କନକ ବ୍ୟୁରୋ : ରାଜ୍ୟରେ ଚାଲିଥିବା ମିଲର୍ସ ଆନ୍ଦୋଳନକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏକ ବଡ଼ ବୟାନ ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଆନ୍ଦୋଳନ ସ୍ୱାଭାବିକ ନୁହେଁ, ବରଂ ଏହା ଅନ୍ୟ କାହା ଦ୍ୱାରା ପରିଚାଳିତ ହେଉଛି । ସରକାରଙ୍କୁ ହରଡ଼ଘଣାରେ ବା ଅଡୁଆରେ ପକାଇବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ସେ ଅଭିଯୋଗ କରିଛନ୍ତି । ରାଇସ ମିଲର୍ସ ଆସୋସିଏସନର ଏହି ଜିଦ୍ ଯୋଗୁଁ ରାଜ୍ୟର ବିଭିନ୍ନ ମଣ୍ଡିରୁ ଧାନ ଉଠିପାରୁ ନଥିବାରୁ ମନ୍ତ୍ରୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

Advertisment

ସମବାୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆନ୍ଦୋଳନ କରୁଥିବା ମିଲର୍ସମାନଙ୍କ ଦାବିରେ କୌଣସି ଯଥାର୍ଥତା ନାହିଁ । ଯଦିଓ ଯୋଗାଣ ବିଭାଗ ପକ୍ଷରୁ ମିଲର୍ସମାନଙ୍କ ସହ ବାରମ୍ବାର ଆଲୋଚନା ଓ ବିଚାରବିମର୍ଶ କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ନିଷ୍କର୍ଷ ବାହାରି ପାରିନାହିଁ । ସରକାର ଆପୋସ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି, କିନ୍ତୁ ମିଲର୍ସମାନଙ୍କ ଅସହଯୋଗ କାରଣରୁ ପ୍ରକ୍ରିୟା ଅଟକି ରହିଛି ।

ଅଧିକ ପଢ଼ନ୍ତୁ---ମାଆ ମୃତଦେହ କୋଳରେ ଧରି କାନ୍ଦୁଥିଲା ପୁଅ ; ହୃଦ୍‌ଘାତରେ ଚାଲିଗଲା ପୁଅର ଜୀବନ

ଏହି ବିବାଦ ଯୋଗୁଁ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜ୍ୟର ଚାଷୀକୂଳ । ମିଲର୍ସମାନେ ଧାନ ଉଠାଉ ନଥିବାରୁ ମଣ୍ଡିଗୁଡ଼ିକରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି । କଷ୍ଟଲବ୍ଧ ଅମଳ ବିକ୍ରି ହୋଇପାରୁ ନଥିବାରୁ ଚାଷୀମାନେ ଅତିଶୟ ହନ୍ତସନ୍ତ ହେଉଛନ୍ତି । ମନ୍ତ୍ରୀ କହିଛନ୍ତି, ଯଦି ମିଲର୍ସମାନେ ଧାନ ରଖିବେ, ତେବେ ଯାଇ ମିଲିଂ ପ୍ରକ୍ରିୟା ଆଗକୁ ବଢ଼ିପାରିବ । ସରକାର ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।