କନକ ବ୍ୟୁରୋ : ଶିଶୁ ନିଖୋଜରେ ଲାଗୁନି ରୋକ । ନିଖୋଜ ଶିଶୁଙ୍କ ଟେର୍ ପାଉନି ପୋଲିସ । ରାଜ୍ୟର ସ୍ଥିତି ଶୁଣିଲେ ଆପଣ ହତବାକ୍ ହୋଇଯିବେ । ବିଗତ ପ୍ରାୟ ୨ ବର୍ଷ ଭିତରେ ୧୧ ହଜାର ଶିଶୁ ନିଖୋଜ ହୋଇଥିବା ବେଳେ, ଏବେ ବି ୩ ହଜାର ଶିଶୁଙ୍କ ପତ୍ତା ମିଳୁନି । ସେମାନେ କେଉଁଠି ଅଛନ୍ତି, କେମିତି ଅଛନ୍ତି କାହାକୁ ଜଣାନାହିଁ । ଆଶା କମ୍, ଆଶଙ୍କା ବେଶି ଭିତରେ ଦିନ କାଟୁଛନ୍ତି ବାପା ମାଆ । ଏଇ ଯେମିତି ବିଂଝାରପୁରର ପିହୁ ।
ପିହୁ ଏବେ ସ୍କୁଲ ଯାଆନ୍ତାଣି, ଦ୍ୱିତୀୟ ଶ୍ରେଣୀରେ ପଢ଼ନ୍ତାଣି । ଅଳି ଅଝଟ କରନ୍ତାଣି । ଖିଲି ଖିଲି ହସରେ ଫାଟି ପଡ଼ନ୍ତାଣି ଗାଁ ଦାଣ୍ଡ । ହେଲେ ସେଇ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୨ ବର୍ଷର କୁନି ଝିଅକୁ ସତେ ଯେମିତି ଗିଳିଦେଲା ପବନ । ୫ ବର୍ଷ ତଳେ ନିଖୋଜ ହୋଇଥିଲା, ଏଯାଏଁ ପତ୍ତା ମିଳିନି । ଖାଲି ବିଂଝାରପୁରର ପିହୁ କାହିଁକି ରାଜ୍ୟରେ ହଜାର ହଜାର ପିହୁଙ୍କ ମିଳୁନି ପତ୍ତା ! ୨ ବର୍ଷ ଭିତରେ ହଜିଲେଣି ପ୍ରାୟ ୧୧ ହଜାର ଶିଶୁ । ୮ ହଜାର ମିଳିଛନ୍ତି, ୩ ହଜାର ଏବେବି ନିଖୋଜ ।
ଅଧିକ ପଢ଼ନ୍ତୁ : ଏମିତି ବି ଆସେ ମୃତ୍ୟୁ; ଦିନକରେ ଚାଲିଗଲା ୩ ଚାଷୀଙ୍କ ଜୀବନ
୨୦୨୪ ଜାନୁଆରିଠାରୁ ଏବେ ସୁଦ୍ଧା ନିଖୋଜ ଶିଶୁ ସମ୍ପର୍କିତ ୧୧ ହଜାର ୩୩୭ ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ୮ ହଜାର ୩୬୨ ଶିଶୁ ଉଦ୍ଧାର ହୋଇଥିବା ବେଳେ ୨ ହଜାର ୯୭୫ ଜଣଙ୍କର ପତ୍ତା ପାଉନି ପୁଲିସ । ଉଦବେଗର ବିଷୟ ହେଉଛି, ଅନେକ କ୍ଷେତ୍ରରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି, ଶିଶୁ ମଙ୍ଗଳ କମିଟି ଓ ଶିଶୁ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେଉଛନ୍ତି ପରିବାର । ସେମାନଙ୍କ ହସ୍ତକ୍ଷେପ ପରେ ତଦନ୍ତ ତ୍ୱରାନ୍ୱିତ କରୁଛି ପୁଲିସ । ସେତେବେଳକୁ ସମୟ ଗଡ଼ିବା ସହ ଛୁଆ ମିଳିବା ସମ୍ଭାବନା କମି କମି ଯାଉଛି ।
କେବଳ ଓଡ଼ିଶାରେ ନୁହେଁ, ଶିଶୁ ନିଖୋଜ ମାମଲା ସାରା ଦେଶରେ ବଢ଼ିବାରେ ଲାଗିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ, ୨୦୨୨ରେ ୮୩ ହଜାର ୩୫୦ ଶିଶୁ ନିଖୋଜ ହୋଇଥିଲେ । ୨୦୨୩ରେ ଏହା ୯୧ ହଜାର ୨୯୬କୁ ବଢ଼ିଥିଲା । ସେମାନଙ୍କ ମଧ୍ୟରୁ ନାବାଳିକାଙ୍କ ସଂଖ୍ୟା ଥିଲା ୬୮ ହଜାର ୮୩୫ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/14/missing-children-crisis-2025-12-14-21-29-14.png)