nitin naveen Photograph: (Google)
କନକ ବ୍ୟୁରୋ: ଅପ୍ରତ୍ୟାଶିତ ଭାବେ ନିତିନ ନବୀନଙ୍କୁ ଭାରତୀୟ ଜନତା ପାର୍ଟିରେ ଏକ ବଡ଼ ଦାୟିତ୍ୱ ମିଳିଛି । ଦଳ ତାଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । ପାଟନାର ବାଙ୍କିପୁର ଆସନରୁ କ୍ରମାଗତ ପାଞ୍ଚ ଥର ବିଧାୟକ ହୋଇଥିବା ୪୫ ବର୍ଷୀୟ ନିତିନ ନବୀନ ହେଉଛନ୍ତି ବିଜେପିର ସବୁଠାରୁ କମ ବୟସର ରାଷ୍ଟ୍ରୀୟ ଅଧ୍ୟକ୍ଷ । ପାଟନାରେ ଜନ୍ମିତ ନିତିନ ନବୀନ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ ଏବଂ ବର୍ତ୍ତମାନ ବିହାରର ନୀତୀଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସଡ଼କ ନିର୍ମାଣ ମନ୍ତ୍ରୀ ଅଛନ୍ତି । ପିତାଙ୍କ ଦେହାନ୍ତ ପରେ ନିତିନ ନବୀନ ସକ୍ରିୟ ଭାବରେ ନିର୍ବାଚନୀ ରାଜନୀତିରେ ପାଦ ଥାପିଥିଲେ । ଖୁବଶୀଘ୍ର ସୃଷ୍ଟି କରିଥିଲେ ନିଜର ଏକ ସ୍ୱତନ୍ତ୍ର ପରିଚୟ । ୨୦୦୬ ଉପ-ନିର୍ବାଚନରେ ବିଜୟ ଲାଭ କରିବା ପରଠାରୁ ତାଙ୍କର ବିଜୟ ଧାରା ଅବ୍ୟାହତ ରହିଛି । ସେ ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ ବିଧାନସଭା ନିର୍ବାଚନରେ କ୍ରମାଗତ ଭାବେ ବିଜୟୀ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ସେ ୯୮ ହଜାର ୨୯୯ ଖଣ୍ଡ ଭୋଟ ପାଇ RJD ପ୍ରାର୍ଥୀ ରେଖା କୁମାରୀଙ୍କୁ ବଡ଼ ବ୍ୟବଧାନରେ ପରାଜିତ କରିଥିଲେ ।
ଶପଥ ପତ୍ର ଅନୁଯାୟୀ ନିତିନ ନବୀନ ଯୁକ୍ତ ଦୁଇ ପାସ୍ କରିଛନ୍ତି । ସେ ୧୯୯୬ ମସିହାରେ ସେଣ୍ଟ ମାଇକେଲ୍ ହାଇସ୍କୁଲରୁ ସିବିଏସଇ ବୋର୍ଡରେ ମାଟ୍ରିକ ପାସ୍ କରିଥିଲେ । ଏହାପରେ ୧୯୯୮ ମସିହାରେ ସେ ନୂଆଦିଲ୍ଲୀର ସିଏସକେଏମ ପବ୍ଲିକ ସ୍କୁଲରୁ ଦ୍ୱାଦଶ ପାସ୍ କରିଥିଲେ । ଜଣେ ଆଧୁନିକ ଯୁଗର ରାଜନେତାଙ୍କ ଭଳି ସେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକରେ ଖୁବ ଆକ୍ଟିଭ୍ ରୁହନ୍ତି । ଶପଥ ପତ୍ରରେ ନିତିନ ନବୀନ ନିଜର ଅଚଳାଚଳ ସମ୍ପତ୍ତିର ମୂଲ୍ୟ ପ୍ରାୟ ୯୯ ଲକ୍ଷ ୭୧ ହଜାର ୪୭୮ ଟଙ୍କା ଦର୍ଶାଇଛନ୍ତି, ତାଙ୍କ ପତ୍ନୀଙ୍କ ସମ୍ପତ୍ତି ପ୍ରାୟ ୬୬.୫୨ ଲକ୍ଷ ଟଙ୍କା ବୋଲି କୁହାଯାଇଛି । ଅଚଳ ସମ୍ପତ୍ତି କ୍ଷେତ୍ରରେ, ନବୀନଙ୍କ ନାମରେ କୌଣସି କୃଷି ଜମି କିମ୍ବା ଆବାସିକ/ବାଣିଜ୍ୟିକ କୋଠା ନାହିଁ । ହେଲେ, ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୧.୪୭ କୋଟି ଟଙ୍କା ମୂଲ୍ୟର ଅଚଳ ସମ୍ପତ୍ତି ରହିଛି ।
ଅଧିକ ପଢନ୍ତୁ : ଦିଲ୍ଲୀରୁ ଭକ୍ତଙ୍କ ଚେତାବନୀ; କହିଲେ, ବିଜେପି ସହ ସମ୍ପର୍କରେ ଥିବା ଲୋକ ଦଳ ଛାଡିଯିବା ଉଚିତ୍
ଚଳ ସମ୍ପତ୍ତିର ବିସ୍ତୃତ ବିବରଣୀ ଅନୁଯାୟୀ, ନବୀନଙ୍କ ପାଖରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଏବଂ ଫିକ୍ସଡ୍ ଡିପୋଜିଟ୍ରେ ପ୍ରାୟ ୪୨ ଲକ୍ଷ ୬୦ ହଜାର ୯୬୧ ଟଙ୍କା ଜମା ଅଛି । ତାଙ୍କ ପାଖରେ ଦୁଇଟି ଗାଡ଼ି, ଗୋଟିଏ ସ୍କର୍ପିଓ ଏବଂ ଗୋଟିଏ ଇନୋଭା କ୍ରିଷ୍ଟା ରହିଛି । ତାଙ୍କ ପତ୍ନୀ ଦୀପମାଳା ଶ୍ରୀବାସ୍ତବଙ୍କ ବ୍ୟାଙ୍କ ଜମା ରାଶି ପ୍ରାୟ ୫୪ ଲକ୍ଷ ୩୦ ହଜାର ୫୫୫ ଟଙ୍କା ରହିଛି । ଏହା ବ୍ୟତୀତ, ସେ ମ୍ୟୁଚୁଆଲ୍ ଫଣ୍ଡ ମାଧ୍ୟମରେ ପ୍ରାୟ ୬ ଲକ୍ଷ ୪୪ ହଜାର ୭୦୦ ଟଙ୍କା ନିବେଶ କରିଛନ୍ତି । ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନିତିନ ନବୀନଙ୍କ ପତ୍ନୀଙ ୧ କୋଟି ୧୮ ଲକ୍ଷ ମୂଲ୍ୟ ଜମିର ମାଲିକାଣି । ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଜର ଆଇନଗତ ସ୍ଥିତି ମଧ୍ୟ ଦର୍ଶାଇଛନ୍ତି । ନିତିନ ନବୀନ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ । ହେଲେ, ତାଙ୍କ ବିରୋଧରେ ପାଞ୍ଚଟି ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି । ଏହି ମାମଲାଗୁଡ଼ିକ ମୁଖ୍ୟତଃ ରାଜନୈତିକ ସଂଘର୍ଷ ଏବଂ ବିରୋଧ ପ୍ରଦର୍ଶନ ସମୟରେ ରୁଜୁ କରାଯାଇଛି, ଯାହା ଜଣେ ସକ୍ରିୟ ରାଜନେତାଙ୍କ କ୍ୟାରିୟରର ଏକ ଅଂଶ ।
Follow Us