କନକ ବ୍ୟୁରୋ : କେନ୍ଦୁଝର ତେଲକୋଇ ବନାଞ୍ଚଳରେ ଏକୁଟିଆ ବୁଲୁଛି ଅସୁସ୍ଥ ମାଖନ୍ ହାତୀ । ହାତୀକୁ ପୁନର୍ବାର ଟ୍ରାଙ୍କୁଲାଇଜ୍ କରି ଆଣ୍ଟିବାୟୋଟିକ୍ ଦେଇଛି କେନ୍ଦୁଝର ବନ ବିଭାଗ । ଗତ କିଛି ଦିନ ପୂର୍ବେ ଦନ୍ତାହାତୀଙ୍କ ସହ ମାଡ଼ଗୋଳ ଲାଗିବା କାରଣରୁ ଏହି ମାଖନ୍ ହାତୀ ଆହତ ହୋଇଥିଲା । ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇ ପୂଜ ଜମି ଯାଇଥିଲା । ଗତ ୧୧ ତାରିଖରେ ତେଲକୋଇ ରେଞ୍ଜ ଉଦୟଗିରି ଗାଁ ପାଖ ଏକ ହୁଡ଼ିରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ।
ଏହାପରେ ହାତୀର ମୁହଁ ଘୋଡ଼ାଇ ତାର ବାମ ଆଗଗୋଡ଼, ଶରୀରର ଅନ୍ୟ ଭାଗରେ ଥିବା କ୍ଷତ ସ୍ଥାନରୁ ପୂଜ ବାହାର କରି ସେସବୁ ସ୍ଥାନକୁ ସଫା କରି ସେଠାରେ ଔଷଧ ପ୍ରୟୋଗ କରାଯାଇଥିଲା । ଏହାପରେ ହାତୀକୁ ଆବଶ୍ୟକୀୟ ଔଷଧ ଦିଆଯାଇ ଜଙ୍ଗଲରେ ଛଡ଼ାଯାଇଥିଲା । ଏସବୁ କାର୍ଯ୍ୟ ଡ଼ାକ୍ତରଙ୍କ ସହ ବନବିଭାଗର ଏକ ୧୦ଜଣିଆ ଟିମ୍ କରିଥିଲେ । ଏହାପରେ ଏହି ଅସୁସ୍ଥ ମାଖନ୍ ହାତୀର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ ।
ପୁଣି ହାତୀ ମୃତ୍ୟୁ, ଦନ୍ତା ହାତୀର ମୃତଦେହ ଉଦ୍ଧାର । ରାସଗୋବିନ୍ଦପୁର ରେଞ୍ଜ ବେତନସିଆ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର । ମୃତ୍ୟୁର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଦୁଇ ଦନ୍ତାହାତୀ ଲଢେଇ ଲାଗି ଦାନ୍ତାର ମୃତ୍ୟୁ ହୋଇଥିବା କହିଛନ୍ତି ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ।
ସେପଟେ ଚନ୍ଦକା କାଜୁବାରି ଜଙ୍ଗଲରୁ ଗତକାଲି ଉଦ୍ଧାର ଅସୁସ୍ଥ ମାକେନା ହାତୀଟିର ରାତିରେ ମୃତ୍ୟୁ ହୋଇଯାଇଛି । ମୃତ ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ । ଉଦ୍ଧାର ହେବା ପରେ ହାତୀଟିର ରକ୍ତ ପରୀକ୍ଷା କରାଯିବା ସହ ଚିକିତ୍ସା କରାଯାଉଥିଲା । ତେବେ ରାତିରେ ହାତୀଟିର ମୃତ୍ୟୁ ହୋଇଛି । ଏବେ ପୋଷ୍ଟମର୍ଟମ କରାଯିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ସେପଟେ ନିଜ ଦାନା ବଞ୍ଚାଇବାକୁ ଚାଷୀର ସଂଘର୍ଷ । ଶୀତ କାକରକୁ ଖାତିର ନକରି ଗଛରେ ମଞ୍ଚା ବାନ୍ଧି ଧାନ ଫସଲକୁ ଦିନ ରାତି ଜଗି ବସିଛି । କାରଣ ଧାନ ଅମଳ ସମୟରେ ଜଙ୍ଗଲ ପାଦଦେଶରେ ଥିବା ବିଲ ଗୁଡିକରେ ଉପଦ୍ରବ କରୁଛନ୍ତି ହାତୀ । ଅନ୍ୟ କିଛି ଉପାୟ ନପାଇ ନିଜ ଫସଲକୁ ନିଜ ସୁରକ୍ଷା ଦେଉଛି ଚାଷୀ । ଧାନ ଅମଳ ସମୟରେ ଫସଲ ହାତୀର ଭୟ । ଖାଉଛନ୍ତି କମ୍, ଦଳିଚକଟି ନଷ୍ଟ କରୁଛନ୍ତି ବେଶୀ । ସେଥିପାଇଁ ତ’ ଶୀତର ପ୍ରକୋପକୁ ଖାତିର ନକରି ଗଛରେ ମଞ୍ଚା ବାନ୍ଧି ବସୁଛି ଚାଷୀ । ଦିନରେ ଘରର ସ୍ତ୍ରୀ ଲୋକ ଜଗୁଛନ୍ତି, ସଞ୍ଜ ହେଉଣୁ ସପରିବାର ଧରି ମଞ୍ଚାକୁ ଆସିଯାଉଛି ଚାଷୀ । ଏମିତି କିଛି ଖବର ଆସିଛି ନୀଳଗିରିର ଜଙ୍ଗଲ ପାଦଦେଶରେ ଥିବା ଅଞ୍ଚଳରେ ।
ଚଳିତବର୍ଷ ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଏବଂ ଔପଦା ବ୍ଲକରେ ୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି । ପ୍ରତ୍ୟେକ ଦିନ ନିକଟ କୁଳଡିହା ଜଙ୍ଗଲରୁ ହାତୀମାନେ ଖସି ଆସି ଧାନ ଫସଲ ନଷ୍ଟ କରିଦେଉଛନ୍ତି । ଚଳିତ ବର୍ଷ କୁଳଡିହା ରେଞ୍ଜରେ ହାତୀ ନଷ୍ଟ କରିଛନ୍ତି ୬୧.୯୧୪ ହେକ୍ଟର ଜମିର ଚାଷ । ୬ ଜଣଙ୍କ ଘର ଭାଙ୍ଗିଛି, ୭ ଜଣ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ନୀଳଗିରି ରେଞ୍ଜରେ ୪୨ ଜଣ ଚାଷୀଙ୍କର ୧୦.୪୧୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଆଉ ବନ ବିଭାଗ ପକ୍ଷରୁ ଦିଆଯାଉଥିବା କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀ ମାନେ ମତ ପ୍ରକାଶ କରିଛନ୍ତି । ବର୍ଷାର ଅନିୟମିତତା ଓ ଚକଡା ପୋକର ଦାଉ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ହାତୀଙ୍କ ବିତ୍ପାତ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/22/injured-tusker-2025-11-22-11-19-00.jpg)