brounsugar Photograph: (kanak news)
କନକ ବ୍ୟୁରୋ : ଯୁଆଡେ ହାତ ବୁଲେଇବ ସିଆଡେ ନିଶା । ଯେଉଁଠି ଛାପା ମାରିବ ସେଇଠି ନିଶାଡି । କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ବରଂ ସାରା ରାଜ୍ୟର ସ୍ଥିତି ଏବେ ସଙ୍ଗୀନ । ଦେଖିଲେ ଲାଗୁଛି ସତେ ଯେମିତି ସାରା ରାଜ୍ୟ ଏବେ ନିଶା କବଳରେ । ନୁଆବର୍ଷ ପୁର୍ବରୁ ଧରପଗଡ ବେଳେ, ସାମନାକୁ ଆସିଛି ସାଙ୍ଘାତିକ ଖବର । ସ୍ପେସାଲ ଟାକ୍ସ ଫୋର୍ସ ବା ଏସ୍.ଟି.ଏଫ୍. ନୂଆ ବର୍ଷକୁ ନିଶାମୁକ୍ତ କରିବାକୁ ଆରମ୍ଭ କରିଛି ଅପରେସନ୍ ବଜ୍ର । ଯାହାକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଅପରେସନରେ ସାମିଲ ହୋଇଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା । ଏସ୍.ଆଇ.ବି, କଷ୍ଟମ୍, ଏନ୍.ସି.ବି, ଡି.ଆର୍.ଆଇ ଓ ଏସ୍.ଟି.ଏଫ୍ର ବଛା ବଛା ଅଫିସର ଏଥିରେ ସାମିଲ ରହିଛନ୍ତି । ଆଗକୁ ସବୁ ନିଶା ମାଫିଆଙ୍କୁ ବାନ୍ଧିବାକୁ ଯୋଜନା କରାଯାଇଛି ।
ଗତ ୫ ବର୍ଷ ଭିତରେ ଏସ୍ଟିଏଫ୍ ୭୩ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଚଳିତ ବର୍ଷ ୧୩ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରି ୫୨୪ ଜଣଙ୍କୁ ବାନ୍ଧିଛି । ୧୮୭୭ କ୍ବିଣ୍ଟାଲ ଗଞ୍ଜେଇ ସହ ୧୬୪୧ ଜଣଙ୍କୁ ହାତକଡ଼ି ପିନ୍ଧାଇଛି । ୭୩ ହଜାର ୧୮୧ ବୋତଲ କଫ୍ ସିରପ୍ ସହ ୧୮୧ ଜଣଙ୍କୁ ଗିରଫ କରାଯାଇଛି । ସେହିପରି କମିସନରେଟ୍ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ୍ ଗତ ୮ ମାସ ଭିତରେ ୫ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ ସହ ୫୩ ଜଣଙ୍କୁ ବାନ୍ଧିଛି । ୩୫ ଜଣଙ୍କ ଠାରୁ ୩୦ ହଜାର କିଲୋ ଗଞ୍ଜେଇ ଜବତ କରିଛି ।
ଅଧିକ ପଢ଼ନ୍ତୁ--ବାପାଙ୍କ ଶୁଦ୍ଧିକ୍ରିୟା ନସରୁଣୁ ଚାଲିଗଲା ପୁଅ
ସାରା ରାଜ୍ୟରେ ଥିବା ନିଶା ବେପାରୀଙ୍କୁ ତାଲିକା ପ୍ରସ୍ତୁତ କରୁଛି ପୁଲିସ । ଅଭ୍ୟାସଗତ ଅପରାଧୀଙ୍କୁ ବାନ୍ଧି ନୂଆ ବର୍ଷରେ ଜେଲରେ ଭର୍ତ୍ତି କରିବାକୁ ଯୋଜନା କରାଯାଉଛି । ଏପରିକି ଗିରଫ ଅଭିଯୁକ୍ତ ମାନେ ରହୁଥିବା ବେଆଇନ ଘର ଭାଙ୍ଗିବାକୁ ପ୍ରଶାସନକୁ ଚିଠି ମଧ୍ୟ ଲେଖାଯାଇଛି । ତେବେ ଅପରେସନ୍ ବଜ୍ର ଆଗକୁ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
Follow Us