କନକ ବ୍ୟୁରୋ : ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟଙ୍କ ବୟାନରେ ଛାନିଆ ହେଲାଣି ପାକିସ୍ତାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତ ତାର ନାଗରିକ ଏବଂ ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଯେକୌଣସି ସୀମା ପାର କରିପାରେ । ଭାରତୀୟ ସେନା ମୁଖ୍ୟ ମଧ୍ୟ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ପଡ଼ୋଶୀ ଦେଶ ନିଜକୁ ବିଶ୍ୱ ମାନଚିତ୍ରରେ ଦେଖିବାକୁ ଚାହେ, ତେବେ ସେ ଆତଙ୍କବାଦକୁ ଆଶ୍ରୟ ଦେବା ବନ୍ଦ କରିବା ଉଚିତ । ଏହି ବୟାନରେ ଛାନିଆ ହୋଇ ପାକିସ୍ତାନୀ ଆର୍ମି ଏବେ ଭାରତକୁ ଧମକ ଦେଇଛି । 

Advertisment

ପାକିସ୍ତାନ ଆର୍ମି ଭାରତର ସେନା ମୁଖ୍ୟଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ରାଗରେ ତାଟିଆ କାମୁଡ଼ୁଛି । ଭାରତକୁ ଧମକ ଦେଇ ପାକ୍‌ ଆର୍ମି କହିଛି ଯେ ଦୁଇ ଦେଶ ମଧ୍ୟରେ ଭବିଷ୍ୟତରେ ସଂଘର୍ଷ ଭୟଙ୍କର ବିନାଶ ଆଣିପାରେ । ପାକିସ୍ତାନୀ ଆର୍ମି ଭାରତର ଚେତାବନୀକୁ ଡ଼ରି ବିଳିବିଳାଇଲାଣି । ଭାରତୀୟ ସୁରକ୍ଷା ପ୍ରତିଷ୍ଠାନର ଶୀର୍ଷ ପଦାଧିକାରୀମାନଙ୍କଠାରୁ ଆସୁଥିବା ଭ୍ରାମକ, ଉତ୍ତେଜନାପୂର୍ଣ୍ଣ ଏବଂ ଜାତୀୟତାବାଦୀ ବୟାନ ଉପରେ ପାକ୍‌ ଆର୍ମି ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ସେ କହିଛି "ଭାରତର ପ୍ରତିରକ୍ଷା ମନ୍ତ୍ରୀ , ସେନା ଏବଂ ବାୟୁସେନା ମୁଖ୍ୟଙ୍କ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ବୟାନକୁ ଦୃଷ୍ଟିରେ ରଖି, ଆମେ ସତର୍କ କରାଇ ଦେଉଛୁ ଯେ ଭବିଷ୍ୟତରେ ଯେକୌଣସି ସଂଘର୍ଷ ବିପର୍ଯ୍ୟୟର କାରଣ ହୋଇପାରେ । ଯଦି ଶତ୍ରୁତାର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୁଏ, ତେବେ ପାକିସ୍ତାନ ପଛକୁ ହଟିବ ନାହିଁ । ବିନା ଦ୍ୱିଧାରେ ଆମେ ଏହାର ଜବାବ୍‌ ଦେବୁ ।

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଥିଲେ । ଜେନେରାଲ ଦ୍ୱିବେଦୀ କହିଥିଲେ ଯେ ଯଦି ପଡ଼ୋଶୀ ଦେଶ ବିଶ୍ୱ ମାନଚିତ୍ରରେ ନିଜର ସ୍ଥାନ ବଜାୟ ରଖିବାକୁ ଚାହେ, ତେବେ ସେ ନିଜ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ବନ୍ଦ କରୁ । ଜେନେରାଲ ଦ୍ୱିବେଦୀ ଏହା ମଧ୍ୟ କହିଛନ୍ତି ଯେ ଅପରେସନ ସିନ୍ଦୁର ସମୟରେ ଭାରତ ଯେଉଁ ସଂଯମତା ରକ୍ଷା କରିଥିଲା ତାହା ଭବିଷ୍ୟତର କୌଣସି ସଂଘର୍ଷରେ ପୁନରାବୃତ୍ତି ହେବ ନାହିଁ । ସେ ଭାରତୀୟ ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରଖିଛନ୍ତି ।