କନକ ବ୍ୟୁରୋ : "ଯଦି ଆପଣଙ୍କୁ ସଂଘ ମୁସଲିମ୍ ବିରୋଧୀ ମନେହେଉଛି, ତେବେ ଆପଣ ନିଜର ଧାରଣା ବଦଳାନ୍ତୁ । ମୁଁ କହୁଛି ଯେ ଏବେ ଆଉ ବୁଝାଇବାର ଆବଶ୍ୟକତା ନାହିଁ, କାରଣ ବୁଝିବା ପାଇଁ ଆପଣଙ୍କ ସାମ୍ନାରେ ବହୁତ କିଛି ରହିଛି ।" ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ । ଗତ ଡିସେମ୍ବର ୨୧ରେ ସଂଘର ମୁସଲିମ୍ ବିରୋଧୀ ଆଭିମୁଖ୍ୟକୁ ନେଇ ମୋହନ ଭାଗବତଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଯାହାକୁ ନେଇ ସେ ଏହି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, "ଆରଏସଏସ ମୁସଲିମ୍ ବିରୋଧୀ ନୁହେଁ । ଯେଉଁମାନେ ଏହାକୁ ନିକଟରୁ ଦେଖିବାକୁ ଚାହୁଛନ୍ତି, ସେମାନେ ଆସିପାରିବେ । ଆରଏସଏସର ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା ରହିଛି ।"

Advertisment

ପଶ୍ଚିମବଙ୍ଗର ଚାରି ଦିନିଆ ଗସ୍ତରେ ଥିବା ସଂଘ ସଞ୍ଚାଳକ ମୋହନ ଭାଗବତ କୋଲକାତାର ସାଇନ୍ସ ସିଟି ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ଲୋକଙ୍କ ମନରେ ଏକ ଭୁଲ ଧାରଣା ରହିଛି ଯେ ସଂଘ ମୁସଲିମ୍ ବିରୋଧୀ, କିନ୍ତୁ ପ୍ରକୃତରେ କାହା ପାଇଁ ସଂଘରେ କୌଣସି ଦ୍ୱାର ବନ୍ଦ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ଆପଣଙ୍କୁ ସଂଘ ମୁସଲିମ୍ ବିରୋଧୀ ମନେହେଉଛି, ତେବେ ଆପଣ ନିଜର ଧାରଣା ବଦଳାନ୍ତୁ । ମୁଁ କହୁଛି ଯେ ଏବେ ଆଉ ବୁଝାଇବାର ଆବଶ୍ୟକତା ନାହିଁ, କାରଣ ବୁଝିବା ପାଇଁ ଆପଣଙ୍କ ସାମ୍ନାରେ ବହୁତ କିଛି ଉପଲବ୍ଧ ଅଛି । କେବେ ଆସି RSSକୁ ପାଖରୁ ଦେଖନ୍ତୁ । ଯଦି ତା’ପରେ ବି ଆପଣଙ୍କୁ ଲାଗୁଛି ଯେ ଆମେ ମୁସଲିମ୍ ବିରୋଧୀ, ତେବେ ସେଭଳି ଧାରଣା ରଖନ୍ତୁ ।" 

