କନକ ବ୍ୟୁରୋ : ଦାବି ନ ମାନିଲେ ମଣ୍ଡିରୁ ଧାନ ଉଠିବନି ବୋଲି ରୋକଠୋକ ମନା କରିଛନ୍ତି ମିଲର୍ସ । ସରକାର ବି କହିଛନ୍ତି, ମନଇଚ୍ଛା ଦାବିକୁ ମାନିବୁ କେମିତି ? ମିଲର୍ସ ଓ ସରକାରଙ୍କ ଏହି ଜିଦ ଭିତରେ କଲବଲ ହେଉଛନ୍ତି ଚାଷୀ । ଅମଳ ଧାନକୁ କେଉଁଠି ରଖିବ, କେତେ ଦିନ ରଖିବ ତାହାକୁ ନେଇ ଚିନ୍ତାରେ ଚାଷୀ । ପଡ଼ି ରହିଛି ଶହ ଶହ ବସ୍ତା ଧାନ । କେଉଁଠି ପିଣ୍ଡାରେ ତ ପୁଣି କେଉଁଠି ଦାଣ୍ଡରେ । ମଣ୍ଡିରେ ପଡିଥିବା ଧାନ ବସ୍ତା କେବେ ଉଠିବ ତାହା ବି ଜଣା ନାହିଁ । ମାଲକାନଗିରିରୁ ମୟୂରଭଞ୍ଜ, କଟକରୁ କୋରାପୁଟ ସବୁଠି ଧାନ ଉଠାଣରେ ଅଚଳାବସ୍ଥା ।
ମିଲର୍ସ ଆନ୍ଦୋଳନକୁ ନେଇ ସାରା ରାଜ୍ୟର ଅବସ୍ଥା କିଛି ଏମିତି । ୪ ଦଫା ଦାବି ନେଇ ଦ୍ବିତୀୟ ଦିନରେ ପହଞ୍ଚିଛି ମିଲର୍ସଙ୍କ ଆନ୍ଦୋଳନ । ହେଲେ ସରକାରୀ ସ୍ତରରେ ଏଯାଏଁ ବାହାରିନି ସମାଧାନର ଫର୍ମୁଲା । ସରକାର ଓ ମିଲର୍ସଙ୍କ ମଧ୍ୟରେ ବାରମ୍ବାର ଆଲୋଚନା, ବାରମ୍ବାର ବୈଠକ ଭିତରେ ଚାଷୀ ନିରୁପାୟ । ଧାନ ବିକ୍ରି କେମିତି କରିବ? ଆଣିଥିବା ଋଣ କେମିତି ଶୁଝିବ ? ତାକୁ ନେଇ ଚିନ୍ତାରେ ଚାଷୀ ।
ଅଧିକ ପଢ଼ନ୍ତୁ---ଆଠଗଡ଼ ଚାଷୀଙ୍କୁ ମଣ୍ଡି ଯନ୍ତ୍ରଣା ; ହାତୀଙ୍କ ଭୟର ଫାଇଦା ନେଉଛନ୍ତି ଦଲାଲ!
କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ, ପୂର୍ବଭଳି ଧାନ ପରିବହନ ଖର୍ଚ୍ଚ ପ୍ରଦାନ, ଶୁଖିଲା ଧାନ ବାବଦକୁ ୧% ପ୍ରତିଶତ ସହାୟତା ପାଇଁ ଦାବି କରୁଛି ମିଲର୍ସ ସଂଘ । ମଣ୍ଡିରେ ଅଚଳାବସ୍ଥା ଭିତରେ ମିଲର୍ସ ଆନ୍ଦୋଳନକୁ ପ୍ରାୟୋଜିତ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ମିଲର୍ସଙ୍କ ଦାବିରେ ଯଥାର୍ଥତା ନାହିଁ । କେବଳ ସରକାରଙ୍କୁ ହରଡଘଣାରେ ପକାଇବାକୁ ଚକ୍ରାନ୍ତ ଚାଲିଛି। ଅନ୍ୟପଟେ ବିଜେଡି କହିଛି, ଚାଷୀଙ୍କୁ ଭୁଆଁ ବୁଲାଇବାକୁ ପ୍ରାୟୋଜିତ ଆନ୍ଦୋଳନ କରାଉଛନ୍ତି ସରକାର । ପଞ୍ଜୀକରଣ, ସାର ଅଭାବୀ, ଟୋକନ ଅବ୍ୟବସ୍ଥାର ସାମ୍ନା କରି ଅମଳ ଧାନକୁ ମଣ୍ଡିକୁ ଆଣିଛନ୍ତି ଚାଷୀ। ହେଲେ ଧାନ ବିକ୍ରି କରିବା ବଦଳରେ ସରକାର ଓ ମିଲର୍ସଙ୍କ ଗୋଲକଧନ୍ଦା ଭିତରେ ପେଶି ହୋଇଯାଇଛନ୍ତି ଅନ୍ନଦାତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/06/mandi-2026-01-06-20-59-16.jpg)