କନକ ବ୍ୟୁରୋ: ନୂଆପଡ଼ା ବ୍ଲକ କାଦୋମେରୀ ପଞ୍ଚାୟତ ଗୁଡ଼ାପତ୍ରା ଗାଁର ପରିବେଶବିତ କୌଶଲ ଚନ୍ଦ୍ରକାର । ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ଡଙ୍ଗର ସୃଷ୍ଟି ଲକ୍ଷ୍ୟରେ ଆରମ୍ଭ କରିଛନ୍ତି ସିଡ୍‌ସ ବଲ ପ୍ରସ୍ତୁତି । ସିଡ୍‌ସ ବଲ ହେଉଛି ମାଟି, ଗୋବର ଓ ଫଳମଞ୍ଜିର ମିଶ୍ରଣ ପିଣ୍ଡୁଳାଟିଏ । ଜଙ୍ଗଲରୁ ଶାଗୁଆନ, ତେନ୍ତୁଳି, ନିମ ମଞ୍ଜି ସଂଗ୍ରହ କରୁଛନ୍ତି କୈଶଲ ଓ ତାଙ୍କ ସାଥୀ । ଏହି ମଞ୍ଜିକୁ ମାଟି ଓ ଗୋବର ସହ ମିଶାଇ ଗୋଲାକାର ଦିଆଯାଏ । ବର୍ଷା ପୂର୍ବରୁ ସିଡ୍‌ସ ବଲକୁ ବଣକୁ ଫିଙ୍ଗାଯାଏ ଓ ବର୍ଷା ପରେ ସେଥିରୁ ସହଜରେ ଚାରା ବାହାରେ । ଗଛ ଅଙ୍କୁରିତ ହୋଇ ଜଙ୍ଗଲ ସୃଷ୍ଟି ହୁଏ । ସିଡ୍‌ସ ବଲ ଦ୍ୱାରା ବୃକ୍ଷରୋପଣ ଖୁବ୍‌ ସହଜ ଆଉ ସରଳ ।

Advertisment

ଅଧିକ ପଢନ୍ତୁ ; ବିକାଶ ଆଳରେ ବିନାଶ ; ରାସ୍ତା ପାଇଁ ୯ ହଜାରରୁ ଅଧିକ ଗଛ କାଟିବାକୁ ଯୋଜନା

ଏହି ଉପାୟରେ ଗଛ ଲଗାଇଲେ ଯତ୍ନ ନେବାର ବି ଚିନ୍ତା ନଥାଏ । ପ୍ରାକୃତିକ ଉପାୟରେ ଆପେଆପେ ଜଙ୍ଗଲରେ ଗଛ ଉଠେ। ଆଉ ଅଳ୍ପ ଦିନରେ ଜଙ୍ଗଲ ସବୁଜମୟ ହୋଇଯାଏ । ପରିବେଶବିତ କୌଶଲ ଏହି ଉପାୟରେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ବି ଉତ୍ସାହିତ କରିଥାନ୍ତି। ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସିଡ୍‌ସ ବଲ୍‌ ପ୍ରସ୍ତୁତ କରିବାକୁ ଉତ୍ସାହିତ କରୁଛନ୍ତି । ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ଆଡ଼କୁ ଢଳିବା ସହ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ପ୍ରତି ସଜାଗ କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା କୌଶଲ ପ୍ରାୟ ୫ ହଜାର ସିଡ୍‌ସ ବଲ ତିଆରି କରିସାରିଛନ୍ତି। ଆଗାମୀ ଦିନରେ ୧୦ ହଜାର ମଞ୍ଜି ବଲ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।