କନକ ବ୍ୟୁରୋ : ଆସନ୍ତା ୪୮ ଘଣ୍ଟା ପାଇଁ  ରାଜ୍ୟରେ ଶୀତଲହରୀ ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଢ଼େଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ୯.୪ ଡିଗ୍ରୀ ତାପମାତ୍ରା ସହିତ ହାଡ଼ ଭଙ୍ଗା ଶୀତରେ ଥରିଲା ରାଜଧାନୀ ।୨୦୧୩ ମସିହାରେ ୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୩ ବର୍ଷରେ ସବୁଠାରୁ କମ ରାତ୍ରି ତାପମାତ୍ର । ଏପଟେ ୨୪ ସହରରେ ୧୦ ଡ଼ିଗ୍ରୀ କିମ୍ବା କମ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪ ଦିନ ପଯ୍ୟନ୍ତ ଘନ କୁହୁଡି ସମ୍ଭାବନା ନାହିଁ । ଦୁଇ ଦିନ ପରେ କମିବ ଶୀତ ।

Advertisment

ସାରା ରାଜ୍ୟରେ ଅସମ୍ଭାଳ ଥଣ୍ଡା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ ଅନୁଭୂତ ହେଉଛି । ସକାଳୁ କୁହୁଡ଼ି ସାଙ୍ଗକୁ ଶୀତୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏପଟେ ରାଜଧାନୀରେ ବାଘୁଆ ଶୀତ । ସକାଳ ୫ଟା ୩୦ ମିନିଟ ସମୟରେ ୧୦ ଡିଗ୍ରୀକୁ ଖସି ଆସିଥିଲା ରାତିର ତାପମାତ୍ରା । ସନ୍ଧ୍ୟାପରେ ଥଣ୍ଡାରେ ଥରୁଥିଲା ଭୁବନେଶ୍ୱର । ଭୁବନେଶ୍ୱରରେ ଚଳିତ ବର୍ଷର ଏହା ରେକର୍ଡ ତାପମାତ୍ରା ।  ଜାନୁଆରି ୪ ତାରିଖରେ ୧.୬ ଡିଗ୍ରୀ, ଜାନୁଆରି ୫ ତାରିଖରେ ୧୮ ଡିଗ୍ରୀ, ୬ ତାରିଖରେ  ୧୫.୪ ଡିଗ୍ରୀ, ୭ ତାରିଖରେ ୧୧.୪ ଡିଗ୍ରୀ ଓ ଆଜି ୧୦.୮ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ କଟକରେ ରାତିର ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ : ବର୍ଷ ଆରମ୍ଭରୁ ଲଘୁଚାପ: ଆଗାମୀ ୨୪ ଘଣ୍ଟାରେ ଆହୁରି ହେବ ସ୍ପଷ୍ଟ

ସେପଟେ ଅସମ୍ଭାଳ ଥଣ୍ଡାରେ ଥରୁଛି ସୁନ୍ଦରଗଡ଼ । କୋଇଡ଼ାରେ ଦ୍ୱିତୀୟ ଦିନ ମଧ୍ୟ ଭୀଷଣ ତୁଷାରପାତ ହୋଇଛି । କୋଇଡ଼ା ଖଣି ଅଞ୍ଚଳକୁ ଢାଙ୍କି ଦେଇଛି ଧଳା ଚାଦର । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଂଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଗତକାଲି ଦେଖିବାକୁ ମିଳିଥିଲା । ଅନ୍ୟପଟେ ସାରା ରାଜ୍ୟରେ  ଏହା ପ୍ରଥମ ତୁଷାରପାତ ରହିଥିଲା  । ଆଜି ମଧ୍ୟ ପୂର୍ବ ରାତ୍ରି ଭଳି ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ସହ ଦ୍ୱିତୀୟ ଦିନରେ ମଧ୍ୟ ଭୀଷଣ ତୁଷାରପାତ ଜାରି ରହିଛି ଯାହା ଫଳରେ  କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି । ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।