Rayagada Photograph: (Kanaknews)
କନକ ବ୍ୟୁରୋ: ରାୟଗଡା ସହରରେ ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ଶୌଚାଳୟ ଖତ ଖାଉଛି । ପାଖାପାଖି ୧ କୋଟି ଟଙ୍କା ଖତ ଖାଉଥିବା ବେଳେ ପୌରପରିଷଦର ଏଥିପ୍ରତି ଧ୍ୟାନ ନାହିଁ। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ରାୟଗଡ଼ା ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଶୌଚାଳୟର ଅବସ୍ଥା । କେଉଁଠି ରକ୍ଷଣାବେକ୍ଷଣର ଅଭାବରୁ ଭାଙ୍ଗିଯାଇଛି ତ’ ଆଉ କେଉଁଠି ଶୌଚାଳୟକୁ ପାଇପ ସଂଯୋଗ ହୋଇନି। ଅଧାରୁ ଅଧିକ ଶୌଚାଳୟରେ ତାଲା ଝୁଲୁଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟିଏ ଟଙ୍କା ଏଠି ଖତ ଖାଉଛି। ସହର ମଧ୍ୟରେ ଶୌଚାଳୟର ଏପରି ଅବସ୍ଥା ଯୋଗୁଁ ଉଠା ବ୍ୟବସାୟୀ, ଦୋକାନୀ ଓ ବାହାରୁ ଆସୁଥିବା ଯାତ୍ରୀ ଅସୁବିଧା ଭୋଗୁଛନ୍ତି। ପୌରପରିଷଦର ଦୂରଦୃଷ୍ଟିର ଅଭାବ ପାଇଁ ଶୌଚାଳୟ ଗୁଡ଼ିକ ଜରାଜୀର୍ଣ୍ଣ ହୋଇ ପଡିରହିଛି ।
ସୂଚନା ଅନୁସାରେ, ରାୟଗଡା ସହରରେ ୯ଟି ପରିସ୍ରାଗାର ଓ ୭୦ଟି କମ୍ୟୁନିଟି ଶୌଚାଳୟ ବାବଦକୁ ସମୁଦାୟ ୯୫ ଲକ୍ଷ ୮୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ପୌରପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ୨୭ ଲକ୍ଷ ୨୭ ହଜାର ଟଙ୍କା ବ୍ୟୟରେ ୯ଟି ପରିସ୍ରାଗାର ନିର୍ମାଣ କରାଯାଇଛି । ସେହିପରି ସହରର ୨୦ଟି ୱାର୍ଡରେ ୨୦୧୪ରୁ ୨୦୧୭ ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ୭୦ଟି ସିଟ୍ କମ୍ୟୁନିଟି ଶୌଚାଳୟ ନିର୍ମାଣ ହୋଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୬୮ ଲକ୍ଷ ୬୦ ହଜାର ଟଙ୍କା ।
ଅଧିକ ପଢନ୍ତୁ: ଗଜପତି ପାରଳାଖେମୁଣ୍ଡିରେ ସ୍ୱଚ୍ଛ ଭାରତ ଅଭିଯାନ ବାଟବଣା, ସହରର ୧୦ ରୁ ଅଧିକ ଶୌଚାଳୟ ଅଚଳ
ଆଉ ଏ ସବୁକୁ ସଜାଡ଼ିବା ପରିବର୍ତ୍ତେ ନୂଆ ଶୌଚାଳୟ ନିର୍ମାଣ ଯୋଜନା କରୁଛି ପୌରପରିଷଦ। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପଟେ ପୌର ପରିଷଦ ଅଧ୍ୟକ୍ଷ କହୁଛନ୍ତି, ଶୌଚାଳୟରୁ ସରଞ୍ଜାମ ଚୋରି ହୋଇଯାଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଶୌଚାଳୟ ଗୁଡ଼ିକର କାମ ଅତ୍ୟନ୍ତ ନିମ୍ନମାନର କାମ କରାଯାଇ ବିଲ୍ ଉଠାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୁର୍ନୀତିକୁ ଧରିବା ପାଇଁ ଦାବି କରିଛନ୍ତି ସାଧାରଣ ଲୋକ।
Follow Us