କନକ ବ୍ୟୁରୋ : ମଧ୍ୟପ୍ରଦେଶର ରତଲାମରେ ଚଳନ୍ତା ଟ୍ରେନ୍‌ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କାଞ୍ଚିଗୁଡ଼ା-ଭଗତ କୋଠି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଜଣେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଜଜ୍‌ ରାଜକୁମାର ଚୌହାନଙ୍କ ପତ୍ନୀ ଉଷା ଚୌହାନ ‌ଟ୍ରେନର ଶୌଚାଳୟ ଯାଇ ଆଉ ଫେରିନଥିଲେ । ପରେ ତାଙ୍କୁ ଟ୍ରେନ୍‌ର ଶୌଚାଳୟରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଲୱେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଏହି ଘଟଣାର ତଦନ୍ତ କରୁଛନ୍ତି । 

Advertisment

ସୂଚନାଯୋଗ୍ୟ, ରାଜସ୍ଥାନର ନିମ୍ବହେଡ଼ାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତି ଥିବା ରାଜକୁମାର ନିଜ ପତ୍ନୀଙ୍କୁ ସହିତ ଯୋଧପୁରରୁ ନିମ୍ବହେଡ଼ା ଫେରୁଥିଲେ । ଦୁଇ ଜଣଯାକ ଗୋଟିଏ ଟ୍ରେନ୍‌ରେ ଥିଲେ ମଧ୍ୟ ସଂରକ୍ଷଣ ଅଲଗା ଅଲଗା କୋଚରେ ଥିଲା । ତେଣୁ ସେମାନେ ଅଲଗା ଅଲଗା ଯାତ୍ରା କରୁଥିଲେ । ରାସ୍ତାରେ ଦୁଇ ଜଣ ଯାକ ମୋବାଇଲ ଫୋନରେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ କିନ୍ତୁ ନିମ୍ବହେଡ଼ା ଷ୍ଟେସନ ଆସିବା ପୂର୍ବରୁ ଉଷା ସ୍ବାମୀଙ୍କୁ ସେ ଶୌଚାଳୟ ଯାଉଥିବା କହିଥିଲେ ।

ଅଧିକ ପଢନ୍ତୁ : ହୋଲିରେ ଅଭାବନୀୟ ଘଟଣା : ବାଲିଅନ୍ତାରେ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ

ନିମ୍ବହେଡ଼ା ଷ୍ଟେସନଠାରେ ରାଜକୁମାର ଟ୍ରେନରୁ ଓହ୍ଲାଇ ପତ୍ନୀଙ୍କୁ ଅପେକ୍ଷା କରିଥିଲେ କିନ୍ତୁ ଉଷା ଆସି ନଥିଲେ । ବହୁ ସମୟ ଅପେକ୍ଷା ପରେ ମଧ୍ୟ ଉଷାଙ୍କ ସମ୍ପର୍କରେ କିଛି ଜଣା ନପଡ଼ିବାରୁ ଭୟଭୀତ ହୋଇ ରାଜକୁମାର ଚୌହାନ ରେଲୱେ ପୁଲିସକୁ ସୂଚନା ଦେଇଥିଲେ । ରେଲୱେ ପୁଲିସ ଆଗାମୀ ‌ଷ୍ଟେସନକୁ ଏସମ୍ପର୍କରେ ସୂଚନା ଦେଇ ଟ୍ରେନ୍‌କୁ ଅଟକାଇଥିଲା । ଟ୍ରେନ୍‌ରେ ବହୁ ଖୋଜାଖୋଜି ପରେ ଉଷାଙ୍କ ସମ୍ପର୍କରେ କିଛି ଜଣାପଡ଼ିନଥିଲା। ଶେଷରେ ତାଙ୍କ ମୋବାଇଲ ଫୋନ ଲୋକେଶନ ଟ୍ରେସ୍‌ କରାଯାଇଥିଲା । ଟ୍ରେନ୍‌ ସେତେବେଳେ ଜାବରା ଷ୍ଟେସନ ପହଞ୍ଚି ସାରିଥିଲା । ଶୌଚାଳୟର କବାଟ ଭାଙ୍ଗି ଉଷାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଉଷା ବେହୋସ୍‌ ଥିଲେ । ଉଦ୍ଧାର କରାଯିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।