କନକ ବ୍ୟୁରୋ : ଧନରେ କି ଶୀତ ହେଉଛି କହିଲୁ , ତୁ ସୀମାରେ ବନ୍ଧୁକ ଧରି ଛିଡ଼ା ହୋଇ ଦେଶକୁ ସୁରକ୍ଷା ଦେଇଥିଲୁ ସହିଦ୍ ହେଲା ପରେ ବି ସହରକୁ ସୁରକ୍ଷା ଦେଉଛୁ । ତତେ କ’ଣ ଶୀତ ଲାଗୁନି । ତୁ ଚିନ୍ତା କରନା ମୁଁ ତତେ କମ୍ବଳ ଘୋଡ଼େଇ ଦେଇଛି । ତତେ ଆଉ ଶୀତ ଛୁଇଁବନି ତୋ ମା’ର ସ୍ନେହଭରା ଏ ଶୀତବସ୍ତ୍ରରେ ମୁଁ ତତେ ଢାଙ୍କି ଦେଇଛିରେ ଧନ …
ୱାଟର୍ ହିଟର୍ ବ୍ୟବହାର କରୁଥିଲେ ସାବଧାନ ! ନେଇଗଲା ୨ ଭଉଣୀଙ୍କ ଜୀବନ
ଜମ୍ମୁର ହାଡ଼ଭଙ୍ଗା ଶୀତ ଭିତରେ ଥଣ୍ଡା କୋହଲା ପବନ ବୋହୁଛି । ପାରଦ ମାଇନସ୍ ଡିଗ୍ରିରେ ଚାଲିଛି । ଆଉ ଜମ୍ମୁର ଅର୍ଣ୍ଣିଆ ଛକରେ ଛିଡ଼ା ହୋଇଥିବା ସହିଦ ପୁଅର ପ୍ରତିମା ଉପରେ କମ୍ବଳ ଘୋଡ଼ାଇ ମାତୃତ୍ବର ଦିଟୋପା ଲୁହ ନିଗାଡ଼ି ଜଣେ ଅଭାଗା ମା’ତା’ ପୁଅକୁ ଜଗି ରହିଛି । ଏ ହୃଦୟସ୍ପର୍ଶୀ ଦୃଶ୍ୟ ଯାହା ଆଖିରେ ପଡୁଛି ସେ ଆହାଃ ପଦେ କହୁଛି । ୮ ବର୍ଷ ତଳେ ଏହି ଶୀତରେ ଯବାନ ପୁଅ ଯେତେବେଳେ ବାହାରକୁ ଯାଉଥିଲା ମା’ ସ୍ବେଟର ଓଢ଼େଇ କହୁଥିଲେ ପୁଅରେ ଭଲରେ ଯିବୁ ଭଲରେ ଆସିବୁ । ଆଉ ଆଜିର ଦିନରେ ଯେତେବେଳେ ସେହି ପୁଅ ଦେଶମାତୃକା ପାଇଁ ସହିଦ ହୋଇଛି ଜନ୍ମକଲା ମା’ ତାକୁ ପାଶୋରି ପାରିନି । କମ୍ବଳ ଆଣି ଘୋଡ଼ାଇ ଦେଇଛି କାଳେ ତା’ ପୁଅକୁ ଶୀତ ହେଉଥିବ । ଏ କାହାଣୀ ହେଉଛି ସହିଦ ଗୁରନାମ ସିଂ ଏବଂ ତାଙ୍କ ମା’ ଜସୱନ୍ତ କୌରଙ୍କର । ଜଣେ ଏମିତି ମା’ ଯାହାଙ୍କ ପୁଅ ମରିନି ବରଂ ସୀମାରୁ ଫେରି ପଥରର ମୂର୍ତ୍ତି ପାଲଟିଯାଇଛି ।
