କନକ ବ୍ୟୁରୋ : ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା । ହେଲେ ଏବେ ଓଡ଼ିଶାରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଏବେ ସରକାରଙ୍କୁ ଚିଠି ଲେଖିବାକୁ ପଡୁଛି । କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ବାବୁଙ୍କର ପରବା ନାହିଁ । ଇଂରାଜୀରେ ଚିଠି କରିବାକୁ ଯେପରି ପଣ କରିଛନ୍ତି ଓଡ଼ିଆ ବାବୁ । ପ୍ରଶ୍ନ ଉଠୁଛି, ମାତୃଭାଷା ପ୍ରତି ଏତେ ହୀନମନ୍ୟତା କାହିଁକି ?

Advertisment

ସରକାରୀ ବିଭାଗରେ ଓଡ଼ିଆ ଭାଷାର ବ୍ୟବହାରକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମନ୍ତ୍ରୀ ନିର୍ଦ୍ଦେଶ ଦେଇ କାମ ସାରିଦେଲେ । ହେଲେ ବିଭାଗୀୟ ବାବୁ ଏହାକୁ ଫୁ କରି ଉଡାଇ ଦେଲେ । ଉଚ୍ଚଶିକ୍ଷା ବିଭାଗର ବାବୁ ଓ ମନ୍ତ୍ରୀ ଉଭୟ ଓଡ଼ିଆ (ସୁରଜ ଓ ଅରବିନ୍ଦ ଅଗ୍ରୱାଲ) । ହେଲେ ବିଭାଗର ଇଂରାଜୀ ଚିଠି ମୋହ ଏଯାଏଁ ଛାଡିନି । ବିଲକ୍ଷଣ କେବଳ ଗୋଟିଏ ବିଭାଗରେ ସୀମିତ ନାହିଁ । ଗତ ୧୩ ତାରିଖରେ ହିଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡ଼ିଆ ଭାଷା ବ୍ୟବହାର ନକଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲା । ହେଲେ ୨ ଦିନ ଭିତରେ ହିଁ ସମାନ ବିଭାଗରୁ ଇଂରାଜୀରେ ଆସିଛି ଚିଠି । ପ୍ରଶ୍ନ ଉଠୁଛି, କାହିଁକି ଓଡ଼ିଆ ଭାଷାରେ ଚିଠିକୁ ଗୁରୁତ୍ୱ ଦେଉନାହିଁ ବିଭାଗ ? ନିର୍ଦ୍ଦେଶ ପାଳନ କରୁନଥିବା ବାବୁଙ୍କ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?

ଅଧିକ ପଢ଼ନ୍ତୁ : ଓଡ଼ିଆ ଭାଷାରେ କଣ୍ଟା କିଏ? ଓଡ଼ିଆଙ୍କୁ ଓଡ଼ିଆରେ ଲେଖିବା କଷ୍ଟ

କେବଳ ବିଭାଗରେ ନୁହେଁ ଜିଲ୍ଲାସ୍ତରରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନାକ ଟେକୁଛନ୍ତି ବାବୁ ଓ ଅଧିକାରୀ । ସ୍ଥିତି ଏମିତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକସେବା ଭବନ ଫାଟକ ଡେଇଁପାରୁନି । ଜଗତସିଂହପୁର ଜିଲ୍ଲାପାଳଙ୍କ ଦସ୍ତଖତରେ ଆସିଥିବା ଏହି ଇଂରାଜୀ ଚିଠି ହିଁ ଜିଲ୍ଲା ଓ ବ୍ଲକସ୍ତରରେ ବାବୁଙ୍କ ଓଡ଼ିଆ ପ୍ରୀତିକୁ ପଦାରେ ପକାଇଛି । ସେହିଭଳି ପୁରୀରେ ବଙ୍ଗାଳୀ ଭାଷାର ରାଜୁତି ବଢିବାରେ ଲାଗିଲାଣି । ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହାର ଝଲକ ଦେଖିବାକୁ ମିଳିଛି ।

ଓଡ଼ିଆ ଭାଷାର ବ୍ୟବହାର କେବଳ ନାରାବାଜିରେ ଅଟକିଛି । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାବୁଙ୍କ ଖାମଖିଆଲି ବଢୁଛି ।