କନକ ବ୍ୟୁରୋ : ନିୟମ ମାନୁନି ପାକିସ୍ତାନ, ଯୁଦ୍ଧବିରତି ସମୟରେ ଆଫଗାନିସ୍ତାନ ଉପରେ କଲା ଏୟାର ଷ୍ଟ୍ରାଇକ । ପାକ୍ ସେନାର ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ୩ଜଣ କ୍ରିକେଟର ରହିଥିବା ସୂଚନା । ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ଟି-୨୦ ସିରିଜରେ ଭାଗ ନେବାକୁ ମନା କଲା ଆଫଗାନ କ୍ରିକେଟ ବୋର୍ଡ । ଡୁରାଣ୍ଡ ଲାଇନ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ବୋମା ମାଡ଼ କରିଥିବା ଅଞ୍ଚଳରେ ସୀମାନ୍ତ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ବଢ଼ିଛି । ଶୁକ୍ରବାର ସଂଧ୍ୟା ୬:୩୦ରେ ଉଭୟ ଦେଶ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ଶେଷ ହେବାର କିଛି ସମୟ ପୂର୍ବରୁ ପାକିସ୍ତାନୀ ସେନା ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଯୁଦ୍ଧବିମାନ ମାଧ୍ୟମରେ ଆକ୍ରମଣ କରିଥିଲା ।
ଏଥିସହିତ ପାକିସ୍ତାନୀ ସେନା ପାକଟିକା-ଦକ୍ଷିଣ ୱାଜିରିସ୍ତାନ ସୀମାରେ ତିନୋଟି ସ୍ଥାନରେ ଡ୍ରୋନ୍ ଜରିଆରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଜନବସତି ଏବଂ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଛି । ଏଥିରେ ମୋଟ ୮ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁମାନଙ୍କ ମଧ୍ୟରେ ୩ଜଣ ଜିଲ୍ଲାସ୍ତରୀୟ କ୍ରିକେଟରଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଆଗାମୀ ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରୁ ଓହରିଯିବାକୁ ଧମକ ଦେଇଛି ଆଫଗାନ କ୍ରିକେଟ ବୋର୍ଡ । ତାଲିବାନ ପାକିସ୍ତାନର ବିମାନ ଆକ୍ରମଣର କଡ଼ା ପ୍ରତିକ୍ରିୟା ଦେଇଛି, ପ୍ରତିଶୋଧ ନେବାର ଧମକ ଦେଇଛି ।