କନକ ବ୍ୟୁରୋ : ଆଜି ଭୋର୍ ପ୍ରାୟ ୪ ଘଟିକା ସମୟରେ ବଡ଼ବିଲର ସବୁଠୁ ବଡ ଲୁଗା ବ୍ୟବସାୟୀଙ୍କ ଘରେ ଓ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ, ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପରିବାରର ୯ ଜଣ ସଦସ୍ୟ। ଲୁଗା ବ୍ୟବସାୟୀ ହେଉଛନ୍ତି ବଡ଼ବିଲର ନାମୀଦାମୀ ଲୁଗା ଦୋକାନ ' ପରିବାର କ୍ଲୋଥ ଷ୍ଟୋର' ମାଲିକ ରୋହତାଶ ଅଗ୍ରୱାଲ । ମିଳିଥିବା ଖବରୁ, ଆଜି ଭୋର୍ ପ୍ରାୟ ୪ ଘଟିକରେ ବ୍ୟବସାୟୀଙ୍କ ନିଜ ବାସଭବନ(ବଡ଼ବିଲ ପୌରାଞ୍ଚଳ, ୬ ନମ୍ୱର୍ ୱାର୍ଡ, ମୋନୀ ଟାୱାର ସମ୍ମୁଖ)ରୁ ପ୍ରବଳ ଧୂଆଁ ବାହାରୁଥିବା ଜଣେ ପଥଚାରୀ ଦେଖିବାକୁ ପାଇଥିଲା ।
ସେ ସଙ୍ଗେ ସଙ୍ଗେ ବ୍ୟବସାୟୀଙ୍କ ଘର କବାଟ ବାଡେଇ ପରିବାର ଲୋକଙ୍କୁ ନିଆଁ ଲାଗିବା ନେଇ ଖବର ଦେବାପରେ, ସଙ୍ଗେ ସଙ୍ଗେ ଦ୍ଵିତୀୟ ମହଲରେ ରହୁଥିବା ପରିବାରର ଜଣେ ୩ ବର୍ଷର ଝିଅ, ଜଣେ ଦେଢ଼ ବର୍ଷର ଝିଅ ସହିତ ପରିବାରର ସମୁଦାୟ ୯ ଜଣ ପ୍ରାଣ ବିକଳରେ ସୁରକ୍ଷିତ ରାସ୍ତା ଦେଇ ପଦାକୁ ବାହାରି ଆସିଥିଲେ । ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେହେଁ ନିଆଁ ତଳ ମହଲା ଓ ପ୍ରଥମ ମହଲାରେ ବ୍ୟାପି ଯାଇଥିଲା । ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇନଥିବାବେଲେ, ନିକଟସ୍ଥ ବିଲେଇପଦା ଅଗ୍ନିଶମ ବିଭାଗ ଓ ଘରୋଇ ଜିନ୍ଦଲ କମ୍ପାନୀର ସମୁଦାୟ ୪ ଗୋଟି ଦମକଳ ଗାଡ଼ି ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ।
ଅଧିକ ପଢନ୍ତୁ : ବାରିପଦା ବନଖଣ୍ଡରେ ଜଙ୍ଗଲ ଅଗ୍ନିକାଣ୍ଡ , ଗାଁକୁ ମାଡ଼ିଆସୁଛି ନିଆଁ ଭୟରେ ଗ୍ରାମବାସୀ
କ୍ଷୟକ୍ଷତିର ସଠିକ ଆକଳନ କରାଯାଇନଥିଲେହେଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି । ତେବେ ଠିକ୍ ସମୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ କରିଥିଲେ ନିକଟରେ ଥିବା ଅନ୍ୟ ଘର ସହ ମୋନୀ ଟାୱାର ରେ ନିଆଁ ବ୍ୟାପିବାର ଆଶଙ୍କା ଥିଲା । ତେବେ ଖରା ଦିନ ଯୋଗୁ ବାହାର ନିଆଁ ପବନରେ ଉଡ଼ି ଆସି କିମ୍ବା କେହି ଦୁବୃର୍ତ୍ତ ଜାଣିଶୁଣି ବ୍ୟବସାୟୀଙ୍କ ତଳ ମହଲରେ ଥିବା ତୁଳା ଓ ଗଦି ସାମଗ୍ରୀରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ୍ ପହଞ୍ଚି ଅଗ୍ନିକାଣ୍ଡର ତଦନ୍ତ କରୁଥିବା ଜଣାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/joda-barbil-fire-2026-02-19-09-38-38.png)