କନକ ବ୍ୟୁରୋ :ହଳଦୀ ନାଁ ଶୁଣିଲେ ମନକୁ ପ୍ରଥମେ ଆସେ ହଳଦିଆ ରଙ୍ଗ । ରଙ୍ଗ ହଳଦିଆ ହୋଇଥିବାରୁ ଏହାକୁ ହଳଦୀ ବୋଲି କୁହାଯାଏ । ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ କେବଳ ହଳଦିଆ ନୁହେଁ, କଳା ରଙ୍ଗର ବି ହଳଦୀ ଅଛି । ସାଧାରଣ ହଳଦୀ ତୁଳନାରେ ଏଥିରେ ଅଧିକ ଔଷଧୀୟ ଗୁଣ ଭରି ରହିଛି । ଆଉ ଓଡ଼ିଶାର ଜଣେ ଯୁବକ ଏହି କଳା ହଳଦୀ ଚାଷ କରି ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ସେବା ମନୋଭାବ ରଖି କଳା ହଳଦୀ ଚାଷ କରୁଥିବା ଯୁବକ ହେଲେ ନୀଳଗିରିର ସୌମ୍ୟକାନ୍ତ ।
ନୀଳଗିରି ଏନଏସି ୨ ନମ୍ବର ୱାର୍ଡ ଘାଟଘର ସାହିର ରାଧାନାଥ ପ୍ରଧାନ ଓ ଅହଲ୍ୟା ପ୍ରଧାନଙ୍କ ପୁଅ ସୌମ୍ୟକାନ୍ତ ପ୍ରଧାନ । ଏହି କଳା ହଳଦୀ ଚାଷ କରି ଏବେ ବେଶ୍ ଚର୍ଚ୍ଚାରେ ସୌମ୍ୟକାନ୍ତ । କରୋନା ସମୟରେ ଲୋକଙ୍କ ସେବା କରି କରୋନା ଯୋଦ୍ଧା ହେବାକୁ ମନସ୍ଥ କରିଥିଲେ ସେ । ଆଉ ସେଥିପାଇଁ ହଳଦୀକୁ ବାଛିଥିଲେ । ରୋଗ ପ୍ରତିଷେଧକ ଶକ୍ତିରେ ଭରପୂର ହଳଦୀ । ଏହା କରୋନାକୁ ମାତ୍ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଣୁ ଲୋକଙ୍କ ପାଖରେ ହଳଦୀ ପହଞ୍ଚାଇବା ପାଇଁ ଚାଷ ଆରମ୍ଭ କରିଥିଲେ ସୌମ୍ୟକାନ୍ତ । ସାଧାରଣ ନୁହେଁ ବରଂ କଳା ହଳଦୀରେ ଅଧିକ ଔଷଧୀୟଗୁଣ ଥିବାରୁ ସେ ଏହାକୁ ଚାଷ କରିଥିଲେ । ଏଥିପାଇଁ ଜଣେ ସାଙ୍ଗଙ୍କ ନିକଟରୁ ଏକ କଳା ରଙ୍ଗର ହଳଦୀ ଗଛ ଆଣି ଘରେ ଲଗାଇଥିଲେ ।
ଅଧିକ ପଢ଼ନ୍ତୁ--ଧାନ ପରେ ଏବେ ମକାର ଅଭାବୀ ବିକ୍ରି; ଚାଷୀକୁ ମିଳୁନି ଉଚିତ ମୂଲ୍ୟ
ପରେ ସେ ସେଥିରୁ ଗଛ କରି ନିଜେ ଚାଷ କରିବା ସହ ଅନ୍ୟମାନଙ୍କୁ ବି ବାଣ୍ଟୁଛନ୍ତି । ଅନ୍ଲାଇନରେ ଏହି ହଳଦୀର ଦର କେଜି ପିଛା ୨୦୦୦ ଟଙ୍କା । କିନ୍ତୁ ସୌମ୍ୟକାନ୍ତ ମାଗଣାରେ ଲୋକଙ୍କୁ ଏହି ହଳଦୀ ପ୍ରଦାନ କରନ୍ତି । ଏହାକୁ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଡାଇବେଟିସ, ଗଣ୍ଠି ବ୍ୟଥା, ମାଇଗ୍ରେନ, ଚର୍ମ ରୋଗ ଭଲ ହୋଇଥାଏ । କ୍ଷତରେ ଏହାକୁ ଲଗାଇଲେ ଉପଶମ ମିଳିଥାଏ । ଏହି ହଳଦୀକୁ କାଟିଲେ ଏହାର ଭିତର ଅଂଶ ବାଇଗେଣି ବା ଇଷତ୍ ନୀଳ ରଙ୍ଗର ଦେଖାଯାଇଥାଏ । ଏବେ ନିଜ ବାଡିରେ ଏଭଳି ଚାଷ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ଏକର ଏକର ଜମିରେ ଚାଷ କରି ମାଗଣାରେ ଲୋକଙ୍କ ସେବା କରିବେ ବୋଲି ସୌମ୍ୟକାନ୍ତ କହିଛନ୍ତି । ଏଭଳି ଜନସେବା ମନୋଭାବ ରଖି ଏପରି ଚାଷ କରିଥିବାରୁ ଅଞ୍ଚଳବାସୀ ସୌମ୍ୟକାନ୍ତଙ୍କୁ ପ୍ରଶଂସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/25/black-turmeric-2025-11-25-16-49-32.jpg)