ଅଧିକ ପଢ଼ନ୍ତୁ---ମଡେଲ୍ ହସ୍ପିଟାଲ୍ ନା ମରଣଯନ୍ତା? ମୋବାଇଲ୍ ଲାଇଟରେ ଚାଲିଛି ଚିକିତ୍ସା

"ଯିଏ ସଂଘକୁ ବୁଝିବାକୁ ଚାହୁନାହାନ୍ତି, ତାଙ୍କୁ ବୁଝାଇ କିଛି ଲାଭ ନାହିଁ । ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଥରେ ଆସିକି ଦେଖନ୍ତୁ, ତା’ପରେ ଆପଣଙ୍କର ଯେଉଁଭଳି ମତ ହେବ, ତାହାହିଁ ରଖନ୍ତୁ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଲୋକ ଆମକୁ ଦେଖିବାକୁ ଆସିଛନ୍ତି ଏବଂ ଦେଖିବା ପରେ ସେମାନେ ସ୍ୱୀକାର କରିଛନ୍ତି ଯେ ସଂଘ ମୁସଲିମ୍ ବିରୋଧୀ ନୁହେଁ । କହିଛନ୍ତି ଆପଣମାନେ କଟ୍ଟର ରାଷ୍ଟ୍ରବାଦୀ ଏବଂ ହିନ୍ଦୁଙ୍କ ସଂରକ୍ଷଣ ସପକ୍ଷରେ ଅଛନ୍ତି, କିନ୍ତୁ ମୁସଲମାନମାନଙ୍କ ବିରୋଧୀ ନୁହନ୍ତି ।

ସଂଘ ମୁଖ୍ୟଙ୍କ କହିବା ଅନୁଯାୟୀ, "ମୁସଲମାନମାନଙ୍କୁ ଏହା ବୁଝିବାକୁ ହେବ ଯେ ପୂଜା-ପଦ୍ଧତି ଦୃଷ୍ଟିରୁ ସେମାନେ ଅଲଗା ହୋଇପାରନ୍ତି, କିନ୍ତୁ ସଂସ୍କୃତି, ରାଷ୍ଟ୍ର ଏବଂ ସମାଜ ଦୃଷ୍ଟିରୁ ଦେଖିଲେ ସମସ୍ତେ ଗୋଟିଏ ବଡ଼ ଏକକର ଅଂଶବିଶେଷ । କେବଳ ଏତିକି ବୁଝିଗଲେ ସବୁକିଛି ଠିକ୍ ହୋଇଯିବ । ଏହା ବ୍ୟତୀତ ଅନ୍ୟ କୌଣସି ବଡ଼ ସମସ୍ୟା ନାହିଁ ।" ପଶ୍ଚିମବଙ୍ଗ ଗସ୍ତ ସମୟରେ ମୁର୍ଶିଦାବାଦ ବାବ୍ରି ମସଜିଦକୁ ନେଇ ବି ପ୍ରତିକ୍ରିୟା ଦେଇଛନ୍ତି ମୋହନ ଭାବଗତ । ସେ କହିଛନ୍ତି "ଏକ ବିବାଦ ଆରମ୍ଭ ହୋଇଥିଲା ଏବଂ ଶେଷରେ ମାମଲା କୋର୍ଟକୁ ଯାଇଥିଲା । ଦୀର୍ଘ ସମୟ ଧରି ବିଚାର କରିବା ପରେ କୋର୍ଟ ନିଷ୍ପତ୍ତି ଶୁଣାଇଲେ ଏବଂ ସେଠାରେ ରାମ ମନ୍ଦିର ନିର୍ମାଣ ହେଲା । ଏହା ସହିତ ମନ୍ଦିର-ମସଜିଦ ବିବାଦ ସମାପ୍ତ ହୋଇଗଲା । ଏବେ ପୁଣି ଥରେ ବାବ୍ରି ମସଜିଦ ନିର୍ମାଣ କଥା କହି ସେହି ପୁରୁଣା ବିବାଦକୁ ଆରମ୍ଭ କରାଯାଉଛି। ଏହା ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର । କେବଳ ଭୋଟ୍ ପାଇଁ ଏଭଳି କରାଯାଉଛି । ଏହା ନା ମୁସଲମାନଙ୍କ ପାଇଁ ଭଲ ନା ହିନ୍ଦୁଙ୍କ ପାଇଁ । ଯେତେବେଳେ ବିବାଦ ଶେଷ ହୋଇ ଏକ ସଦଭାବନା ସୃଷ୍ଟି ହେବାକୁ ଯାଉଛି, ସେତିକି ବେଳେ ଏହିଭଳି ଭାବେ ପୁଣି ଥରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ାଇବାକୁ ପ୍ରୟାସ କରାଯାଉଛି । ଏପରି ହେବା ଆଦୌ ଉଚିତ ନୁହେଁ ।"