧୁରୀଙ୍କୁ ଦଳୀୟ ପତାକା ପ୍ରଦାନ କରିଥିଲେ। ଆଉ ତା ପରେ ପଙ୍କଜ ଚୌଧୁରୀ ନୂଆ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

Advertisment

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କେନ୍ଦ୍ର ନିର୍ବାଚନ ପ୍ରଭାରୀ ପୀୟୁଷ ଗୋୟଲ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କ ସମେତ ଅନେକ ବରିଷ୍ଠ ୟୁପି ବିଜେପି ନେତା ଉପସ୍ଥିତ ଥିଲେ। ତେବେ ୟୁପି ବିଜେପି ସଭାପତି ପଦ ପାଇଁ ତାଙ୍କର ନାମ ଘୋଷଣା ହେବା ପରେ, ପଙ୍କଜ ଚୌଧୁରୀ ମଞ୍ଚ ଉପରକୁ ଆସିଥିଲେ ଯେଉଁଠି ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ତେବେ ଜାଣିରଖିବା ଉଚିତ ଯେ, ମହାରାଜଗଞ୍ଜରୁ ସାତ ଥର ସାଂସଦ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଥିବା ପଙ୍କଜ ଚୌଧୁରୀ କୁର୍ମି ସମ୍ପ୍ରଦାୟରୁ ଆସିଥାନ୍ତି । ରାଜ୍ୟ ସଭାପତି ଭାବରେ ତାଙ୍କୁ ନିଯୁକ୍ତ କରି ବିଜେପି ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିରେ ଓବିସି ଭୋଟ ବ୍ୟାଙ୍କକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ପୂର୍ବରୁ ପଙ୍କଜ ଚୌଧୁରୀ ଏକମାତ୍ର ପ୍ରାର୍ଥୀ ଭାବରେ ଏହି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଥିଲେ, ଯାହାକୁ କି ନିର୍ଦ୍ୱନ୍ଦ୍ୱରେ ମଞ୍ଜୁର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କ ତାଙ୍କର ପ୍ରସ୍ତାବକ ହୋଇଥିଲେ।

ଆହୁରି ପଢ଼ନ୍ତୁ : ୨୭ ବର୍ଷ ହିଟ୍ ଫିଲ୍ମ ପାଇଁ କରିଥିଲେ ସଂଘର୍ଷ, ଧୂରନ୍ଧରରେ ଧମାକା କଲେ ଅକ୍ଷୟ ଖାନ୍ନା

କାଉନସିଲରରୁ ୟୁପି ବିଜେପି ସଭାପତି

ଜାଣିରଖିବା ଉଚିତ ଯେ, ପଙ୍କଜ ଚୌଧୁରୀ କୁର୍ମି ସମ୍ପ୍ରଦାୟରୁ ଉତ୍ତର ପ୍ରଦେଶ ବିଜେପିର ଚତୁର୍ଥ ରାଜ୍ୟ ସଭାପତି। ତାଙ୍କ ପୂର୍ବରୁ ବିନୟ କଟିୟାର, ଓମ୍ ପ୍ରକାଶ ସିଂହ ଏବଂ ସ୍ୱତନ୍ତ୍ର ଦେବ ସିଂହ ୟୁପି ବିଜେପି ସଭାପତି ଭାବରେ କାର୍ୟ୍ୟ କରିଥିଲେ। ଏହି ତିନି ଜଣ ମଧ୍ୟ କୁର୍ମି ସମ୍ପ୍ରଦାୟର ଥିଲେ । ପଙ୍କଜ ଚୌଧୁରୀଙ୍କ ରାଜନୈତିକ କ୍ୟାରିୟର ୧୯୮୯ ମସିହାରେ ଗୋରଖପୁର ନଗର ନିଗମର କାଉନସିଲର ଭାବରେ ଆରମ୍ଭ ହୋଇଥିଲା। ସେହିବର୍ଷ ସେ ଗୋରଖପୁରର ଡେପୁଟି ମେୟର ହୋଇଥିଲେ। ୧୯୯୧ ମସିହାରେ, ବିଜେପି ତାଙ୍କୁ ମହାରାଜଗଞ୍ଜ ଲୋକସଭା ଆସନରୁ ଟିକେଟ ଦେଇଥିଲା। ଆଉ ସେ ଦଳକୁ ନିରାଶ ମଧ୍ୟ କରିନଥିଲେ, ମାତ୍ର ୨୭ ବର୍ଷ ବୟସରେ ନିର୍ବାଚନରେ ବିଜୟୀ ହୋଇ ସଂସଦରେ ପହଞ୍ଚିଥିଲେ । ସେ ୧୯୯୧, ୧୯୯୬, ୧୯୯୮, ୨୦୦୪, ୨୦୧୪, ୨୦୧୯ ଏବଂ ୨୦୨୪ରେ ସାତ ଥର ମହାରାଜଗଞ୍ଜ ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ଅଛନ୍ତି । 

ବିଜେପି ଜାତୀୟ ପରିଷଦରେ ୟୁପିରୁ ୧୨୦ ଜଣ ସଦସ୍ୟ

ସୂଚନାଯୋଗ୍ୟ ଯେ, ୟୁପି ବିଜେପି ରାଜ୍ୟ ସଭାପତିଙ୍କ ସହିତ ରାଜ୍ୟରୁ ଜାତୀୟ ପରିଷଦର ୧୨୦ ସଦସ୍ୟଙ୍କ ନିର୍ବାଚନ ମଧ୍ୟ ସମାପ୍ତ ହୋଇଛି। ୟୁପିରୁ ବିଜେପିର ଜାତୀୟ ପରିଷଦର ସଦସ୍ୟ ଭାବରେ ରାଜନାଥ ସିଂହ, ଯୋଗୀ ଆଦିତ୍ୟନାଥ, ବ୍ରିଜେଶ ପାଠକ, କେଶବ ପ୍ରସାଦ ମୌର୍ଯ୍ୟ, ଭୂପେନ୍ଦ୍ର ଚୌଧୁରୀ, ସ୍ମୃତି ଇରାନୀ, ସୂର୍ଯ୍ୟ ପ୍ରତାପ ଶାହୀ, ସ୍ୱତନ୍ତ୍ର ଦେବ ସିଂହ ଏବଂ ରମାପତି ରାମ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି। ଜାଣିରଖିବା ଉଚିତ ଯେ ବିଜେପିରେ, ଜାତୀୟ ପରିଷଦ ସଦସ୍ୟମାନେ ଜାତୀୟ ସଭାପତିଙ୍କୁ ନିର୍ବାଚିତ କରନ୍ତି ।