କନକ ବ୍ୟୁରୋ : ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଦେଶରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ଏମଜିଏନଆରଜିଏ ଲାଗୁ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା କି, ଗ୍ରାମାଞ୍ଚଳର ଲୋକଙ୍କୁ ନିଜ ଗାଁ ବା ପାଖାପାଖି ସ୍ଥାନରେ ସରକାର କାମ ଯୋଗାଇଦେବେ । ହେଲେ ଉତ୍ତରପ୍ରଦେଶରୁ ଆସିଥିବା ଏକ ଖବର ପ୍ରଘଟ ହେବା ପରେ ଏହି ଯୋଜନାରେ କିଭଳି ଦୁର୍ନୀତି ହେଉଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ।
ଭାରତୀୟ କ୍ରିକେଟ୍ ଟିମର ଜଣାଶୁଣା ବୋଲର ମହମ୍ମଦ ସାମି । ଯିଏ କି, କ୍ରିକେଟ ଖେଳରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ବିଳାଶପୂର୍ଣ୍ଣ ଘର, ଦାମୀ ଗାଡି ବ୍ୟବହାର କରୁଥିବା ମହମ୍ମଦ ସାମିଙ୍କ ଭଉଣୀ, ଭିଣୋଇ ଓ ଭଣଜାଙ୍କ ନାମରେ ରହିଛି ଜବ୍ କାର୍ଡ । ଅର୍ଥାତ ଏମଜିଏନଆରଜିଏ ଯୋଜନାରେ ସେମାନେ ମଜୁରୀ ଲାଗୁଥିବା କଥା ଉତ୍ତରପ୍ରଦେଶ ସରକାରଙ୍କ ନଥିପତ୍ର କହୁଛି । ନଥିପତ୍ର ମୁତାବକ ସାମିଙ୍କ ବିବାହିତା ଭଉଣୀ ଶବିନା ଏହି ଯୋଜନାରେ ପଞ୍ଜିକୃତ ଅଛନ୍ତି। ସେ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାରେ କାମ କରିଛନ୍ତି ଓ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରୀ ବାବଦ ଅର୍ଥ ସରକାର ଦେଇଛନ୍ତି । ଏନେଇ ଖବର ପ୍ରଘଟ ହେବା ପରେ ଶବିନାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ଉତ୍ତରପ୍ରଦେଶର ଅମରୋହାରେ ରହୁଥିବା ଶବିନାଙ୍କ ଶାଶୂ ଜଣେ ଗ୍ରାମ ପ୍ରଧାନ । ଆଲିଶାନ ବଙ୍ଗଳାରେ ରହୁଥିବା ଶବିନା ଓ ସାମିଙ୍କ ଭିଣୋଇ କୋଟିପତି ଅଟନ୍ତି । ହେଲେ ଯୋଗୀ ସରକାରଙ୍କ ତଥ୍ୟ କହୁଛି ଶବିନା ୨୦୨୧ ରୁ ୨୦୨୪ ମଧ୍ୟରେ ମନରେଗା ଯୋଜନାରେ ୩ ଶହ ଦିନ କାମ କରିଛନ୍ତି । ଏ ବାବଦରେ ତାଙ୍କ ବ୍ୟାଙ୍କ ଖାତାକୁ ୬୬ ହଜାର ଟଙ୍କା ସରକାର ଦେଇଛନ୍ତି । ଏହାସହ ଶବିନାଙ୍କ ପୁଅ ତଥା ସାମିଙ୍କ ଭଣଜା ମେଡିକାଲ ପଢୁଥିବା ବେଳେ ତାଙ୍କ ନାମରେ ମଧ୍ୟ ଜବ୍ କାର୍ଡ ରହିଛି ।
ଏନେଇ ଅଭିଯୋଗ ଆସିବା ପରେ ଅମରୋହା ଜିଲ୍ଲା ଅଧିକାରୀ ନିଧୀ ଗୁପ୍ତା କହିଛନ୍ତି କି, କ୍ରିକେଟର ମହମ୍ମଦ ସାମିଙ୍କ ଭଉଣୀ ଓ ଭିଣୋଇଙ୍କ ନାମରେ ଯେଉଁ ଜବ୍ କାର୍ଡ ଦୁର୍ନୀତି ହୋଇଛି ତା'ର ଯାଂଚ ମନରେଗା ନିର୍ଦ୍ଦେଶକଙ୍କ ଦ୍ୱାରା କରାଯିବ । ଏହି ମାମଲାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ।