କନକ ବ୍ୟୁରୋ : ଦୁଇ ମାସ ବିଳମ୍ବରେ ମଣ୍ଡି ଉଦଘାଟିତ ହୋଇଥିଲେ ମଧ୍ୟ ମଣ୍ଡି ରୁ ଉଠିପାରୁନି  ଧାନ ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ଧାନ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଉମରକୋଟ ଧାନ ମଣ୍ଡିକୁ ଚାଷୀ ମାନେ ଧାନ ଦେଇ ୨୪ ଘଣ୍ଟା ହେଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା କେଜିଏ ମଧ୍ୟ ପ୍ରଶାସନ ପକ୍ଷରୁ ଉଠାଯାଇ ପାରିନାହିଁ। ଯାହାକି ନେଇ ତେଜୁଛି ଚାଷୀ ଅସନ୍ତୋଷ । 

Advertisment

୨୦୨୫ ଡିସେମ୍ବର ୧୭ରେ ନବରଙ୍ଗପୁର ଉମରକୋଟରେ ମଣ୍ଡି ଉଦଘାଟନ ହେଲା। ଏହାରି ଭିତରେ ୨୦୨୬ ଆସିଗଲା, କେଜିଏ ଧାନ ବି ଉଠିପାରିଲାନି। ଗତ ମଙ୍ଗଳବାର ଶତାଧିକ ଚାଷୀ ମଣ୍ଡିକୁ ଧାନ ଆଣିଥିଲେ, ଏକ କିମି ପର୍ଯ୍ୟନ୍ତ  ଲମ୍ବିଥିଲା ଧାନ ଗାଡ଼ି । କିନ୍ତୁ ମୁଠାଏ ଧାନ ବିକ୍ରି ହୋଇପାରିଲାନି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମିଲରଙ୍କ ସହ ଆଲୋଚନା ପରେ ବି ସମାଧାନର ବାଟ ବାହାରି ପାରୁନି । କଟନିଛଟନି ହେବ ନାହିଁ ସରକାର ମନା କଲା ପରେ କେଉଁ କାରଣ ପାଇଁ ଧାନ ଉଠୁନି? ତାକୁ ନେଇ ପ୍ରଶ୍ନ କରିଛନ୍ତି ଉମରକୋଟ ଚାଷୀ।

ଅଧିକ ପଢ଼ନ୍ତୁ : ନବରଙ୍ଗପୁର ସାପ୍ତାହିକ ହାଟରେ ତୁରଞ୍ଜା ଶୁଖୁଆ ପସରା,  କିଲୋ ପିଛା ଦାମ୍‌ ୫ ହଜାରରୁ ୬ ହଜାର ଟଙ୍କା

ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତି ଆରମ୍ଭ କଲେଣି । କେନାଲରେ ପାଣି ଛଡ଼ା ହେଲାଣି । ହେଲେ ଧାନ ବିକ୍ରି କରି ପାରୁନଥିବାରୁ ରବି ଫସଲ ଆରମ୍ଭ କରିପାରୁନଥିବା ଚାଷୀ ଅଭିଯୋଗ କରିଛି । ଆସନ୍ତା ମଙ୍ଗଳବାର ସୁଦ୍ଧା ଧାନ ନଉଠିଲେ ବିଗତ ଦିନ ପରି ପୁଣି ଚକ ଅଖ ବନ୍ଦ ଆନ୍ଦୋଳନ କରାଯିବା  ନେଇ ଚେତାବନୀ ଦେଇଛି।

ଅଧିକ ପଢ଼ନ୍ତୁ : ନେତା ଭୁଲିଗଲେ ମଞ୍ଚ ଗାରିମା: ନବରଙ୍ଗପୁର ମଣ୍ଡେଇ ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ

 ମଣ୍ଡିରେ ଏବେବି ପଡ଼ିରହିଛି ହଜାର ହଜାର ବସ୍ତା ଧାନ । ଅନ୍ୟପଟେ ଅନୁଧ୍ୟାନ ଚାଲିଛି, ଖୁବଶୀଘ୍ର ଧାନ ଉଠିବ ବୋଲି କହିଛନ୍ତି ଉମରକୋଟ ଯୋଗାଣ ଅଧିକାରୀ ସୁନିଲ କୁମାର ଜେନା।  ତୁରନ୍ତ ମଣ୍ଡିରୁ ଧାନ ଉଠିବା ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ଜୋରାଦାର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଚାଷୀ।