କନକ ବ୍ୟୁରୋ : ଭଦ୍ରକ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଚିନ୍ତାଜନକ ହୋଇପଡ଼ିଛି। କମେଣ୍ଟ ମରା ଭଳି ଏକ ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ଅପହରଣ କରାଯାଇ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଖବର ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭଦ୍ରକ କଲେଜ ନିକଟରୁ ଆରମ୍ଭ ହୋଇଥିବା ଏହି ବିବାଦ ଶେଷରେ ଏକ ରକ୍ତାକ୍ତ ସଂଘର୍ଷର ରୂପ ନେଇଛି।
ଘଟଣାଟି ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳରେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଭଦ୍ରକ କଲେଜ ନିକଟରେ କିଛି ଯୁବକ କମେଣ୍ଟ ମାରୁଥିଲେ। ଏହାକୁ ଜଗନ୍ନାଥପୁରର କିଛି ସ୍ଥାନୀୟ ଯୁବକ ବିରୋଧ କରିବାରୁ ସେଠାରେ ପ୍ରଥମେ ବଚସା ଓ ପରେ ମାରପିଟ୍ ହୋଇଥିଲା। ତେବେ ଏହି ଘଟଣା ସେତିକିରେ ଶେଷ ହୋଇନଥିଲା। ପ୍ରତିଶୋଧ ପରାୟଣ ହୋଇ ପ୍ରାୟ ୧୦ରୁ ୧୫ ଜଣ ଯୁବକ ଏକ କାର୍ ଏବଂ ବାଇକ୍ ଯୋଗେ ଜଗନ୍ନାଥପୁରରେ ପହଞ୍ଚିଥିଲେ। ସେଠାରୁ ଦୀପକ ନାମକ ଜଣେ ଯୁବକଙ୍କୁ ଜବରଦସ୍ତି କାରରେ ଉଠାଇ ନେଇଥିଲେ।
ଅଧିକ ପଢ଼ନ୍ତୁ : ଭଦ୍ରକ ଚାନ୍ଦବାଲି ଜାଗୁଳା ପଞ୍ଚାୟତର ଉଦ୍ୟମୀ ଯୁବକ ମୃଣ୍ମୟ ଜେନା, ଗୋପାଳନରୁ ହୋଇଛନ୍ତି ଲକ୍ଷପତି
ଦୁର୍ବୃତ୍ତମାନେ ତାଙ୍କୁ ଭଦ୍ରକ-ଚାନ୍ଦବାଲି ରାସ୍ତାର ନାଥସାହି ପେଟ୍ରୋଲ ପମ୍ପ ନିକଟକୁ ନେଇଯାଇଥିଲେ। ସେଠାରେ ମାରଣାସ୍ତ୍ର ସାହାଯ୍ୟରେ ଦୀପକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଆକ୍ରମଣକାରୀମାନେ ଦୀପକଙ୍କୁ ରକ୍ତାକ୍ତ ଅବସ୍ଥାରେ ଶନି ମନ୍ଦିର ପାଖରେ ଛାଡ଼ି ଦେଇ ଫେରାର୍ ହୋଇଯାଇଥିଲେ। ସେଠାରୁ ଦୀପକ କୌଣସି ପ୍ରକାରେ ନିଜକୁ ବଞ୍ଚାଇ ଫେରିବା ପରେ, ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏବେ ଦୀପକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଦୀପକଙ୍କ ପରିବାର ପକ୍ଷରୁ ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସହର ମଝିରେ ଏଭଳି ସଂଘବଦ୍ଧ ଆକ୍ରମଣ ଓ ଅପହରଣ ଘଟଣା ଏବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/11a-2026-02-13-17-00-29.jpg)