କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ…ଏହି ନାଁରେ ଯେତେ ପରାକ୍ରମ ରହିଛି ସେତେ 'ରହସ୍ୟ' ଶବ୍ଦଟି ମଧ୍ୟ ଯୋଡ଼ି ହୋଇ ରହିଛି । କାରଣ ତାଙ୍କ ମୃତ୍ୟୁକୁ ନେଇ ଆଜିବି ସମସ୍ତଙ୍କ ମନରେ ରହିଛି ସନ୍ଦେହ, ଆଶା-ଆଶଙ୍କା ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଏବଂ ନିଖୋଜ ରହସ୍ୟ ଭାରତୀୟ ଇତିହାସର ସବୁଠାରୁ ବଡ଼ ଅସମାପ୍ତ ଅଧ୍ୟାୟ । ଓଡ଼ିଶାର କଟକ ମାଟିରେ ଜନ୍ମିତ ଏହି ବୀର ସନ୍ତାନଙ୍କ ସାହସ ଏବଂ "ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି" ଭଳି ଆହ୍ୱାନ ଆଜି ବି ଭାରତୀୟଙ୍କ ରକ୍ତରେ ଶିହରଣ ଖେଳାଇଦିଏ । ମାତ୍ର ୧୯୪୫ ମସିହା ଅଗଷ୍ଟ ୧୮ ତାରିଖ ପରେ ନେତାଜୀ କୁଆଡ଼େ ଗଲେ, ସେ ପ୍ରଶ୍ନ ଆଜି ବି ରହସ୍ୟ ।
କୁହାଯାଏ ୧୯୪୫ ଅଗଷ୍ଟ ୧୮ରେ ତାଇୱାନର ତାଇହୋକୁ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ଘଟିଥିଲା । ଜାପାନ ସରକାରଙ୍କ ରିପୋର୍ଟ ଅନୁସାରେ, ସେହି ଦୁର୍ଘଟଣାରେ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ ଏବଂ ଏକ ସାମରିକ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅସ୍ଥି ଭସ୍ମ ଜାପାନର ରେଙ୍କୋଜି ମନ୍ଦିରରେ ରଖାଯାଇଥିବା କୁହାଯାଏ । କିନ୍ତୁ ଭାରତର ଅଗଣିତ ଜନତା ଏବଂ ନେତାଜୀଙ୍କ ପରିବାରର ଅନେକ ସଦସ୍ୟ ଏହି ତଥ୍ୟକୁ ସହଜରେ ଗ୍ରହଣ କରିପାରି ନଥିଲେ ।
ଏହି ରହସ୍ୟର ସନ୍ଧାନ ପାଇଁ ଭାରତ ସରକାର ବିଭିନ୍ନ ସମୟରେ ତିନୋଟି କମିଶନ ଗଠନ କରିଥିଲେ । ଶାହନୱାଜ କମିଟି ଏବଂ ଜି.ଡି. ଖୋସଲା କମିସନ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା କଥାକୁ ସମର୍ଥନ କରିଥିଲେ । କିନ୍ତୁ ୧୯୯୯ରେ ଗଠିତ 'ମୁଖାର୍ଜୀ କମିସନ' ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଥିଲେ । ଜଷ୍ଟିସ ମନୋଜ କୁମାର ମୁଖାର୍ଜୀ କହିଥିଲେ ଯେ, ୧୯୪୫ ଅଗଷ୍ଟ ୧୮ରେ କୌଣସି ବିମାନ ଦୁର୍ଘଟଣା ଘଟିନଥିଲା ଏବଂ ନେତାଜୀ ସେଦିନ ମୃତ୍ୟୁବରଣ କରିନଥିଲେ ।
ଆହୁରି ପଢ଼ନ୍ତୁ... ବ୍ରିଟିଶ ବାହିନୀକୁ କରିଥିଲେ ନାକେଦମ୍, କାରାଗାରରେ କାଟିଥିଲେ ୩୭ ବର୍ଷ
ନେତାଜୀଙ୍କ ନିଖୋଜ ହେବା ପଛରେ ଅନେକ ଗୁଜବ ଓ ତର୍କ ରହିଛି । କେହି କେହି କୁହନ୍ତି ସେ ରୁଷିଆକୁ ପଳାଇଥିଲେ ଏବଂ ସେଠାରେ ତାଙ୍କୁ ବନ୍ଦୀ କରି ରଖାଯାଇଥିଲା । ଅନ୍ୟ ଏକ ଚର୍ଚ୍ଚିତ ଦାବି ଅନୁଯାୟୀ, ଉତ୍ତର ପ୍ରଦେଶର ଫୈଜାବାଦରେ ରହୁଥିବା 'ଗୁମନାମୀ ବାବା' ହିଁ ନେତାଜୀ ଥିଲେ, ଯିଏ ଜଣେ ସନ୍ନ୍ୟାସୀ ଭାବେ ନିଜର ଶେଷ ସମୟ ଅତିବାହିତ କରିଥିଲେ । ତାଙ୍କ ପାଖରୁ ମିଳିଥିବା ସାମଗ୍ରୀ ଏବଂ ଚିଠିପତ୍ର ନେତାଜୀଙ୍କ ସହ ଅନେକ ସାମଞ୍ଜସ୍ୟ ରଖୁଥିଲା ।
ସମୟ ଗଡ଼ିବା ସହିତ ଭାରତ ସରକାର ନେତାଜୀଙ୍କ ସମ୍ପର୍କିତ ଅନେକ ଗୁପ୍ତ ଫାଇଲ୍ ସାର୍ବଜନୀନ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରି ନାହିଁ । ନେତାଜୀଙ୍କ ମୃତ୍ୟୁ ବା ନିଖୋଜ ହେବା କେବଳ ଏକ ଐତିହାସିକ ଘଟଣା ନୁହେଁ, ବରଂ ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣତାର ବିଷୟ । ନେତାଜୀଙ୍କୁ ନେଇ ଆଜିବି ଅନେକ ପ୍ରଶ୍ନ ମନରେ ଆସେ । ଯଦି ନେତାଜୀଙ୍କ ମୃତ୍ୟୁ ହୋଇଥିଲା, ତେବେ ତାଙ୍କ ପାର୍ଥିବ ଶରୀରର କୌଣସି ଫଟୋ କାହିଁକି ନିଆଯାଇ ନଥିଲା ? ଦୁର୍ଘଟଣାର କୌଣସି ଦସ୍ତାବିଜ କାହିଁକି ନଥିଲା ? ସତରେ କ’ଣ ଯୁଗ ଯୁଗ ପାଇଁ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଯିବ ?
ମୃତ୍ୟୁ ଯେମିତି ବି ହୋଇଥାଉ ନା କାହିଁକି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜି ବି ପ୍ରତିଟି ଭାରତୀୟଙ୍କ ହୃଦୟରେ ଜଣେ ଅମର ନାୟକ । ତାଙ୍କର ଦେଶପ୍ରେମ ଏବଂ ସଂଘର୍ଷ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ । ନେତାଜୀଙ୍କ ମୃତ୍ୟୁ ହୁଏତ ଏକ ରହସ୍ୟ, କିନ୍ତୁ ତାଙ୍କର ଆଦର୍ଶ ଚିର ଅମର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/23/netaji-subhas-bose-2026-01-23-12-04-12.jpg)