କନକ ବ୍ୟୁରୋ : ଶିଳ୍ପନଗରୀ ଝାରସୁଗୁଡ଼ାରେ ପୁଣି ଥରେ ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ସହରର ଜନଗହଳିପୂର୍ଣ୍ଣ ମଙ୍ଗଳବଜାର ଅଞ୍ଚଳରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ମଙ୍ଗଳବଜାର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ଏକ ଧଳା କପଡ଼ାରେ ଗୁଡ଼ା ହୋଇଥିବା କିଛି ବସ୍ତୁ ପଡିଥିବାର ଦେଖିବାକୁ ପାଇଥିଲେ । ସନ୍ଦେହ ହେବାରୁ ପାଖକୁ ଯାଇ ଦେଖିବା ବେଳକୁ ତାହା ଏକ ଶିଶୁର ମୃତଦେହ ବୋଲି ଜଣାପଡିଥିଲା । ଶିଶୁଟିର ଶରୀର ଗଠନରୁ ଏହା ଏକ ଅପରିପକ୍ୱ ଭ୍ରୂଣ ବୋଲି ଅନୁମାନ କରାଯାଉଛି । ସମ୍ଭବତଃ ଗର୍ଭାବସ୍ଥାର ୪ରୁ ୫ ମାସ ମଧ୍ୟରେ ହିଁ ଏହାର ଅପରିପକ୍ୱ ପ୍ରସବ କିମ୍ବା ଗର୍ଭପାତ କରାଯାଇ, କେହି ଏହାକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି ।

Advertisment

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଝାରସୁଗୁଡ଼ା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଏବଂ କିଏ ଏହି ଶିଶୁଟିକୁ ଏଭଳି ଅବସ୍ଥାରେ ଫିଙ୍ଗି ଦେଇଗଲା, ସେ ନେଇ ପୁଲିସ ତନାଘନା ଚଳାଇଛି । ମଙ୍ଗଳବଜାର ଅଞ୍ଚଳରେ ଏଭଳି ଘଟଣା ନୂଆ ନୁହେଁ । ପ୍ରାୟ ୫ ମାସ ତଳେ ମଧ୍ୟ ଠିକ୍ ଏହି ଅଞ୍ଚଳର ଏକ ଅଳିଆ ଗଦାରୁ ଜଣେ ନବଜାତ ଶିଶୁପୁତ୍ରକୁ କେହି ଫିଙ୍ଗି ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବାରମ୍ବାର ଏଭଳି ହୃଦୟବିଦାରକ ଘଟଣା ଘଟୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ଅଧିକ ପଢ଼ନ୍ତୁ--ଅଲୋଡ଼ା ହେଲା ଶିଶୁ ପୁତ୍ର: ବ୍ରିଜ ତଳୁ ଏକ ବ୍ୟାଗରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର