କନକ ବ୍ୟୁରୋ : ଆତ୍ମସମର୍ପଣ ପରେ ବଦଳି ଯାଇଛି ଜୀବନ । ମୁକ୍ତ ଭାବେ ବଞ୍ଚିବା ହୋଇଯାଇଛି ସହଜ । ଆଉ ଘଞ୍ଚ ଜଙ୍ଗଲ ନୁହେଁ, ଖୋଲା ଆକାଶ ତଳେ ବଜାରରେ ବୁଲୁଛନ୍ତି ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ । ଦୀପ କିଣୁଛନ୍ତି, ମିଠା କିଣି ମୁକ୍ତ ଭାବେ ଦୀପାବଳୀ ମନାଉଛନ୍ତି । ଛତିଶଗଡ଼ ଗରିଆବନ୍ଧରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ହିଂସାର ପଥରୁ ବିଚ୍ୟୁତ ହୋଇ କିଛି ମାଓବାଦୀ ମୁଖ୍ୟଧାରାକୁ ଫେରି ସ୍ୱାଧୀନତାର ଆଲୋକରେ ଦୀପାବଳି ପାଳନ କରୁଛନ୍ତି ।
ଲୋପ ପାଉଛି ମାଓବାଦ । ଅସ୍ତ୍ର ତ୍ୟାଗ କରି ଶାନ୍ତି ପଥେ ଆଗେଇ ଆସିଛନ୍ତି ମାଓବାଦୀ । ମାଓ ଇତିହାସର ପ୍ରଥମ କରି ପ୍ରାୟ ୨୦୦ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେଉଛନ୍ତି । ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପୋଶାଲ ଯୋନାଲ କମିଟିରୁ ପ୍ରାୟ ୧୪୦ରୁ ଅଧିକ ଏବଂ ଉତ୍ତର ବସ୍ତର ଡିଭିଜନର ୫୦ରୁ ଉର୍ଦ୍ଧ୍ବ ମାଓବାଦୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିଛନ୍ତି । ପ୍ରାୟ ୨୦୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ର ଜଗଦଲପୁର ଠାରେ ଏକ ବିରାଟ ସାଧାରଣ ସଭାରେ ମାଓବାଦୀମାନେ ଆତ୍ମମର୍ପଣ କରିଛନ୍ତି । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟି ମୁଖ୍ୟ ରୁପେଶଙ୍କ ସମେତ ୧୪୦ ମାଓବାଦୀ ଅସ୍ତ୍ର ତ୍ୟାଗ କରିଛନ୍ତି ।
ଦିନ ଥିଲା ମାଓବାଦୀଙ୍କ ଆତଙ୍କ ରାଜ୍ୟ ଏବଂ ରାଜ୍ୟ ବାହାରେ ବଢ଼ିବାରେ ଲାଗିଥିଲା । ଜଙ୍ଗଲରେ ଡେରା ଜମାଇଥିଲେ ମାଓବାଦୀ । ସରକାରୀ କାମକୁ ରୋକିବା ସହ କେଉଁଠି କଣ୍ଟ୍ରାକ୍ଟରକୁ ହତ୍ୟା ତ ଆଉ କେଉଁଠି ସେନା ଗାଡ଼ି ଉପରକୁ ଗୁଳିମାଡ଼ କରୁଥିଲେ । ରାସ୍ତାରେ ଲ୍ୟାଣ୍ଡମାଇନ୍ ବିଛାଇ ଅନେକ ଜୀବନ ନେଉଥିଲେ । ସେନା ଯବାନ ଏବଂ ମାଓବାଦୀ ମୁହାଁମୁହିଁ ଫଳରେ ଅନେକ ଯବାନ ସହିଦ୍ ହେଉଥିଲେ । କିନ୍ତୁ ଏବେ ଏହି ମାଓଗଡ଼ ଟଳିବାରେ ଲାଗିଛି । ବନ୍ଧୁକ ଛାଡ଼ି ଏବେ ଭଲ ରାସ୍ତାକୁ ଫେରୁଛନ୍ତି ମାଓବାଦୀ ।