କନକ ବ୍ୟୁରୋ : ଦିନେ ଥିଲେ ସେ ମାଓବାଦୀଙ୍କ ଡାକ୍ତର । କାନ୍ଧରେ ସ୍ୱୟଂଚାଳିତ ବନ୍ଧୁକ ସହ ସ୍ତେଥୋ ପକାଇ ଘଞ୍ଚ ଜଙ୍ଗଲରେ ବୁଲୁଥିଲେ । ଜଙ୍ଗଲରେ ଅସୁସ୍ଥ ଅବା ଏନକାଉଣ୍ଟରରେ ଆହତ ମାଓବାଦୀଙ୍କ ଚିକିତ୍ସା କରୁଥିଲେ । ସେଇ କୁଖ୍ୟାତ ମାଓ କମାଣ୍ଡର ଏବେ ଡାକ୍ତରଖାନାରେ କାର୍ଯ୍ୟରତ । ରକ୍ତର ହୋଲି ଖେଳୁଥିବା ମାଓନେତା ଏବେ ରକ୍ତ ଭଣ୍ଡାରର ରକ୍ଷକ ।

Advertisment

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରକୁ ସୁରକ୍ଷା ଯୋଗାଉଛନ୍ତି ମାଓ ଡାକ୍ତର ଭାବେ ପରିଚିତ ଧନଞ୍ଜୟ ଗୋପ୍ ଓରଫ ସୁଧୀର । ମାଓ ସଙ୍ଗଠନରେ ବେଶ ପରିଚିତ ସୁଧୀର । କାରଣ ଓଡ଼ିଶାର ଏକମାତ୍ର ବଙ୍ଗୀୟ କ୍ୟାଡର ଭାବେ ସେ କାମ କରୁଥିଲେ । ୨୦୦୫ରୁ ୨୦୧୯ ଯାଏଁ ୧୪ ବର୍ଷ ଧରି ମାଓ ସଙ୍ଗଠନରେ କାମ କରିବା ପରେ ଆତ୍ମସମର୍ପଣ କରିଥିଲେ । ନିକଟରେ ବସ୍ତର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ନିଜ ଅନୁଭୂତି ଜଣାଇଥିଲେ ଧନଞ୍ଜୟ ଓ ସାଥୀ ରାମା ପଡିଆମି ଓରଫ ଦିନେଶ ।

ମାଲକାନଗିରି କାଲିମେଳା ଏମ୍‌ପିଭି-୩୧ ଗାଁର ବାସିନ୍ଦା ଧନଞ୍ଜୟ ଗୋପ । ୨୦୦୫ ମସିହାରେ କାଲିମେଳା ଦଳମରେ ସଦସ୍ୟ ଭାବେ ଯୋଗ ଦେଇଥିଲେ । ୨୦୦୬ ମସିହାରେ ପାର୍ଟିରେ ଡାକ୍ତରୀ ତାଲିମ ନେଇଥିଲେ । କାଲିମେଳା, ମୋଟୁ ସମେତ ବାହାର ରାଜ୍ୟର ଡାକ୍ତର ଆସି ସପ୍ତାହବ୍ୟାପୀ ତାଲିମ ଦେଇଥିଲେ । କାଲିମେଳା ପରେ ମୋଟୁ ଦଳମରେ କାମ କରୁଥିଲେ । ପପଲୁ ଏରିଆ କମିଟି କମାଣ୍ଡର ଭାବେ କାମ କରୁଥିଲେ । ବହୁ ବର୍ଷ ଧରି ସ୍ୱାଭିମାନ ଅଞ୍ଚଳରେ ସକ୍ରିୟ ଥିଲେ ।

ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲା କମିଟି ସଦସ୍ୟ ଭାବେ ପଦୋନ୍ନତି ପାଇଥିଲେ । ସ୍ୱାଭିମାନ ଅଞ୍ଚଳରେ ରୋଗୀ ସେବା କରୁଥିଲେ । ଘଞ୍ଚ ଜଙ୍ଗଲକୁ ମାସକୁ ୨ରୁ ୩ଲକ୍ଷ ଟଙ୍କାର ଔଷଧ ଆସୁଥିଲା । ପ୍ରାୟ ୨ ବର୍ଷ ଧରି ବସ୍ତର ଅଞ୍ଚଳର କାଙ୍ଗେର ଘାଟି ଓ ଦରଭା ଡିଭିଜନରେ କାମ କରିଛନ୍ତି । ୨୦୦୮ ତେଲେରାଇ ଆଣ୍ଟି ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଧନଞ୍ଜୟଙ୍କ ସମ୍ପୃକ୍ତି ଥିଲା । ଫେବ୍ରୁଆରି ୨୦୧୯ରେ ଆତ୍ମସମର୍ପଣ କରିଥିଲେ ଧନଞ୍ଜୟ । ତତ୍କାଳୀନ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ନିକଟରେ କରିଥିଲେ ଆତ୍ମସମର୍ପଣ ।