Nuapada Bye Election: ସରକାର ଯାହାର, ଉପ-ନିର୍ବାଚନ ତାହାର!

ନୂଆପଡ଼ା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବେ ବିଜୟ ମୁହାଁ । ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଟ୍ରେଣ୍ଡର ବହୁ ପଛରେ ପକାଇବା ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା ‘ଓଡ଼ିଶାରେ ସରକାର ଯାହାର, ଉପ ନିର୍ବାଚନ ତାହାର’ । ୨୦୧୯ ପରଠାରୁ ଓଡ଼ିଶାରେ ଯେତେ ବି ଉପ ନିର୍ବାଚନ ହୋଇଛି, ତାହା ଭିତରୁ କେବଳ ଧାମନଗର ଉପ ନିର୍ବାଚନକୁ ଛାଡ଼ିଦେଲେ ଆଉ ସବୁଠି ଶାସକ ଦଳ ବାଜି ମାରିଛି ।

BYE ELECTION HISTORY

BYE ELECTION HISTORY Photograph: (KANAK NEWS)

କନକ ବ୍ୟୁରୋ: ନୂଆପଡ଼ା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବାଜି ମାରିଛନ୍ତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇବା ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା ‘ଓଡ଼ିଶାରେ ସରକାର ଯାହାର, ଉପ ନିର୍ବାଚନ ତାହାର’ । ୨୦୧୯ ପରଠାରୁ ଓଡ଼ିଶାରେ ଯେତେ ବି ଉପ ନିର୍ବାଚନ ହୋଇଛି, ତାହା ଭିତରୁ କେବଳ ଧାମନଗର ଉପ ନିର୍ବାଚନକୁ ଛାଡ଼ିଦେଲେ ଆଉ ସବୁଠି ଶାସକ ଦଳ ବାଜି ମାରିଛି । 

୨୦୧୯ର ବିଜେପୁର ଉପ ନିର୍ବାଚନ ହେଉ କି ୨୦୨୦ର ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ । ସବୁଠି ବାଜି ମାରିଥିଲା ଶାସକ ଦଳ । ଖାଲି ସେତିକି ନୁହେଁ, ଏହାବ୍ୟତୀତ ପିପିଲି, ବ୍ରଜରାଜନଗର, ପଦ୍ମପୁର, ଝାରସୁଗୁଡ଼ାରେ ମଧ୍ୟ ଉପ ନିର୍ବାଚନ ହେଇଥିଲା, ଆଉ ଏହି ସବୁ ଉପ ନିର୍ବାଚନରେ ବାଜି ମାରିଥିଲା ଶାସକ ଦଳ । କେବଳ ଧାମନଗରରେ ସେତେବେଳେ ବିରୋଧୀ ଆସନରେ ଥିବା ବିଜେପି, ଶାସକ ଦଳରେ ଥିବା ବିଜେଡିକୁ ଚକମା ଦେଇ ହାଡି ମାରିନେଇଥିଲା । 

ଆହୁରି ପଢ଼ନ୍ତୁ : ନୂଆପଡ଼ା ଉପ ନିର୍ବାଚନରେ ବାଜି ମାରିଲା ବିଜେପି: ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

୨୦୧୯ରେ ବିଜେପୁର ଉପ ନିର୍ବାଚନ

ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ଜିତିଥିଲେ । ଗୋଟିଏ ଥିଲା ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ଆଉ ଗୋଟିଏ ଥିଲା ବିଜେପୁର । ତେଣୁ ଦୁଇଟି ଯାକ ସିଟରୁ ନିର୍ବାଚନ ଜିତିବା ପରେ ନବୀନ ତାଙ୍କର ପାରମ୍ପରିକ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନଟି ଛାଡିଦେବାରୁ ସେଠାରେ ଉପନିର୍ବାଚନ ହେଇଥିଲା । ଆଉ ବିଜେଡି ଏହି ଉପନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ସହିତ ସନତ ଗଡ଼ତିଆ ଆଉ ଦିଲ୍ଲୀପ ପଣ୍ଡାଙ୍କୁ ଚକମା ଦେଇଥିଲା । ସେହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ସବୁ ରେକର୍ଡ ଭାଙ୍ଗି ୧,୩୫,୯୫୭ ଭୋଟ୍ ପାଇ ବିଜୟୀ ହେଇଥିଲେ ।

