କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିରୋଧୀ ଦଳ ଉପରେ କଡ଼ା ଶବ୍ଦବାଣ ମାରିଛନ୍ତି । ଶାହ କହିଛନ୍ତି ଯେ ବିରୋଧୀ ଦଳ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି କରନ୍ତି, କିନ୍ତୁ ବିଜେପି ଜନସାଧାରଣଙ୍କ ସମସ୍ୟାର ସ୍ଥାୟୀ ସମାଧାନରେ ବିଶ୍ୱାସ କରେ । ଲୋକସଭାରେ ବିରୋଧୀ ଦଳ ନେତାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନ ‘ଆମେ କାହିଁକି ବାରମ୍ବାର ନିର୍ବାଚନ ହାରୁଛୁ ?’ର ଉତ୍ତର ଦେଇ ଶାହ କହିଛନ୍ତି ଯେ ଯେଉଁ ଲୋକମାନଙ୍କୁ ବିରୋଧୀ ସରକାର ଅସହାୟ ଭାବେ ଛାଡ଼ି ଦେଇଥିଲେ, ମୋଦୀ ସରକାର ସେମାନଙ୍କୁ ଖୋଜି ବାହାର କରି ଜମି ପଟ୍ଟା ଦେଇଛନ୍ତି । ଜନପ୍ରତିନିଧିଙ୍କ ଦାୟିତ୍ୱ ହେଉଛି ଜନତା ଦାବି କରିବା ପୂର୍ବରୁ ସେମାନଙ୍କ ସମସ୍ୟାର ସମାଧାନ କରିବା ।  ଏହି ‘ଗୁଜରାଟ ମଡେଲ୍’କୁ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ପ୍ରତିଷ୍ଠା କରିଛନ୍ତି ।

Advertisment

ଶାହ ଭବିଷ୍ୟବାଣୀ କରି କହିଛନ୍ତି , ବିରୋଧୀ ଦଳକୁ ଏବେ ହାରିବା ପାଇଁ ଅଭ୍ୟାସ କରିବାକୁ ପଡ଼ିବ । କାରଣ ଆଗାମୀ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନରେ ମଧ୍ୟ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ। ସେହିପରି ୨୦୨୯ରେ ପୁଣିଥରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ---ନୂଆବର୍ଷରେ ଏହି ୭ଟି ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ରହିବ ସୁପ୍ରିମକୋର୍ଟଙ୍କ ନଜର

ସେ ଆହୁରି ମଧ୍ୟ କହିଛନ୍ତି, ଜନସାଧାରଣ ଯେଉଁ ପ୍ରସଙ୍ଗକୁ ପସନ୍ଦ କରନ୍ତି, ବିରୋଧୀ ସେହି ସବୁ କଥାକୁ ବିରୋଧ କରନ୍ତି । ସେ ରାମ ମନ୍ଦିର ନିର୍ମାଣ ହେଉ, ସର୍ଜିକାଲ ଷ୍ଟ୍ରାଇକ, ଧାରା ୩୭୦ ଉଚ୍ଛେଦ, ତିନି ତଲାକ ସମାପ୍ତ କିମ୍ବା ସମାନ ନାଗରିକ ସଂହିତା ହେଉ - ବିରୋଧୀ ଦଳ ପ୍ରତିଟି କାର୍ଯ୍ୟକୁ ବିରୋଧ କରିଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଭୋଟ୍ କେଉଁଠୁ ମିଳିବ ବୋଲି ଶାହ ପ୍ରଶ୍ନ କରିଛନ୍ତି ।ଅହମ୍ମଦାବାଦରେ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ୧୫ ଲକ୍ଷ ଲୋକଙ୍କ ପାଇଁ ସ୍ୱେରେଜ୍ ଲାଇନର ବ୍ୟବସ୍ଥା କରାଯାଇଛି, ଯାହା ବିକାଶର ଏକ ଉତ୍କୃଷ୍ଟ ନମୁନା ବୋଲି ସେ କହିଛନ୍ତି । ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକାଶ ଏବଂ ସମ୍ବେଦନଶୀଳ ଶାସନ ଶୈଳୀ ଯୋଗୁଁ ବିଜେପି ଜନତାଙ୍କ ହୃଦୟ ଜିତିଛି ବୋଲି ସେ ମତ ଦେଇଛନ୍ତି ।