କନକ ବ୍ୟୁରୋ : ଅନେକ ସମୟରେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡ଼ିଛି । ହେଲେ ଏଥର କୋରାପୁଟ ପୁଲିସ ଜବତ କରିଛି ପ୍ରାୟ ୨୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ବା ହାଶିଶ୍ ଅଏଲ୍ । ୨ ଆନ୍ତରାଜ୍ୟ ଚୋରା ଚଲାଣକାରୀକୁ ଧରିବାରେ କୋରାପୁଟ ପୋଲିସ ସଫଳ ହୋଇଛି । ୨ଟି ମହେନ୍ଦ୍ରା ପିକଅପ ସହ ୪ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ପୁଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଛାପା ମାରୁଛି ।
ଏହା ବି ପଢ଼ନ୍ତୁ: ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ, ଧାନ ବସ୍ତା ରଖି ପ୍ରତିବାଦ
ଅଭିନେତା ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ବେଳେ ଚର୍ଚ୍ଚାକୁ ଆସିଥିଲା ଓଡ଼ିଶା ଗଞ୍ଜେଇ । ରାଜ୍ୟରେ ଏକ ଉତ୍କୃଷ୍ଟ ମାନର ଗଞ୍ଜେଇ ଥିବା ସାରା ଦେଶରେ ଆଲୋଚନାର ବିଷୟ ହୋଇଥିଲା । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଗଞ୍ଜେଇ । ହେଲେ ଏଥର ଗଞ୍ଜେଇ ତେଲକୁ ନେଇ । କୋରାପୁଟ ପାଡୁଆ ଥାନା ଅଞ୍ଚଳର ଏକ ଦୁର୍ଗମ ସ୍ଥାନରେ ଚାଲିଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ କାରବାର । ଗୁଇନ୍ଦା ସୂଚନା ଆଧାରରେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି ପ୍ରାୟ ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଛି । ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା । ଏହାସହ ନନ୍ଦପୁର ଥାନା ଅଙ୍କଲ ନିକଟରୁ ୪୬ ବସ୍ତାରେ ଥିବା ପ୍ରାୟ ଏକ କ୍ୱିଣ୍ଟାଲ ଶୁଖିଲା ଗଞ୍ଜେଇ ମଧ୍ୟ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ।
ଜଲାପୁଟରେ ପ୍ରସ୍ତୁତ ହୋଇଥିବା ତରଳ ଗଞ୍ଜେଇ କାରବାର ହରିଆଣାକୁ ଲମ୍ବିଥିବା ଜାଣିବାକୁ ପାଇଛି ପୁଲିସ । ମାଫିଆମାନେ ସେଠାରେ ଅସ୍ଥାୟୀ ଉତ୍ପାଦନ କେନ୍ଦ୍ର କରିଥିଲେ । ଗଞ୍ଜେଇ ତେଲ ପ୍ରସ୍ତୁତ କରିବା ପରେ ତାକୁ ଭାଙ୍ଗି ଫେରାର ହୋଇଯାଉଥିଲେ । କୋରାପୁଟ ଏସ୍ପି କହିଛନ୍ତି, ଜିଲ୍ଲାରେ ୨୦୨୫ରେ ଧରାପଡ଼ିଛି ୨୦ ଟନ୍ ଗଞ୍ଜେଇ । ୭୦ରୁ ୮୦ ଜଣଙ୍କୁ ଗିରଫ କରାଯାଇଛି । ନଷ୍ଟ କରାଯାଇଛି ୭୦୦ ଏକର ଗଞ୍ଜେଇ ଚାଷ ।
କୋରାପୁଟ ଜିଲ୍ଳାରେ ଗଞ୍ଜେଇ ଚାଷ କିଛି ନୂଆ କଥା ନୁହେଁ, କିନ୍ତୁ ଏହି ବ୍ୟବସାୟରେ ପରିବର୍ତନ ଏବଂ କାରବାରର ମୂଳରେ ପହଞ୍ଚିବା ପୁଲିସ ପାଇଁ ଚିନ୍ତାର କାରଣ । ଏବେ ପ୍ରଶ୍ନ ଉଠୁଛି ଗଞ୍ଜେଇ ତେଲ କାରବାରର ମୁଖ୍ୟ କାର୍ପଟଦାର କିଏ? ମାଷ୍ଟର ମାଇଣ୍ଡ ପାଖରେ କେବେ ପହଞ୍ଚିବ ପୁଲିସ? କୋରାପୁଟରୁ କେତେ ବାଟ ଲମ୍ବିଛି ଗଞ୍ଜେଇ ଚେର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/26/21-ganjei-2026-02-26-20-22-46.jpg)