କନକବ୍ୟୁରୋ : ଭୁଷୁଡୁଛି ମାଓ ସଙ୍ଗଠନ। ଅସ୍ତ୍ର ତ୍ୟାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଓବାଦୀ । ଶୀର୍ଷ ନେତାଙ୍କ ସହ ଅସ୍ତ୍ର ଛାଡିଛନ୍ତି ୧୩୮ ମାଓବାଦୀ । ବନ୍ଧୁକ ବଦଳରେ ସମ୍ବିଧାନ ଧରିଲେ ମାଓବାଦୀ । ସଙ୍ଗଠନ ଛାଡ଼ି ଅସ୍ତ୍ର ତ୍ୟାଗ କରୁଛନ୍ତି ମାଓବାଦୀ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମାଓବାଦୀଙ୍କ ଶୀର୍ଷ ନେତା ମେଲୋଜୁଲ୍ଲା ବେଣୁଗୋପାଳ ନିଜ ଦଳବଳ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ବେଣୁଗୋପାଳଙ୍କ ସମେତ ୬୧ ମାଓବାଦୀ ୫୦ରୁ ଅଧିକ ବନ୍ଧୁକ ସହ ଆଜି ଗଡ ଚିରୋଲି ଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିଛନ୍ତି ।
ସେହିପରି ଛତିଶଗଡ଼ ସୁକୁମା ଜିଲ୍ଲାରେ ୨୭ ମାଓବାଦୀ ଏସ୍ପିଙ୍କ ନିକଟରେ ଆତ୍ମର୍ପଣ କରିଛନ୍ତି । ଆଉ ଏବେ କାଙ୍କେର ଜିଲ୍ଲାରେ ୫୦ମାଓବାଦୀ ବନ୍ଧୁକ ସହ ଆତ୍ମସମର୍ପଣ କରିଥିବା ଖବର ସାମ୍ନାକୁ ଆସିଛି । ଉତ୍ତର ବସ୍ତର ଡିଭିଜନର ସଚିବ ରାଜମନ ଓରଫ ରାଜମୋହନ ଏବଂ କିସକୋଡା ଏରିଆ କମିଟିର ସଚିବ ରାଜୁ ସଲାମ ଆତ୍ମସମର୍ପଣ କରିବା ନେଇ ସୂଚନା ମିଳିଛି । କାଙ୍କେର ବିଏସ୍ଏଫ୍ କ୍ୟାମ୍ପ ଠାରେ ବସ୍ତର ଆଇଡି ସୁନ୍ଦର ରାଜ ପି ଏବଂ ଏସ୍ପି କଲ୍ୟାଣ ସିଂ ଏଲେସେଲାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିବା ଲାଗି ୨ଟି ବସ ଯୋଗେ ପହଁଚିଛନ୍ତି । ସେମାନଙ୍କ ନିକଟରେ ଏଲ୍ଏମ୍ଜି ବନ୍ଧୁକ, ଏକେ-47, ଏସ୍ଏଲ୍ଆର୍ ବନ୍ଧୁକ ରହିଥିବା ଜଣାପଡିଛି ।