କନକ ବ୍ୟୁରୋ:ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଲା ବିଜେପି । କିନ୍ତୁ ଏବେ ଓଡ଼ିଆ ଅସ୍ମିତାକୁ ନେଇ ଉଠୁଛି ପ୍ରଶ୍ନ । ପ୍ରଥମ କ୍ୟାବିନେଟ୍‌ ବୈଠକ ପରେପରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିକ୍ରିୟା ରଖିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ବଢ଼ାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ସରକାରୀ କାର୍ଯ୍ୟାଳୟରେ ଏଣିକି ଓଡ଼ିଆରେ କାମ ହେବ । ଚିଠି ପତ୍ର ଓ ବିଜ୍ଞପ୍ତି ଓଡ଼ିଆରେ ଲେଖାଯିବ। ଏହି ନିର୍ଦ୍ଦେଶକୁ ଦେଢ଼ ବର୍ଷ ବିତିଗଲାଣି, ହେଲେ ସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେଉନି । ଅନେକ ତାଗିଦ ଓ ନିର୍ଦ୍ଦେଶ ପରେ ବି ଓଡ଼ିଆରେ ଲେଖିବାକୁ କୁନ୍ଥକୁନ୍ଥ ହେଉଛନ୍ତି ବାବୁ । ଅନେକ ବିଭାଗ ବିଭିନ୍ନ ଚିଠି, ନିର୍ଦ୍ଦେଶନାମା ଓଡ଼ିଆରେ ନଲେଖି ଇଂରାଜୀରେ ଲେଖୁଛନ୍ତି । ଯାହା ବେଶ ଦୁର୍ଭାଗ୍ୟଜନକ ।  

Advertisment

ଜାନୁଆରି ୧୫ରେ ମହାରାଷ୍ଟ୍ରରେ ପୌର ନିର୍ବାଚନ ପାଇଁ ଭୋଟ୍; ମୁମ୍ବାଇ ପ୍ରମୁଖ ରଣକ୍ଷେତ୍ର

ଆଉ ଏସବୁ ଭିତରେ ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅଧିକାରୀ ନିର୍ଦ୍ଦେଶକୁ ଖିଲାପ କରିବେ, ତାଙ୍କୁ ପ୍ରଥମେ ତାଗିଦ କରାଯିବ । ପରେ କାରଣ ଦର୍ଶାଅ ନୋଟି ଜାରି କରାଯିବ । ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ, ସମସ୍ତ ସରକାରୀ ପରିଚାଳିତ ପ୍ରତିଷ୍ଠାନ ଏହି ନିୟମ ଅନୁପାଳନ କରିବେ । 

ସରକାରୀ ଅଫିସରେ ୪୦-୫୦ ଜଣ ଅଣ ଓଡ଼ିଆଙ୍କୁ ଛାଡ଼ିଦେଲେ ବାକି ସବୁ ଓଡ଼ିଆ । ଯେଉଁମାନେ ଅଧିକାଂଶ ଓଡ଼ିଆ ମାଧ୍ୟମରେ ପାଠ ପଢ଼ିଛନ୍ତି । ହେଲେ ଓଡ଼ିଆ ଲେଖିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି । ଓଡ଼ିଆଙ୍କୁ ଓଡ଼ିଆରେ ଲେଖିବାକୁ କଷ୍ଟ ହେଉଛି କି? ନା ମାତୃଭାଷାକୁ ନେଇ ବାବୁଙ୍କ ମନରେ ହୀନମନ୍ୟତା ରହିଛି? ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ହିଁ କଣ୍ଟା ସାଜୁଛନ୍ତି ଓଡ଼ିଆ ଭାଷା ପାଇଁ । ସରକାରଙ୍କ ନିର୍ଦ୍ଦେଶାନାମା ଖାଲି ଚିଠିରେ ସୀମିତ ରହିଯିବ ନା ବାସ୍ତବରେ ଏହା କାର୍ଯ୍ୟକାରୀ ହେବ?