ବାଲେଶ୍ୱର, ତିର୍ତ୍ତୋଲରେ ଶଙ୍ଖ ବାଜିଥିଲା 

ବାଲେଶ୍ୱର ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ଦେହାନ୍ତ ହେବା ପରେ ନଭେମ୍ବର ୨୦୨୦ରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେପି ସ୍ୱର୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡି ଯୁବ ନେତା ସ୍ୱରୁପ କୁମାର ଦାସ ଏବଂ କଂଗ୍ରେସ ଯୁବ ନେତ୍ରୀ ମମତା କୁଣ୍ଡୁଙ୍କୁ ଟିକେଟ୍ ଦେଇଥିଲା।  ଆଉ ଏହି ନିର୍ବାଚନରେ ବିଜେଡି, ବାଲେଶ୍ୱର ଆସନକୁ ବିଜେପି ହାତରୁ ଛଡ଼ାଇ ଆଣିଥିଲା । ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହେଇଥିଲେ । ସେହିପରି ତିର୍ତ୍ତୋଲ ଉପ ନିର୍ବାଚନରେ ମଧ୍ୟ ବିଜେଡି ନିଜ ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ୍ ଦେଇଥିଲା, ଆଉ ଆଶା ମୁତାବକ ସେ ଉପ-ନିର୍ବାଚନରେ ବିଜୟୀ ମଧ୍ୟ ହେଇଥିଲେ । 

ପିପିଲି ଗଡ଼ ବଞ୍ଚାଇଥିଲା ଶାସକ ଦଳ

ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ହେବାରୁ  ୨୦୨୧ ମସିହା ମେ ମାସରେ ପିପିଲି ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଏହି ଆସନଟି ବିଜେଡିର ଦୁର୍ଗ ହୋଇଥିବାରୁ ବିଜେଡି ଏହାକୁ ପୁନଃଦଖଲ କରିବାରେ ବିଶେଷ ଅସୁବିଧା ନଥିଲା। ବିଜେଡି ଏହି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଥିଲା, ଆଉ ସେ ବି ଏହି ଉପ ନିର୍ବାଚନରେ ବାଜି ମାରିଥିଲେ ।

ଆହୁରି ପଢ଼ନ୍ତୁ : ବିଜୟଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ବାବୁ ଯାଇନଥିଲେ ବିଜେଡି ଅଧିକ ଭୋଟ ପାଇଥାଆନ୍ତା

ଧାମନଗରରେ ଟ୍ରେଣ୍ଡ ବଦଳିଲା, ବିରୋଧୀ ଜିତିଥିଲେ

୨୦୧୯ରୁ ୨୦୨୫ ଭିତରେ ଧାମନଗର ଉପ-ନିର୍ବାଚନ ହେଉଛି ଏକମାତ୍ର ନିର୍ବାଚନ ଯେଉଁଠି ବିରୋଧୀ ବାଜିମାତ୍ କରିଥିଲେ । ଧାମନଗର ବିଧାୟକ ବିଷ୍ଣୁସେଠୀଙ୍କ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ହେଇଥିଲା, ଆଉ ବିଜେପି ଏଠାରେ ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଏ ଉପ ନିର୍ବାଚନରେ ସୂର୍ୟ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ହରାଇ ଉପ-ନିର୍ବାଚନରେ ବାଜି ମାରିଥିଲେ । ଏ ହେଉଛି ଏକମାତ୍ର ଉପ-ନିର୍ବାଚନ ଯେଉଁଠି ବିରୋଧୀ ବାଜି ମାରିଥିଲେ ।

ବ୍ରଜରାଜନଗର, ପଦ୍ମପୁର, ଝାରସୁଗୁଡ଼ାରେ ଶାସକ ଦଳର କମାଲ

ଏହାପରେ ପରେ ବ୍ରଜରାଜନଗର, ପଦ୍ମପୁର ଆଉ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ଘଟିଥିଲା । ଆଉ ଏ ସବୁ ଉପନିର୍ବାଚନ ମଣ୍ଡଳୀରେ ବାଜି ମାରିଥିଲା ଶାସକ ଦଳ । ବ୍ରଜରାଜନଗରରେ ଅଳକା ମହାନ୍ତି, ପଦ୍ମପୁରରେ ବର୍ଷା ସିଂ ବରିହା ଝାରସୁଗୁଡାରେ ନବ ଦାସଙ୍କ ଝିଅ ଦିପାଳୀ ଦାସ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବା ସହିତ ବିଜୟୀ ହେଇଥିଲେ ।

ନୂଆପଡ଼ାରେ ବି ଶାସକ ଦଳର କମାଲ୍

ଉପ ନିର୍ବାଚନର ଏହି ପରମ୍ପରା ଏବେ ନୂଆପଡ଼ାରେ ବି ଦେଖିବାକୁ ମିଳିଛି । ଶାସକ ଦଳ ସପକ୍ଷରେ ଯାଇଛି ବାଏ ଇଲେକ୍ସନ ରେଜଲ୍ଟ । ଆଉ ଉପ ନିର୍ବାଚନର ଏହି ପରମ୍ପରାରେ ଏବେ ସାମିଲ ହେଇଛି ନୂଆପଡ଼ା ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe