କନକ ବ୍ୟୁରୋ: ବିହାରର ଏନଡିଏ ସରକାରର ମନ୍ତ୍ରୀ ଥିବା ନୀତିନ ନବୀନ ହୋଇଛନ୍ତି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ । ଭାରତୀୟ ଜନତା ପାର୍ଟି ନୀତିନ ନବୀନଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଥିବାବେଳେ, ବିଜେପିର ସଂସଦୀୟ ବୋର୍ଡ ତାଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀ ସଭାପତି ଭାବେ ନିଯୁକ୍ତ କରିଛି । ହେଲେ ଜଣେ ଯୁବ ଚେହେରା, ବିଧାୟକରୁ ମନ୍ତ୍ରୀ ହୋଇଥିବା ନେତା, ଆଉ ଉତ୍ତମ ସଙ୍ଗଠକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରି ବଡ଼ ସଙ୍କେତ ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପିର ସଭାପତି ହେବା ରେସରେ ଅନେକ ନେତା ଥିଲେ ବି, ନୀତିନ ନବୀନଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ବାଛି, ଦଳ ଦେଇଛି ବଡ଼ ସଙ୍କେତ ।

Advertisment

ଭବିଷ୍ୟତ ଆଗରେ ରଖି ନିଷ୍ପତ୍ତି

ବିଜେପିର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ ହୋଇଥିବା ନୀତିନ ନବୀନଙ୍କ ବୟସ ମାତ୍ର ୪୫ ବର୍ଷ। ସେ ବିଜେପି ଇତିହାସରେ ଦଳର ଦାୟିତ୍ୱ ଗ୍ରହଣ କରିଥିବା ସବୁଠାରୁ ଯୁବ ନେତା। ଅଟଳ ବିହାରୀ ବାଜପେୟୀଙ୍କଠାରୁ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ଯେତେ ବି ନେତା ବିଜେପିର ସଭାପତି ହୋଇଥିଲେ, ତାଙ୍କ ଭିତରେ, ଅମିତ ଶାହ ଥିଲେ ସବୁଠାରୁ ଯୁବ ସଭାପତି । ଅମିତ ଶାହ ମାତ୍ର ୪୯ ବର୍ଷ ବୟସରେ ବିଜେପିର ସଭାପତି ହୋଇଥିଲେ । କିନ୍ତୁ ନୀତିନ ନବୀନ ମାତ୍ର ୪୫ ବର୍ଷ ବୟସରେ ଏହି ପଦ ଗ୍ରହଣ କରିବାକୁ ଯାଉଛନ୍ତି । ଯାହାକି ଜଣାଇ ଦେଉଛି ଯେ, ବିଜେପି ଭବିଷ୍ୟତକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି । ବିଜେପି ଏବେ ୨୦୨୯ ନିର୍ବାଚନ ପାଇଁ ଏବେଠୁ ଚିନ୍ତା କରିବା ଆରମ୍ଭ କରିଛି ଆଉ ସେଥିପାଇଁ ନୀତିନ ନବୀନଙ୍କ ଭଳି ଜଣେ ଯୁବ ନେତାଙ୍କୁ ଦଳର ଅଧ୍ୟକ୍ଷ ବାଛିଛି ବୋଲି ଚର୍ଚ୍ଚା ହେଉଛି।

କାର୍ଯ୍ୟକର୍ତ୍ତାଙ୍କୁ ବଡ଼ ସନ୍ଦେଶ 

ବିଜେପିରେ ସବୁବେଳେ ଗୋଟିଏ କଥା ଚର୍ଚ୍ଚା ହୁଏ ଯେ, ଦଳର ତଳ ସ୍ତରର କର୍ମୀଟିଏ ମଧ୍ୟ ଦଳର ଶୀର୍ଷ ପଦରେ ବସିପାରେ । ଆଉ ଏହି କଥାକୁ ନୀତିନଙ୍କ ନବୀନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି । ନୀତିନ ନବୀନ ତାଙ୍କ ବାପାଙ୍କ ମୃତ୍ୟୁ ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ, ଆଉ ଉପ ନିର୍ବାଚନ ଜିତି ବିଧାୟକ ହେଇଥିଲେ । ହେଲେ ତାଙ୍କର କାମ, ଅଭିଜ୍ଞତାକୁ ଦେଖି ଏବେ ବିଜେପିର ଶୀର୍ଷ ନେତୃତ୍ୱ ତାଙ୍କୁ ଦେଇଛନ୍ତି ବଡ଼ ଦାୟିତ୍ୱ । ଦଳରେ କାମ କଲେ ଯେ କୌଣସି ନେତା ମଧ୍ୟ, ଦଳର ଶୀର୍ଷ ଆସନରେ ବସିପାରିବେ ବୋଲି ଇସାରା ଦେଇଛି ଭାରତୀୟ ଜନତା ପାର୍ଟି । 

ଆହୁରି ପଢ଼ନ୍ତୁ : ନେତା ଭୁଲିଗଲେ ମଞ୍ଚ ଗାରିମା: ନବରଙ୍ଗପୁର ମଣ୍ଡେଇ ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ

ବିଜେପି ଏବଂ ଆରଏସଏସର ପସନ୍ଦ 

ନୀତିନ ନବୀନ RSS ଏବଂ ବିଜେପିର ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ। ତାଙ୍କ ପିତା ନବୀନ କିଶୋର ସିହ୍ନା ଜନସଂଘରୁ ବିଜେପିରେ ଯୋଗ ଦେଇଥିଲେ ଏବଂ ପାଟନାରୁ ସାତ ଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ, ନୀତିନ ବାଏ ଇଲେକ୍ସନ ଜିତିବା ସହିତ ରାଜନୀତିରେ ଏଣ୍ଟ୍ରି କରିଥିଲେ । ତେବେ ନୀତିନ ନବୀନଙ୍କ ରାଜନୈତିକ କ୍ୟାରିଅର ABVP, RSSର ଛାତ୍ର ଶାଖା ସହିତ ଆରମ୍ଭ ହୋଇଥିଲା । ବଂ ପରେ ବିଜେପିର ଯୁବ ମୋର୍ଚ୍ଚାରେ ମଧ୍ୟ ଯୋଗ ଦେଇଥିଲେ। ସେଥିପାଇଁ ତାଙ୍କୁ RSS ଏବଂ BJP ଉଭୟଙ୍କ ପ୍ରିୟ ବୋଲି ବି କୁହାଯାଏ । ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଅମିତ ଶାହଙ୍କର ସେ ବେଶ ଘନିଷ୍ଠ ବୋଲି ଚର୍ଚ୍ଚା ହୁଏ ।

ସଂଗଠନ ଏବଂ ସରକାର ଉଭୟରେ ଅଭିଜ୍ଞତା

ନୀତିନ ନବୀନଙ୍କର ରାଜନୈତିକ ଅଭିଜ୍ଞତା ଏବଂ ସଂଗଠନ ଦକ୍ଷତା ଉଭୟ ଅଛି। ବିହାରରେ ରାସ୍ତା ନିର୍ମାଣ ମନ୍ତ୍ରୀ ଭାବରେ, ସେ ବେଶ ସଫଳତା ପାଇଛନ୍ତି ।  ଜଣେ ବିଧାୟକ ଭାବରେ, ସେ ପାଟନାର ବାଙ୍କିପୁରର ଗୁରୁତ୍ୱପୂର୍ଣ୍ଣ ଆସନକୁ ବିଜେପି ଗଡ଼ ଭାବରେ ରଖିଥିଲେ । ଏମିତି କି ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ଏବଂ ପୁଷ୍ପମ ପ୍ରିୟା ଚୌଧୁରୀଙ୍କ ଭଳି  ହାଇ ପ୍ରୋଫାଇଲ୍ ପ୍ରାର୍ଥୀଙ୍କୁ ପରାସ୍ତ କରି ସେ ବିଧାୟକ ହୋଇଥିଲେ । ତା ସହିତ ବିଜେପି ଯେଉଁ ସବୁ ରାଜ୍ୟରେ ତାଙ୍କ ସାଂଗଠନିକ କାର୍ଯ୍ୟ ଦେଇଥିଲା, ସେଥିରେ ମଧ୍ୟ ସକ୍ସେସ ହେଇଥିଲେ । ଯାହାକି ସଙ୍କେତ ଦେଉଥିଲା ଯେ ଦଳ ତାଙ୍କୁ ବିହାର ବାହାରେ ଜଣେ ପ୍ରମୁଖ ନେତା ଭାବରେ ଦେଖୁଥିଲା ଖାସ୍ କରି ବୁଥ୍ ସ୍ତରରେ ମାଇକ୍ରୋ-ମ୍ୟାନେଜ୍ କରିବାରେ ସେ ବେଶ ମାହିର୍ । ତେଣୁ ତାଙ୍କ ଭଳି ଜଣେ ନେତାଙ୍କୁ ଦାୟିତ୍ୱ ଦେଇ ଦଳ ଉଭୟ ସଙ୍ଗଠନ ଏବଂ ସରକାରରେ ଆହୁରି ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି ।

ଆହୁରି ପଢ଼ନ୍ତୁ : ମୋକିମଙ୍କୁ ତଡ଼ିଲା କଂଗ୍ରେସ, ଆଗକୁ କେଉଁ ଦଳ?

କାୟସ୍ଥ ସମ୍ପ୍ରଦାୟକୁ ଫୋକସ୍ 

ନୀତିନ ନବୀନଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରି, ବିଜେପି କାୟସ୍ଥ ସମ୍ପ୍ରଦାୟକୁ ଏକ ବଡ଼ ରାଜନୈତିକ ବାର୍ତ୍ତା ଦେଇଛି। ନୀତିନ ନବୀନ ନିଜେ କାୟସ୍ଥ ସମ୍ପ୍ରଦାୟରୁ ଆସୁଛନ୍ତି । ଜନସଂଘରୁ ବିଜେପି ପର୍ଯ୍ୟନ୍ତ, କାୟସ୍ଥ ସମ୍ପ୍ରଦାୟ ବିଜେପିର ମୂଳ ଭୋଟ ବ୍ୟାଙ୍କ ହୋଇ ରହିଆସିଛି । ତେଣୁ ଜାତିଗତ ସମୀକରଣ ଦୃଷ୍ଟିରୁ ମଧ୍ୟ ନୀତିନ ନବୀନ ବିଜେପି ପାଇଁ ଫିଟ୍ ବସିଛନ୍ତି ।  ଖାଲି ସେତିକି ନୁହେଁ, ନୀତିନ ନବୀନଙ୍କ ଶାନ୍ତ ସ୍ୱଭାବ, ବିନା ବିବାଦରେ କାମ ମଧ୍ୟ ବେଶ ପରିଚିତ । ତେଣୁ ଏଭଳି ଜଣେ ନେତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରି ବିଜେପି କେବଳ ନିଜର ଭବିଷ୍ୟତର ରଣନୀତି ନେଇ ସଙ୍କେତ ଦେଇନି, ବରଂ ୨୦୨୯ ନିର୍ବାଚନ ପାଇଁ ଏବେଠୁ ମୂଳଦୂଆକୁ ମଝୁବତ କରିବା ଆରମ୍ଭ କରିଛି ।