Samay-Marry Photograph: (KanakNews)
କନକ ବ୍ୟୁରୋ : ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରାଇନା ଥରେ କହିଥିଲେ ଯେ ଜଣେ ଜୀବିତ ବ୍ୟକ୍ତିଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବା ଉଚିତ ନୁହେଁ କାରଣ ଏହା ତାଙ୍କ ଅସମ୍ମାନ ପାଇଁ ନୁହେଁ ବରଂ ସତର୍କତା ପାଇଁ କରିବା ଦରକାର । ଜଣେ ଜୀବିତ ବ୍ୟକ୍ତିଙ୍କ କାହାଣୀ ସମ୍ପୁର୍ଣ୍ଣ ନଥାଏ । ମଣିଷ ସମୟର କ୍ରୀତଦାସ ତେଣୁ କେତେବେଳେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିବ କିଏ କହିପାରିବ । ତେଣୁ ସମୟ ଅନୁସାରେ ମତାମତ ମଧ୍ୟ ବଦଳେ ଏବଂ ଯାହା ଆଜି ଯାହା ପ୍ରେରଣାଦାୟକ ମନେ ହେଉଛି ତାହା ଆସନ୍ତାକାଲି ବିବାଦୀୟ ମଧ୍ୟ ହୋଇପାରେ । ବାୟୋପିକ୍ ଉକ୍ତ ବ୍ୟକ୍ତିଙ୍କର କେବଳ ଗୋଟିଏ ରୂପକୁ ସ୍ଥାୟୀ କରିଦିଏ ଏବଂ ଦୁନିଆ ତାହାକୁ ହିଁ ସତ୍ୟ ବୋଲି ଧରିନିଏ । ତେବେ ସମୟଙ୍କ ଏହି କଥା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ୟୁଜର୍ସ ମେରୀ କମଙ୍କ ସହ ତୁଳନା କରୁଛନ୍ତି ।
ଦିନେ କହୁଥିଲେ ସେ ମୋର ମେରୁଦଣ୍ଡ : ଆଜି କହୁଛନ୍ତି ଅସଫଳ ସ୍ବାମୀ
ଭାରତର ଅଲିମ୍ପିକ୍ ପଦକ ବିଜେତା ଏବଂ ୬ ଥର ବିଶ୍ୱ ଚାମ୍ପିଅନ୍ ବକ୍ସର ରହିଥିବା କିମ୍ବଦନ୍ତୀ ଆଥଲେଟ୍ ମେରୀ କମ୍ ତାଙ୍କ ବାୟୋପିକର ବହୁ ବର୍ଷ ପରେ ଏବେ ସମାଲୋଚନାର ଶିକାର ହୋଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କୁ ଭୟଙ୍କର ଭାବରେ ଟ୍ରୋଲିଂ କରାଯାଉଛି । ୟୁଜର୍ସ କହୁଛନ୍ତି ଯେ ପ୍ରକୃତ ମଣିଷମାନେ କୌଣସି ସ୍ଥିର ଚରିତ୍ରର ନୁହନ୍ତି । ବୋଧହୁଏ କିଛି କାହାଣୀ ଜୀବନ ସରିବା ପରେ ହିଁ କୁହାଯିବା ଉଚିତ । ମେରୀ କମଙ୍କୁ ଆମେ କ’ଣ ବୋଲି ଭାବୁଥିଲୁ ଏବଂ ସେ ବର୍ତ୍ତମାନ କ’ଣ କରୁଛନ୍ତି । ନିକଟରେ ମେରୀ ଏକ ସାକ୍ଷାତକାରରେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ୫ କୋଟି ଟଙ୍କା ଚୋରି ସହିତ ପୂର୍ବତନ ସ୍ବାମୀ କିଛି କାମ ନକରି ତାଙ୍କ ଟଙ୍କା ଉଡ଼ାଉଥିବା କଥା କହିଥିଲେ । ଯେଉଁଥିପାଇଁ ସେ ଛାଡ଼ପତ୍ର ନେବାକୁ ଇଚ୍ଛା କଲେ ବୋଲି କହିଥିଲେ ।
ତେବେ ମେରୀ କମଙ୍କ ଏହି ଅଭିଯୋଗ ପରେ ପୂର୍ବତନ ସ୍ବାମୀ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ମେରୀ କମଙ୍କ ଏକାଡେମୀରୁ ଆରମ୍ଭ କରି ତାଙ୍କ ଅଫେୟାର୍ ସବୁ ବିଷୟରେ କହିଥିଲେ କାରୁଙ୍ଗ୍ ଓନଖୋଲାର । ଏମିତିକି ସେ କିଭଳି ଅବସ୍ଥାରେ ଦିଲ୍ଲୀର ଏକ ଭଡ଼ା ଘରେ ରହୁଛନ୍ତି ତାହାକୁ ନେଇ ମଧ୍ୟ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରି କହିଥିଲେ କାରୁଙ୍ଗ୍ । ମେରୀଙ୍କ ପ୍ରତି ପ୍ରେମ ପାଇଁ ଦିନେ ସେ ନିଜ କ୍ୟାରିୟର କଥା ଚିନ୍ତା ନକରି ପତ୍ନୀଙ୍କ ମେରୁଦଣ୍ଡ ସାଜିଥିଲେ କିନ୍ତୁ ସଫଳତା ହାସଲ କରିବା ପରେ ମେରୀ ତାଙ୍କୁ ଅସଫଳ ବ୍ୟକ୍ତି ଏବଂ ସ୍ତ୍ରୀ ପଇସାରେ ଚଳୁଥିବା ସ୍ବାମୀ କହି ଅସମ୍ମାନ କରିଥିଲେ । ତେବେ ଏହି ବିବାଦ ମଧ୍ୟରେ ସମୟ ରୈନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କମିକଷ୍ଟାନ ଶୋ’ରେ ଛିଡ଼ା ହୋଇ ଭାରତରେ ନିର୍ମିତ ବାୟୋପିକ୍ ଉପରେ କଟାକ୍ଷ କରିଥିଲେ । ସମୟ କହିଥିଲେ ଯେ ଭାରତରେ ଲୋକଙ୍କ ଧର୍ଯ୍ୟର ଅଭାବ ଅଛି ଏବଂ ଜୀବିତ ଲୋକଙ୍କ ଉପରେ ମଧ୍ୟ ବାୟୋପିକ୍ ତିଆରି କରାଯାଉଛି । ସେ କହିଥିଲେ, " ଅପେକ୍ଷା କର କିଏ ଜାଣେ ଭବିଷ୍ୟତରେ ଲୋକମାନେ କ’ଣ କରିପାରିବେ ।" ୟୁଜର୍ସ କହୁଛନ୍ତି ଯେ ମେରୀ କମ୍ଙ୍କ ପରି ଜଣେ କିମ୍ବଦନ୍ତୀ ଖେଳାଳିଙ୍କ ଉପରେ ବାୟୋପିକ୍ ପୂର୍ବରୁ ନିର୍ମିତ ହୋଇସାରିଛି । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦ ଉପୁଜିବା ପରେ ରାଇନାଙ୍କ କଥା ଆଜି ଲୋକଙ୍କ ପାଇଁ ଆହୁରି ପ୍ରାସଙ୍ଗିକ ମନେ ହେଉଛି ।
Follow Us