ସହିଦ ହେବା ପରେ ବର୍ଷ ୨୦୨୧ ରେ ଯେତେବେଳେ ଅର୍ଣ୍ଣିଆରେ କନଷ୍ଟେବଳ ଗୁରନାମ ସିଂଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଲା ସେତେବେଳେ ଆଖପାଖ ଅଞ୍ଚଳର ଲୋକଙ୍କ ଆଖି ଜକେଇ ଆସିଥିଲା । କିନ୍ତୁ ମା’ ଜସୱନ୍ତଙ୍କ ପାଇଁ ତାଙ୍କ ଶୂନ୍ୟ କୋଳ ପୁଣି ଥରେ ପୂର୍ଣ୍ଣ ହେବା ଭଳି ଅନୁଭବ ଥିଲା । ପୁଅ ପ୍ରତିମୂର୍ତ୍ତିକୁ ଗେଲ କରି କୁଣ୍ଢାଇ ମା’ ତାଙ୍କ ମମତାକୁ ପ୍ରତିମୂର୍ତ୍ତି ଦେହରେ ଢ଼ାଳି ଦେଇଥିଲେ । ଆଉ ସେହି ଦିନଠାରୁ ପ୍ରତିବର୍ଷ ଶୀତ ଆସିଲେ ନୂଆ କମ୍ବଳଟିଏ କିଣି ପୁଅ ପ୍ରତିମୂର୍ତ୍ତି ପାଖକୁ ଆସି ଘୋଡ଼ାଇ ଦେଇ ମା’ ଜସୱନ୍ତ ବଡ଼ ଶାନ୍ତିରେ ଆଉଁସି ଘରକୁ ଚାଲିଯାଆନ୍ତି । ସତେ ଯେମିତି ପୁଅ ଖୋଜୁଥିଲା ମା’ର କମ୍ବଳ । ମା’ ସିନା ମୂର୍ତ୍ତି ଦେହରେ ମମତା ଢ଼ାଳିଦିଏ ହେଲେ ଦେଖିବା ଲୋକଙ୍କ ଆଖିରୁ ଧାର ଧାର ଲୁହ ବୋହିପଡ଼େ । ଦିନେ ୨୬ ବର୍ଷର ଯବାନ ପୁଅକୁ ବିବାହ କରାଇବା ପାଇଁ ସ୍ବପ୍ନ ଦେଖୁଥିବା ମା’ କ’ଣ ଜାଣିଥିଲା ଯେ ପୁଅ ପୂର୍ବରୁ ତା’ ପ୍ରେୟସୀକୁ ବାଛି ସାରିଛି । ବିଏସଏଫ୍ କନେଷ୍ଟବ ଗୁରନାମ ସିଂଙ୍କ ପାଇଁ ପ୍ରେୟଶୀ ଥିଲା ଦେଶ ଆଉ ପ୍ରେମ ଥିଲା ଭାରତ ଭୂମି । ଗୁରନାମ ପ୍ରତିଦିନ ମା’ଙ୍କୁ କହୁଥିଲେ ମା’ ମୁଁ ଯଦି କେବେ ସହିଦ ହୁଏ ତୁ କାନ୍ଦିବୁନି ଆଉ ମା’ ମଧ୍ୟ ପୁଅର ଏହି ପଦିଏ କଥାକୁ ଏଯାବତ୍ ଲକ୍ଷ୍ମଣଗାର ଭଳି ପାଳନ କରିଛନ୍ତି । ନା’ କେବେ କାନ୍ଦିଛନ୍ତି ନା’ କେବେ କାହା ଦୟାର ପାତ୍ର ହୋଇଛନ୍ତି । କେବଳ ପୁଅ ପ୍ରତି ନିର୍ଭେଜାଲ ଭଲପାଇବା , ପ୍ରେମ ଏବଂ ମାତୃତଭାବକୁ ଅଜାଡ଼ି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜନନୀ ଜସୱନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/12/sahid-son-2026-01-12-20-39-26.jpg)