କନକ ବ୍ୟୁରୋ: ରାଜ୍ୟରୁ ଗଞ୍ଜେଇ ଚୋରା ଚାଲାଣ ବନ୍ଦ କରିବାକୁ ଡିଜିପିଙ୍କ କଡା ନିର୍ଦେଶ । ଜିଲ୍ଲା ମାନଙ୍କରେ କୋଟି କୋଟି ଟଙ୍କାର ଏହି ନୀଳ ଜହର କାରବାର କରୁଥିବା ମାଫିଆଙ୍କୁ ବାନ୍ଧି ଜେଲରେ ଭର୍ତିକର। ହେକ୍ଟର ହେକ୍ଟର ଜମିରୁ ଗଞ୍ଜେଇ ଗଛ କାଟି ସଫା କର। ଏଥିରେ ବାଧା ସୃଷ୍ଟି କଲେ, କଡା କାର୍ଯାନୁଷ୍ଠାନ ଗ୍ରହଣ କର। ସମସ୍ତ ଜିଲ୍ଲାର ଏସପିଙ୍କୁ କିଛି ଏହିଭଳି ନିର୍ଦେଶ ଦେବା ପରେ ଏବେ ଆକ୍ସନ ମୋଡକୁ ଆସିଛି ପୁଲିସ।
- ଗଞ୍ଜେଇ ମାଫିଆଙ୍କ ପଛରେ କିଏ?
- ନୀଳ ଜହରରୁ କାହାର ପଡୁଛି କେତେ ଭାଗ?
- ଡିଜିପିଙ୍କ ନିର୍ଦ୍ଦେଶ, ଗଞ୍ଜେଇ ମାଫିଆଙ୍କୁ ସାବାଡ଼ କର
ଗତ କିଛିଦିନ ଭିତରେ ଗଞ୍ଜେଇ ନଷ୍ଟ କରି ରେକର୍ଡ କରିଛନ୍ତି ବିଭିନ୍ନ ଜିଲ୍ଲାର ପୁଲିସ। ଯେମିତି ଜିଲ୍ଲା ମାନଙ୍କ ଭିତରେ ଗଞ୍ଜେଇ ଧରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସବୁଠୁ ବଡକଥା ଡିଜିପିଙ୍କ ନିର୍ଦେଶ ପରେ, ଏହି ଗଞ୍ଜେଇ ନଷ୍ଟ କରିବାକୁ ଜିଲ୍ଲା ପୁଲିସ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ହେଲେ ପୁର୍ବରୁ କାହିଁକି ଏମାନେ ଚୁପ ଥିଲେ ବୋଲି ପ୍ରଶ୍ନ ଉଠିଛି।
କିଛି ଅସାଧୁ ଅଫିସରଙ୍କ ଯୋଗୁ ପୁଲିସକୁ ଅପବାଦ ମୁଣ୍ଡାଇବାକୁ ପଡୁଛି। ମାଫିଆଙ୍କ ସହ ପୁଲିସ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ, ବେଧଡକ ଭାବେ ରାଜ୍ୟରେ ଗଞ୍ଜେଇ ଚୋରା ଚାଲାଣ ଚାଲିଛି। ଏପରିକି ରେଡ୍ ପୁର୍ବରୁ ଆଗୁଆ ସୁଚନା ଦେଇ ମାଫିଆଙ୍କୁ ଖସାଇ ଦିଆଯାଉଥିବା ବି ନଜିର ରହିଛି। ଲାଞ୍ଚୁଆ ଅଫିସର ମାନେ ଏହି ଦଲାଲଙ୍କ ସହ ହାତ ବି ମିଳାଇଥିବା ଅଭିଯୋଗ ରହିଥିବା ପୁର୍ବତନ ପୁଲିସ ଡିଜି କହିଛନ୍ତି।
ଆକ୍ସନ ମୋଡରେ ଡିଜିପି। ଗଞ୍ଜେଇ ଚାଷୀ ଓ ଚାଷକୁ ମୁଳପୋଛ କରିବାକୁ ପୁଲିସର ନୁଆ ଷ୍ଟ୍ରାଟେଜି କଣ ରହିବ ସେନେଇ ଡିଜି କ୍ୟାମ୍ପ ଅଫିସରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୁଣ୍ଣ ବୈଠକ ଆୟୋଜନ କରାଯାଇଥିଲା। ଯେଉଁଥିରେ ନୀଳ ଜହର କାରବାର କରୁଥିବା ମାଫିଆଙ୍କୁ ବାନ୍ଧି ଜେଲରେ ଭର୍ତିକରିବାକୁ ନିର୍ଦ୍ଦେଶ ଦେଇଥିଲେ ଡିଜି। ତେବେ ମାଫିଆଙ୍କ ସହ ହାତ ମିଶାଇଥିବା ଅଫିସରଙ୍କ ଏକ ଲମ୍ୱା ତାଲିକା ବି ପ୍ରସ୍ତୁତ କରୁଛି ଡିଜିପିଙ୍କ ଟିମ୍।