କନକ ବ୍ୟୁରୋ : ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବା ଲକ୍ଷ୍ୟରେ ସରକାର ଓ ପୋଲିସ ପ୍ରଶାସନ ପକ୍ଷରୁ ‘ଅପରେସନ୍‌ ଗ୍ରିନ୍‌ କ୍ଲିନ୍‌’ ଆରମ୍ଭ କରାଯାଇଛି । ଅନ୍ୟ ଉପାନ୍ତ ଜିଲ୍ଲା ଗୁଡ଼ିକ ପରେ ଏବେ ବୌଦ୍ଧ ଜିଲ୍ଲାରେ ଏହି ଅପରେସନ୍‌ ଜୋରଦାର ହୋଇଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଜମିରେ ଚଢାଉ କରାଯାଇ ଏକର ଏକର ଗଞ୍ଜେଇ ଗଛ କଟାଯାଉଛି । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଗୋଟିଏ ପଟେ ଅପରେସନ୍ ଗ୍ରିନ୍ କ୍ଲିନ୍ ଚାଲିଥିବା ବେଳେ ଅନ୍ୟପଟେ ଗଞ୍ଜେଇ ମାଫିଆଙ୍କୁ ରୋକିବାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବୌଦ୍ଧ ଜିଲ୍ଲା ଆଜି ଗଞ୍ଜେଇ କାରବାର ପାଇଁ ସାରା ରାଜ୍ୟରେ ବଦନାମ ହେବାରେ ଲାଗିଛି ।

Advertisment

ବର୍ଷକୁ ବର୍ଷ ଜିଲ୍ଲାରେ ଗଞ୍ଜେଇ ଚାଷ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଯେଉଁ ଅଞ୍ଚଳରେ ଏହି ବେଆଇନ ଚାଷ ହେଉଛି, ସେଠାର ଦାୟିତ୍ୱରେ ଥିବା ପୁଲିସ, ଅବକାରୀ, ବନ ବିଭାଗ ଏବଂ ରାଜସ୍ୱ ବିଭାଗର ଅଧିକାରୀଙ୍କ ଭୂମିକା ଉପରେ ଏବେ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଜଙ୍ଗଲ ଭିତରେ ଶହ ଶହ ଏକର ଜମି ସଫା କରି ମାସ ମାସ ଧରି ଗଞ୍ଜେଇ ଚାଷ ହେଉଥିବା ବେଳେ ବନ ବିଭାଗ କିପରି ଅଜଣା ରହୁଛି ? ଗାଁକୁ ଗାଁ ବୁଲି ରାଜସ୍ୱ ଆଦାୟ ବେଳେ ରାଜସ୍ୱ ବିଭାଗର ନଜର ଏଥିପ୍ରତି କାହିଁକି ପଡୁନାହିଁ ? ପୁଲିସ ଓ ଅବକାରୀ ବିଭାଗ ପ୍ରକୃତରେ କରୁଛନ୍ତି କ’ଣ ? ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣରେ ଉଙ୍କି ମାରୁଛି ।

ଅଧିକ ପଢ଼ନ୍ତୁ--ବେଧଡକ ଚାଲାଣ ହେଉଛି ଗଞ୍ଜେଇ, ଅବକାରୀ ଟିମକୁ ଚକମା ଦେଉଛନ୍ତି ମାଫିଆ

ବୌଦ୍ଧର ଆଦିବାସୀ ଅଧ୍ୟୁଷିତ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ଗଞ୍ଜେଇ ମାଫିଆଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି । ବିଶେଷକରି ବଘିଆପଡ଼ା ଫାଣ୍ଡି, ଶଗଡ଼ା ଫାଣ୍ଡି, ମନମୁଣ୍ଡା, କଣ୍ଟାମାଳ, ବାଉଁସୁଣି ଓ ଘଣ୍ଟାପଡା ଥାନା ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଗାଁଗୁଡ଼ିକରେ ଶହ ଶହ ଏକର ଜଙ୍ଗଲ ଜମିରେ ବେଧଡ଼କ ଗଞ୍ଜେଇ ଚାଷ ଚାଲିଛି । ଏପରିକି ଚଳିତ ବର୍ଷ ହରଭଙ୍ଗା ଓ ପୁରୁଣାକଟକ ଅଞ୍ଚଳର କିଛି ନୂଆ ଗାଁ ମଧ୍ୟ ଗଞ୍ଜେଇ ଚାଷର ନୂଆ ହଟସ୍ପଟ୍ ଭାବେ ଉଭା ହୋଇଛି ।

ସ୍ଥାନୀୟ ଲୋକଙ୍କ ଗୁରୁତର ଅଭିଯୋଗ ଅନୁଯାୟୀ, କିଛି ଅସାଧୁ ବିଭାଗୀୟ କର୍ମଚାରୀଙ୍କ ସିଧାସଳଖ କିମ୍ବା ପରୋକ୍ଷ ସହଯୋଗ ବିନା ଏତେ ବଡ଼ ପରିମାଣରେ ଗଞ୍ଜେଇ ଚାଷ କେବେବି ସମ୍ଭବ ନୁହେଁ । କେବଳ ଲୋକଦେଖାଣିଆ ଭାବେ ଗଛ କାଟିଦେଲେ ସମସ୍ୟାର ସମାଧାନ ହେବ ନାହିଁ, ବରଂ ଏଥିରେ ସମ୍ପୃକ୍ତ ମୁଖ୍ୟ ମାଫିଆ ଓ ସହଯୋଗୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଯାଇ 'ଅପରେସନ୍‌ ଗ୍ରିନ୍‌ କ୍ଲିନ୍‌' ସଫଳ ହୋଇପାରିବ ।

