କନକ ବ୍ୟୁରୋ : ଚିନ୍ତାରେ କଟକ ଜିଲ୍ଲା ଆଠଗଡ଼ର ଧାନ ଚାଷୀ । ବିଲରେ କଲବଲ ହୋଇ ଅମଳ କରିବା ପରେ ଏବେ ମଣ୍ଡି ଚିନ୍ତା । ଚାଷୀଙ୍କ ନିକଟକୁ ଟୋକନ ଆସିଥିଲେ ମଧ୍ୟ କେବେ ଧାନ ମଣ୍ଡି ଆରମ୍ଭ ହେବ ତାହା ସ୍ଥିର ହୋଇନାହିଁ । ଫଳରେ ଚାଷୀ ନିରୂପାୟ ହୋଇ ବାହାର ବ୍ୟବସାୟୀଙ୍କୁ ଧାନ ବିକୁଛନ୍ତି । କିଏ ଅମଳ ଧାନ ଖଳାରେ ରଖି ଜଗି ବସିଛି ତ କିଏ ଘର ବାରଣ୍ଡାରେ ଅପେକ୍ଷା କରିଛି କେବେ ମଣ୍ଡି ଖୋଲିବ । ହେଲେ ଡିସେମ୍ବର ଯାଇ ଜାନୁଆରୀ ଆସିଲାଣି ଏଯାଏଁ ଆଠଗଡ଼ରେ ଆରମ୍ଭ ହୋଇପାରିନି ମଣ୍ଡି । ଗତବର୍ଷ ଖରିଫ ଋତୁରେ ଆଠଗଡ଼ରୁ କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଧାନ ସେବା ସମବାୟ ସମିତି ଜରିଆରେ କିଣିଥିଲେ ରାଜ୍ୟ ସରକାର । ହେଲେ ଚଳିତ ବର୍ଷ ଧାନ ଚାଷ କରି ହନ୍ତସନ୍ତ ହେଉଛନ୍ତି ଆଠଗଡ଼ ଚାଷୀ । ହାତୀଙ୍କ ଭୟ ରହୁଥିବାରୁ ବାଧ୍ୟ ହୋଇ କମ ଦରରେ ବେପାରୀଙ୍କୁ ଧାନ ବିକ୍ରି କରି କ୍ଷତି ସହୁଛନ୍ତି । 

Advertisment

ଗତବର୍ଷ ୩୧ ଡିସେମ୍ବରରୁ ଆଠଗଡ଼ରେ ମଣ୍ଡି ଆରମ୍ଭ ହେବା ପାଇଁ ଚାଷୀଙ୍କ ନିକଟକୁ ମେସେଜ୍‌ ଆସିଲା । ଆଉ ସେତିକିରେ ହିଁ ମଣ୍ଡି ପ୍ରକ୍ରିୟା ଅଟକିଛି । ଅନ୍ୟପଟେ ଆଜି ଠାରୁ ମିଲର୍ସ ମାନେ ଆନ୍ଦୋଳନ ଡାକରା ଦେଇଛନ୍ତି । ଖୁବଶୀଘ୍ର ମିଲର୍ସଙ୍କ ସହ ଆଲୋଚନା କରି ମଣ୍ଡି ଆରମ୍ଭ ହେବ ବୋଲି କହିଛନ୍ତି ଆଠଗଡ଼ ଏଆର୍‌ସିଏସ୍‌ । ଗୋଟେ ପଟେ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ , ଅନ୍ୟପଟେ ମଣ୍ଡି ସମସ୍ୟା । ଏମିତି ପରିସ୍ଥିତିରେ ଲାଭ ତ’ ଛାଡ଼ ଚାଷୀକୁ ମୂଳ ବି ମିଳିବା କଷ୍ଟକର ଲାଗୁଛି । ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଚାଷୀ ବାଧ୍ୟ ହୋଇ ସଂଗଠନ ସହ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ---ଉପାନ୍ତରେ ଭୁଶୁଡ଼ୁଛି ସ୍ବାସ୍ଥ୍ୟ ଭିତ୍ତିଭୂମି ! ଖାଲି ପଡ଼ିଛି ଅଧାରୁ ଅଧିକ ଡାକ୍ତର ପଦ!