Mohamad Shami Photograph: (Kanak news)
କନକ ବ୍ୟୁରୋ : ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ଦଳ ଘୋଷଣା ହେବା ପରେ ଫାଷ୍ଟ ବୋଲର ମହମ୍ମଦ ସାମି ପୁଣି ଥରେ ଟିମ୍ ଇଣ୍ଡିଆରେ ସାମିଲ ହୋଇନଥିବାରୁ ଚର୍ଚ୍ଚାକୁ ଆସିଛନ୍ତି । ସାମି ବର୍ତ୍ତମାନ ରଣଜୀ ଟ୍ରଫିରେ ବେଙ୍ଗଲ ପାଇଁ ଖେଳୁଛନ୍ତି । ସାମି ବେଙ୍ଗଲ ପାଇଁ ମଧ୍ୟ ଶକ୍ତିଶାଳୀ ବୋଲିଂ କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଦଳରେ ଚୟନ ନକରିବା ଉପରେ ଏକ ବଡ ପ୍ରଶ୍ନ ଉଠିଛି ।
ରଣଜୀ ଟ୍ରଫିରେ ଖେଳାଯାଇଥିବା ଶେଷ ତିନୋଟି ମ୍ୟାଚରେ ସାମି ୧୫ଟି ୱିକେଟ୍ ନେଇଛନ୍ତି । ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚରେ ସାମି ୭ ୱିକେଟ୍ ନେଇଥିଲେ । ତେବେ ଦଳରେ ତାଙ୍କୁ ଚୟନ ନକରିବା ପଛରେ କେବଳ ତାଙ୍କ ବୋଲିଂ ଏବଂ ପ୍ରଦର୍ଶନ ନୁହେଁ, ଦଳ ପରିଚାଳନାର ରଣନୀତି ମଧ୍ୟ ରହିଛି । ଏହା ବ୍ୟତୀତ ସାମି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପ୍ରତିକ୍ରିୟା ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ, ଯେଉଁ କାରଣରୁ ତାଙ୍କୁ କ୍ଷତି ସହିବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଚୟନ ପରେ ଅଜିତ ଅଗରକର ଏବଂ ମହମ୍ମଦ ସାମିଙ୍କ ମଧ୍ୟରେ ମତଭେଦର ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଏବଂ ଟି -୨୦ ସିରିଜ୍ ପାଇଁ ସାମିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇନଥିଲା । ଏହାର କାରଣ ଦର୍ଶାଯାଇଥିଲା ଯେ ସାମି ସମ୍ପୂର୍ଣ୍ଣ ଫିଟ୍ ନାହାଁନ୍ତି । ଏଭଳି ପରିସ୍ଥିତିରେ ଫିଟନେସ୍ ଉପରେ ପ୍ରଶ୍ନ ଉଠିବା ପରେ ସାମି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ରଣଜୀ ଟ୍ରଫି ମ୍ୟାଚ୍ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସାମି ଅଗରକରଙ୍କ ଫିଟନେସ୍ ମନ୍ତବ୍ୟର ଉତ୍ତର ଦେଇ କହିଥିଲେ, “ଯଦି ମୁଁ ଏକ ଟେଷ୍ଟ ମ୍ୟାଚରେ ସାରା ଦିନ ଖେଳିପାରିବି ଏବଂ ବୋଲିଂ କରିପାରିବି, ତେବେ ଦିନିକିଆରେ କାହିଁକି ଖେଳିପାରିବି ନାହିଁ? ତୁମେ ଦେଖୁଛ ମୋ ଫିଟନେସ୍ କିପରି ଅଛି । ଏହା ବ୍ୟତୀତ ସାମି ଅଗରକରଙ୍କ ଫୋନ୍ କଲ୍ ବିଷୟରେ ମଧ୍ୟ କହିଥିଲେ ।
ଅଧିକ ପଢ଼ନ୍ତୁ--ମାଇଣ୍ତ ପ୍ରେସ୍ କରେ କପେ ଗରମ ଚା’
ସୂଚନାଯୋଗ୍ୟ ଯେ ମହମ୍ମଦ ସାମି ଦୀର୍ଘ ଦିନ ଧରି ଟେଷ୍ଟରେ ସାମିଲ ହୋଇନାହାଁନ୍ତି। ସାମି ଶେଷଥର ପାଇଁ ଜୁନ୍ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଖେଳିଥିଲେ । ତେବେ ସାମିଙ୍କୁ ଦିନିକିଆ ଏବଂ ଟି -୨୦ ରେ ଖେଳିବାର ସୁଯୋଗ ମିଳିଛି । ସାମି ଚଳିତ ବର୍ଷ ଆରମ୍ଭରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦିନିକିଆରେ ନଜର ଆସିଥିଲେ । ଏହା ବ୍ୟତୀତ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜରେ ମଧ୍ୟ ସେ ଦଳର ଏକ ଅଂଶ ଥିଲେ, କିନ୍ତୁ ଏହା ପରେ ସେ ଭାରତୀୟ ଦଳକୁ ଫେରିପାରି ନାହାଁନ୍ତି ।
ସାମି ଟିମ୍ ଇଣ୍ଡିଆ ପାଇଁ ୬୪ ମ୍ୟାଚ ଖେଳି ୨୨୯ ଓ୍ୱିକେଟ ନେଇଛନ୍ତି । ସେହିପରି ୧୦୮ ଦିନିକିଆ ଖେଳି ୨୦୬ ଓ୍ୱିକେଟ ହାସଲ କରିଛନ୍ତି । ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଥିବା ବେଳେ ଘରୋଇ କ୍ରିକେଟ ଜାରି ରଖିଛନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ କାହିଁକି ସ୍ଥାନ ମିଳୁନି ତାକୁ ନେଇ ଏବେ ପ୍ରଶ୍ନ ।
Follow Us