ପୂର୍ବ ୩ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ସ୍ପଷ୍ଟ ହେଉଛି ଯେ ଗଞ୍ଜେଇ କଟା ବଢ଼ୁଛି, କିନ୍ତୁ ଚାଷ କମୁନି । ୨୦୨୩ ମସିହାରେ ବୌଦ୍ଧ ଜିଲ୍ଲାର ୧,୧୯୩ ଏକର ଜମିରୁ ୧୩ ଲକ୍ଷ ୬୧ ହଜାର ୪୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ୩୭ଟି ମାମଲା ରୁଜୁ ହୋଇଥିଲା । ୨୦୨୪ ମସିହାରେ ପରିସ୍ଥିତି ଆଉ ଗୁରୁତର ହୋଇଥିଲା। ୬,୯୧୦ ଏକର ଜମିରୁ ୭୪ ଲକ୍ଷ ୬୬ ହଜାର ୬୮ ଗଞ୍ଜେଇ ଗଛ ଧ୍ଵଂସ କରାଯାଇଥିବା ବେଳେ ୧୮୦ଟି ମାମଲା ପଞ୍ଜୀକୃତ ହୋଇଥିଲା । ଚଳିତ ୨୦୨୫ ମସିହା, ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ପ୍ରାୟ ୧,୫୦୦ ଏକର ଗଞ୍ଜେଇ ଚାଷ ଜମି ଧ୍ବଂସ ହୋଇଥିବା ବେଳେ ୩୨ଟି ମାମଲା ରୁଜୁ ହୋଇଛି । ଏହା କେବଳ ବର୍ଷର ପ୍ରାରମ୍ଭିକ ଆକଳନ। ଆଗାମୀ ମାସଗୁଡ଼ିକରେ ଏହି ସଂଖ୍ୟା ଆଉ ବଢ଼ିବା ଆଶଙ୍କା ରହିଛି । 

ତଥ୍ୟ କହୁଛି, ପ୍ରତିବର୍ଷ ଗଞ୍ଜେଇ ଚାଷ ଧ୍ବଂସ ଅଭିଯାନ ବଡ଼ ହେଉଛି, କିନ୍ତୁ ମୂଳ ସମସ୍ୟା ଅତୁଟ । ଗଞ୍ଜେଇ ଚାଷ ଦୁଇ-ଚାରି ଦିନରେ ହୁଏନି, ମାସ ମାସ ଧରି ଚାଲିଥାଏ । ତେବେ ଏତେ ସମୟ ଧରି ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ କେମିତି ସୂଚନା ପାଉନାହାନ୍ତି, ସେହି ପ୍ରଶ୍ନ ଏବେ ଅଧିକ ତୀବ୍ର ହୋଇଛି । ଡ୍ରୋନ୍ ସର୍ଭେ, ସାଟେଲାଇଟ୍ ଇମେଜିଂ, ଜିଓ-ମ୍ୟାପିଂ ଭଳି ଆଧୁନିକ ପ୍ରଯୁକ୍ତି ଉପଲବ୍ଧ ଥିବା ସତ୍ତ୍ୱେ ଯଦି ଗଞ୍ଜେଇ ଚାଷ ଆଗୁଆ ଚିହ୍ନଟ ହେଉନାହିଁ, ତେବେ ଏହା କେବଳ ଅବହେଳା ନା ବ୍ୟବସ୍ଥାଗତ ବିଫଳତା, ସେଥିରେ ସନ୍ଦେହ ଉପୁଜିଛି । ଗଞ୍ଜେଇ ଚାଷ ପାଇଁ ପ୍ରତିବର୍ଷ ଶହ ଶହ ଏକର ଜଙ୍ଗଲ ଧ୍ଵଂସ ହେଉଛି, ସବୁଜିମା ନଷ୍ଟ ହେଉଛି, ତାପମାତ୍ରା ବଢ଼ୁଛି । ଧାନ ଚାଷ ପାଇଁ ଆବଶ୍ୟକ ଗୋବର ଖତ ଓ ୟୁରିଆ ସାର ମଧ୍ୟ ଗଞ୍ଜେଇ ଚାଷରେ ବ୍ୟବହୃତ ହେଉଥିବାରୁ ସାଧାରଣ ଚାଷୀ କଳାବଜାରୀ ଉପରେ ନିର୍ଭର କରିବାକୁ ବାଧ୍ୟ। ଲକ୍ଷ ଲକ୍ଷ ଟଙ୍କା ସରକାରୀ ଧନ ଖର୍ଚ୍ଚ ହେଉଛି, କିନ୍ତୁ ଫଳ ଶୂନ୍ୟ । ବୁଦ୍ଧିଜୀବୀ କହୁଛନ୍ତି, ଗଞ୍ଜେଇ କାଟିବା ନୁହେଁ, ଗଞ୍ଜେଇ ଲଗାଇବା ପୂର୍ବରୁ ରୋକ ଲଗାଇବା ହିଁ ସ୍ଥାୟୀ ସମାଧାନ । ନିରୀହ ଆଦିବାସୀଙ୍କୁ ବିକଳ୍ପ ଜୀବିକା, ସଚେତନତା, ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ସହ ମୁଖ୍ୟଧାରାରେ ସାମିଲ କରିବା ଅତ୍ୟାବଶ୍ୟକ ।