Ganjei Mafia Photograph: (Kanak News)
କନକ ବ୍ୟୁରୋ : ଓଡ଼ିଶାରେ ଗଞ୍ଜେଇ ମାଫିଆଙ୍କ ନୂଆ ଚାଲ୍ ସମ୍ପର୍କରେ ଚମତ୍କାର ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ କେବଳ ଶୁଖିଲା ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ, ଏବେ ରାଜ୍ୟରେ ଗଞ୍ଜେଇ ତେଲ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି । ବିଶେଷକରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହି କାରବାର ଚାଲିଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଗଞ୍ଜେଇ ତେଲ ଆନ୍ତରାଜ୍ୟ ମାଧ୍ୟମରେ ଚୋରାଚାଲାଣ ହେଉଥିଲା । ରାଜ୍ୟ ବାହାରକୁ ଉଚ୍ଚ ଦାମରେ ଏହା ବିକ୍ରି ହେଉଥିବା ସନ୍ଦେହ ରହିଛି।
ଏହି ମାମଲାରେ ମୁଖ୍ୟ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଛି ଏବଂ ତାଙ୍କ ନିକଟରୁ କିଛି ପ୍ରମାଣ ଜବତ ହୋଇଛି ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଗଞ୍ଜେଇରୁ ତେଲ ତିଆରି କରିବା ପାଇଁ ଗୁପ୍ତ ଲ୍ୟାବ୍ ବ୍ୟବହାର କରାଯାଉଥିଲା । ଏହି ଆନ୍ତରାଜ୍ୟ ନେଟୱର୍କର ସୁରାଗ ଖୋଜିବାକୁ ପୁଲିସ୍ ତଦନ୍ତ ଜାରି ରଖିଛି । ଆଗାମୀ ଦିନରେ ଅଧିକ ଗିରଫ ଓ ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି ବୋଲି ପୁଲିସ୍ ସୂଚନା ଦେଇଛି । ସୂଚନା ଅନୁସାରେ, କୋରାପୁଟରେ ୨୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ବା ହାଶିଶ୍ ଅଏଲ୍ ଜବତ ହୋଇଥିଲା । କେବଳ ସେତିକି ନୁହେଁ, ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଚାଲିଥିବା ଏକ ଅସ୍ଥାୟୀ ଉତ୍ପାଦନ କେନ୍ଦ୍ରକୁ ମଧ୍ୟ ପୁଲିସ ଧ୍ୱଂସ କରିଥିଲା ।
ଅଧିକ ପଢନ୍ତୁ : ପୁଣି ଚର୍ଚ୍ଚାରେ ଓଡ଼ିଶା ଗଞ୍ଜେଇ, ଜବତ ହେଲା ୨୦୦ କୋଟିର ଗଞ୍ଜେଇ ତେଲ
ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଜଲାପୁଟ ଜଳାଶୟ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ଚାଲିଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ କାରବାର । କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ସଠିକ୍ ଗୁଇନ୍ଦା ସୂଚନାକୁ ଆଧାର କରି ପୁଲିସ ଏହି ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ପ୍ରାୟ ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଛି, ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
Follow Us