କନକ ବ୍ୟୁରୋ: ମକର ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ । ଆଦିବାସୀ ମାନଙ୍କ ପାଇଁ ଏହା ସବୁଠାରୁ ବଡ଼ ପର୍ବ ହୋଇଥିବା ବେଳେ ସେମାନେ ପ୍ରାୟ ଏକ ମାସ ଧରି ଖୁବ୍ ଧୁମଧାମ ଏହି ପର୍ବ ପାଳନ କରିଥାନ୍ତି । ନାଚ ଗୀତ ଓ ବିଭିନ୍ନ ପ୍ରକାରର ଖେଳ କୁଦ ସାଙ୍ଗକୁ ଯାତ୍ରା ଓ ମେଳାର ମଜା ଉଠାଉଛନ୍ତି ମୟୂରଭଞ୍ଜ ବାସୀ । ସହର ବଜାର ସବୁ ଶୂନଶାନ, ଗାଁ ଦାଣ୍ଡରେ ଲୋକଙ୍କ ଭିଡ଼ । ନାଚଗୀତ ସାଙ୍ଗକୁ, ଖେଳକୁଦରେ ଫାଟିପଡ଼ୁଛି ପରିବେଶ । ଯାତ୍ରା ଓ ମେଳାର ମଜା ଉଠାଉଛନ୍ତି କୁନି ପିଲା ଠୁ ଆରମ୍ଭ କରି ବୃଦ୍ଧ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଏକ ମାସ ଧରି ମକର ପର୍ବରେ ମସଗୁଲ ହୋଇଥାନ୍ତି ମୟୂରଭଞ୍ଜିଆ । ସାନ୍ତାଳୀ ସମ୍ପ୍ରଦାୟର ଲୋକେ ମକରକୁ ସାକ୍ରାତ୍ ପର୍ବ ଭାବେ ପାଳନ କରନ୍ତି । ମକର ସଂକ୍ରାନ୍ତିର ୧୫ ଦିନ ପୂର୍ବରୁ ଚଳଚଞ୍ଚଳ ହୋଇଉଠେ ମୟୂରଭଞ୍ଜ ମାଟି । ନୂଆ ମାଟିହାଣ୍ଡି, ଡ୍ରେସ୍ ସାଙ୍ଗକୁ ତିଳଉ, ଗୁଡ଼, ଚୁଡ଼ା, ଚାଉଳ ଓ ଉଖୁଡା କିଣିବାକୁ ହାଟ ବଜାରରେ ଜମେ ଭିଡ଼ । ଘରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରନ୍ତି ମହିଳା । ମକର ଦିନ ନୂଆ ବସ୍ତ୍ର ପିନ୍ଧି ନାଚ ଗୀତରେ ମାତିଯାଆନ୍ତି ପରିବାରର ପ୍ରତ୍ୟେକ ସଦସ୍ୟ ।
ଅଧିକ ପଢନ୍ତୁ: ଅଯୋଧ୍ୟାରେ ମକର ସଂକ୍ରାନ୍ତି ଉତ୍ସବ: ସରଜୁ ନଦୀରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ପବିତ୍ର ବୁଡ଼, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ମକର କୁମା ଓ ଟୁସୁ ପୂଜା ମକର ପର୍ବର ମହତ୍ତ୍ବକୁ ଦ୍ବିଗୁଣିତ କରିଥାଏ । ତାଳ ଓ ଖଜୁରୀ ବରଡ଼ାରେ ତିଆରି ହୋଇଥାଏ ଏହି ମକରକୁମା। ମକର ସଂକ୍ରାନ୍ତି ଦିନ ମକର କୁମାରେ ନିଆଁ ଲଗାଇ ମକର ପର୍ବର ଶୁଭାରମ୍ଭ ହୋଇଥାଏ । ଟୁସୁ ମଧ୍ୟ ମକର ପର୍ବ ସହ ଜଡ଼ିତ। ଇତିହାସ କୁହେ, ଟୁସୁ ଜଣେ କୁଡୁମି ଜମିଦାରଙ୍କ ଝିଅ ଥିଲେ । ଯିଏ ମୋଗଲ ରାଜାଙ୍କ କବଳରୁ ନିଜ ସତିତ୍ୱକୁ ରକ୍ଷା କରିବା ପାଇଁ କାଁସାଇ ନଦୀରେ ଲମ୍ପ ପ୍ରଦାନ କରିଥିଲେ । ସେବେଠୁ କୁଆଁରୀ ଝିଅ ଟୁସୁ ପୂଜା କରିଆସୁଥିବା କହିଛନ୍ତି ପ୍ରଫେସର ।ମୟୂରଭଞ୍ଜ ଓ ମକର ଦୁଇଟି ଶଦ୍ଦ ପରସ୍ପର ପରିପୂରକ ଭଳି ମନେ ହୁଏ । ମୟୂରଭଞ୍ଜରେ ମକର କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରାର ଏକ ନିଆରା ନିଦର୍ଶନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/17/mayurbhanj-makar-2026-01-17-18-35-54.jpg)