କନକ ବ୍ୟୁରୋ : ଦୁଇ ମାସ ବିଳମ୍ବରେ ମଣ୍ଡି ଉଦଘାଟିତ ହୋଇଥିଲେ ମଧ୍ୟ ମଣ୍ଡି ରୁ ଉଠିପାରୁନି ଧାନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଧାନ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଉମରକୋଟ ଧାନ ମଣ୍ଡିକୁ ଚାଷୀ ମାନେ ଧାନ ଦେଇ ୨୪ ଘଣ୍ଟା ହେଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା କେଜିଏ ମଧ୍ୟ ପ୍ରଶାସନ ପକ୍ଷରୁ ଉଠାଯାଇ ପାରିନାହିଁ। ଯାହାକି ନେଇ ତେଜୁଛି ଚାଷୀ ଅସନ୍ତୋଷ ।
୨୦୨୫ ଡିସେମ୍ବର ୧୭ରେ ନବରଙ୍ଗପୁର ଉମରକୋଟରେ ମଣ୍ଡି ଉଦଘାଟନ ହେଲା। ଏହାରି ଭିତରେ ୨୦୨୬ ଆସିଗଲା, କେଜିଏ ଧାନ ବି ଉଠିପାରିଲାନି। ଗତ ମଙ୍ଗଳବାର ଶତାଧିକ ଚାଷୀ ମଣ୍ଡିକୁ ଧାନ ଆଣିଥିଲେ, ଏକ କିମି ପର୍ଯ୍ୟନ୍ତ ଲମ୍ବିଥିଲା ଧାନ ଗାଡ଼ି । କିନ୍ତୁ ମୁଠାଏ ଧାନ ବିକ୍ରି ହୋଇପାରିଲାନି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମିଲରଙ୍କ ସହ ଆଲୋଚନା ପରେ ବି ସମାଧାନର ବାଟ ବାହାରି ପାରୁନି । କଟନିଛଟନି ହେବ ନାହିଁ ସରକାର ମନା କଲା ପରେ କେଉଁ କାରଣ ପାଇଁ ଧାନ ଉଠୁନି? ତାକୁ ନେଇ ପ୍ରଶ୍ନ କରିଛନ୍ତି ଉମରକୋଟ ଚାଷୀ।
ଅଧିକ ପଢ଼ନ୍ତୁ : ନବରଙ୍ଗପୁର ସାପ୍ତାହିକ ହାଟରେ ତୁରଞ୍ଜା ଶୁଖୁଆ ପସରା, କିଲୋ ପିଛା ଦାମ୍ ୫ ହଜାରରୁ ୬ ହଜାର ଟଙ୍କା
ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତି ଆରମ୍ଭ କଲେଣି । କେନାଲରେ ପାଣି ଛଡ଼ା ହେଲାଣି । ହେଲେ ଧାନ ବିକ୍ରି କରି ପାରୁନଥିବାରୁ ରବି ଫସଲ ଆରମ୍ଭ କରିପାରୁନଥିବା ଚାଷୀ ଅଭିଯୋଗ କରିଛି । ଆସନ୍ତା ମଙ୍ଗଳବାର ସୁଦ୍ଧା ଧାନ ନଉଠିଲେ ବିଗତ ଦିନ ପରି ପୁଣି ଚକ ଅଖ ବନ୍ଦ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛି।
ଅଧିକ ପଢ଼ନ୍ତୁ : ନେତା ଭୁଲିଗଲେ ମଞ୍ଚ ଗାରିମା: ନବରଙ୍ଗପୁର ମଣ୍ଡେଇ ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ
ମଣ୍ଡିରେ ଏବେବି ପଡ଼ିରହିଛି ହଜାର ହଜାର ବସ୍ତା ଧାନ । ଅନ୍ୟପଟେ ଅନୁଧ୍ୟାନ ଚାଲିଛି, ଖୁବଶୀଘ୍ର ଧାନ ଉଠିବ ବୋଲି କହିଛନ୍ତି ଉମରକୋଟ ଯୋଗାଣ ଅଧିକାରୀ ସୁନିଲ କୁମାର ଜେନା। ତୁରନ୍ତ ମଣ୍ଡିରୁ ଧାନ ଉଠିବା ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ଜୋରାଦାର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଚାଷୀ।
Follow Us