କନକ ବ୍ୟୁରୋ : ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ, ସବୁଠି ହାଡ଼ଭଙ୍ଗା ଶୀତ । ରାଜ୍ୟର ଅନେକ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଶୀତ କଷ୍ଟକୁ ଆହୁରି ବଢାଇ ଦେଇଛି କାଲୁଆ ପବନ । ରାତି ହେବା କ୍ଷଣି ନା ଗାଡ଼ି ଚଲାଇ ହେଉଛି ନା ପଦାକୁ ବଢାଇ ହେଉଛି ପାଦ । ଏ ଭିତରେ କିଛି ଅଞ୍ଚଳରେ ଦେଖିବାକୁ ମିଳିଛି ଚଳିତବର୍ଷର ପ୍ରଥମ ତୁଷାରପାତ ।
ପାରଦ ଖସୁଛି, ଶୀତ ବଢୁଛି । ପ୍ରବଳ ଥଣ୍ଡାରେ ଥରୁଛି ଓଡ଼ିଶା । ସଞ୍ଜ ନଇଁବା କ୍ଷଣି ବାଘ ଭଳି ମାଡ଼ି ଆସୁଛି ଶୀତ । ରାଜ୍ୟର ୨୪ ସହରରେ ରାତି ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ସର୍ବନିମ୍ନ ୨.୫ ଡିଗ୍ରି ତାପମାତ୍ରା ସହ ଥରୁଛି ଜି. ଉଦୟଗିରି । ଶୀତ କଷ୍ଟକୁ ଆହୁରି ବଢାଇ ଦେଇଛି କୁହୁଡ଼ି ଓ କାକର । କନ୍ଧମାଳ ଫୁଲବାଣୀ ଓ ଜି ଉଦୟଗିରିରେ ଦେଖିବାକୁ ମିଳିଛି ତୁଷାରପାତ । ଚାଷୀ ବିଲକୁ ବାହାରି ପାରୁନି, ଜନଜୀବନ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । କେବଳ କନ୍ଧମାଳ ନୁହେଁ ସୁନ୍ଦରଗଡ କୋଇଡାର ଖଣି ଅଞ୍ଚଳର ଧଳା ଚାଦରରେ ଢାଙ୍କି ହୋଇ ପଡିଛି । ପାରଦ ୫ ଡିଗ୍ରୀରୁ ତଳେ ଥିବା ବେଳେ ପଦଚିହ୍ନ ଛାଡ଼ିଛି ତୁଷାରପାତ ।
ଅଧିକ ପଢ଼ନ୍ତୁ : ଆହୁରି ୪୮ଘଣ୍ଟା ଥଣ୍ଡାର ଥାର୍ଡ ଡିଗ୍ରି; ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କେବଳ ଗାଁରେ ନୁହେଁ ଥଣ୍ଡାର ଥାର୍ଡ ଡିଗ୍ରୀରେ ସନ୍ତୁଳି ହୋଇଛି ସହର । ରାଜଧାନୀରେ ଚଳିତବର୍ଷ ରେକର୍ଡ ଶୀତ ଅନୁଭୂତ ହୋଇଛି । ୧୯୫୨ ଜାନୁଆରିର ପୁନରାବୃତ୍ତି ୨୦୨୬ ଜାନୁଆରିରେ ଦେଖିବାକୁ ମିଳିଛି । ଗତ ୧୪ ବର୍ଷରେ ସବୁଠାରୁ କମ ରାତି ତାପମାତ୍ରାର ସାକ୍ଷୀ ସାଜିଛି ଭୁବନେଶ୍ୱର । ବୁଧବାର ରାତିରେ ଭୁବନେଶ୍ୱରରେ ୯.୪ ଡିଗ୍ରିକୁ ଖସିଛି ପାରଦ । ଖାଲି ଥଣ୍ଡା ନୁହେଁ କାଲୁଆ ପବନ ଭୁବନେଶ୍ୱରର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ରାତି ୯ଟା ପରେ ରାସ୍ତାଘାଟ ହୋଇପଡୁଛି ଶୂନଶାନ । ଆଗାମୀ ୨ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପ୍ରବଳ ଶୀତ ଭିତରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ନାହିଁ । ଆଗାମୀ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବନି ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/08/severe-cold-2026-01-08-21-05-28.jpg)