Elephant Photograph: (kanak news)
କନକ ବ୍ୟୁରୋ : ୨୪ ଘଣ୍ଟାର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ମାକେନା ହାତୀ । ଭୁବନେଶ୍ବର ଚନ୍ଦକା ଜଙ୍ଗଲରେ ଆଉ ଏକ ହାତୀ ମୃତ୍ୟୁକୁ ନେଇ ବଢ଼ିଲା ଚିନ୍ତା । କିଭଳି ସ୍ଥିତିରେ ହାତୀଟି ଅସୁସ୍ଥ ହେଲା, କଣ ପାଇଁ ଠିକ୍ ସମୟରେ ଜାଣିପାରିଲାନି ବନ ବିଭାଗ । କାହିଁକି ହାତୀଟିର ଜୀବନ ବଞ୍ଚାଯାଇପାରିଲାନି ସେନେଇ ବି ଉଠିଛି ପ୍ରଶ୍ନ । ଜୀବନ ମୃତ୍ୟୁ ଭିତରେ ଚାଲିଥିଲା ସଂଗ୍ରାମ । ଆଉ ଶେଷରେ ଜଙ୍ଗଲ ମଝିରେ ବୁଜିଲା ଆଖି । ୨୪ ଘଣ୍ଟା ଧରି ଭୁବନେଶ୍ବର ଚନ୍ଦକା ଅଭୟାରଣ୍ୟରେ ଅସୁସ୍ଥ ହୋଇ ଛଟପଟ ହେଉଥିବା ହାତୀଟିର ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ହାତୀର ପାଟିରେ ଘା’ ହୋଇଥିଲା । ସଂକ୍ରମଣରୁ ସେପ୍ଟିସିମିଆ ହୋଇଥିଲା । ସେପ୍ଟିସିମିଆରେ ମାକେନା ହାତୀର ମୃତ୍ୟୁ ଘଟିଥିବା ଡିଏଫଓ କହିଛନ୍ତି । ହାତୀଟିର ବିଭିନ୍ନ ଅଙ୍ଗର ଭିସେରା ସଂଗ୍ରହ କରାଯାଇଛି । ସପ୍ତାହେ ଭିତରେ ଚୂଡ଼ାନ୍ତ ରିପୋର୍ଟ ଆସିବ ।
ଶୁକ୍ରବାର କାକାଳି ହାତୀଟି ଅସୁସ୍ଥ ହୋଇ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ହାତୀଟିକୁ ସାଲାଇନ୍ ଏବଂ ମେଡିସିନ୍ ଦିଆଯାଇଥିଲା । ଏହା ପରେ ସାମାନ୍ୟ ସୁସ୍ଥ ହୋଇ ଚଲାବୁଲା କରିଥିଲା ହାତୀଟି । କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଅସୁସ୍ଥ ହୋଇପଡ଼ିଥିଲା । ଶୁକ୍ରବାର ରାତିରେ ହାତୀଟିର ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ହାତୀର ମୃତଦେହ ବ୍ୟବଚ୍ଛେତ ପରେ ପୋତାଯାଇଛି । ପାଖାପାଖି ୪ ଘଣ୍ଟା ଧରି ଚାଲିଥିଲା ଶବ ବ୍ୟବଚ୍ଛେଦ । ଚନ୍ଦକାରେ ଏବେ ୨୯ଟି ହାତୀ ଅଛନ୍ତି । ତେବେ ଗୋଟିଏ ପରେ ଗୋଟେ ହାତୀମୃତ୍ୟୁକୁ ନେଇ ବଢିଛି ଚିନ୍ତା ।
ଅଧିକ ପଢ଼ନ୍ତୁ--ଅସଜଡ଼ା ଘରେ ଅସହାୟ ଜୀବନ; ଘର ଖଣ୍ଡେ ପାଇଁ ବୃଦ୍ଧାଙ୍କ ସଂଘର୍ଷ
Follow Us