କନକ ବ୍ୟୁରୋ : ନୋବେଲ ପୁରସ୍କାର ବିଜେତା ତଥା ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ କହିଛନ୍ତି ଯେ, ସେ ନିଜେ ପାଇଥିବା ପୁରସ୍କାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବାକୁ ଚାହୁଛନ୍ତି, କାରଣ ସେ ଆଠଟି ଯୁଦ୍ଧ ସଫଳତାର ସହ ବନ୍ଦ କରିପାରିଛନ୍ତି। ମାଚାଡ଼ୋଙ୍କର ଏହି ପ୍ରସ୍ତାବ ପରେ ନରୱେର ନୋବେଲ କମିଟି ପ୍ରତିକ୍ରିୟା ପ୍ରକାଶ କରିଛି। ନୋବେଲ ପୁରସ୍କାର ରଦ୍ଦ କରାଯାଇପାରିବ ନାହିଁ, ଅଂଶୀଦାର କରାଯାଇପାରିବ ନାହିଁ କିମ୍ବା ଅନ୍ୟ କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ଏହି ଘୋଷଣା ହେବା ପରେ ଏହି ନିଷ୍ପତ୍ତି ସବୁଦିନ ପାଇଁ ରହିବ ବୋଲି ନୋବେଲ କମିଟିର ବିବୃତିରେ କୁହାଯାଇଛି ।
ଅଧିକ ପଢ଼ନ୍ତୁ : ଯୁଆଡ଼େ ଯାଉଛନ୍ତି ପାଗଳର ପ୍ରଳାପ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ, ହେଲେ ଋଷ-ୟୁକ୍ରେନ ଯୁଦ୍ଧ ରୋକିବାରେ କାହିଁକି ହେଉଛନ୍ତି ବିଫଳ
ଟ୍ରମ୍ପ ଶନିବାର କହିଛନ୍ତି ଯେ, ଆସନ୍ତା ସପ୍ତାହରେ ମାଚୋଡ଼ୋ ଆମେରିକା ଗସ୍ତରେ ଆସିବେ। ସେତେବେଳେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ମାଚାଡୋଙ୍କ ପ୍ରସ୍ତାବ ଉପରେ ସେ ଆଲୋଚନା କରିବେ। ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ଗିରଫ ଓ ଦେଶର ବିପୁଳ ତୈଳ ଭଣ୍ଡାର ଉପରେ ଟ୍ରମ୍ପଙ୍କ ଦାବି ପରେ ଆମେରିକା-ଭେନେଜୁଏଲା ତିକ୍ତତା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ସମୟରେ ଏହି ବୟାନ ଆସିଛି। ଟ୍ରମ୍ପ କହିଛନ୍ତି, ମୁଁ ଭାବୁଛି ସେ ଆମେରିକା ଆସିବାକୁ ଚାହୁଥିବାରୁ ବହୁତ ଭଲ ଲାଗୁଛି ଏବଂ ମୁଁ ଏହାର କାରଣ ବୁଝିପାରୁଛି। ମାଦୁରୋଙ୍କୁ ନାର୍କୋ-ଆତଙ୍କବାଦ ଷଡ୍ଯନ୍ତ୍ର ଓ ଅନ୍ୟାନ୍ୟ ଅଭିଯୋଗରେ ଧରାଯାଇ ଆମେରିକା ଅଣାଯିବା ପରେ ମାଚାଡୋ ଦେଶର ସର୍ବୋଚ୍ଚ ପଦବୀ ଗ୍ରହଣ କରିନଥିଲେ। ଏହା ପରିବର୍ତ୍ତେ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ମାଦୁରୋଙ୍କ ଉତ୍ତରାଧିକାରୀ ହୋଇଥିଲେ।
ଅଧିକ ପଢ଼ନ୍ତୁ : ଶାନ୍ତି ଚୁକ୍ତି ପାଇଁ ହମାସ-ଇସ୍ରାଏଲ ସହମତି, ଟାରିଫ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କଲେ ନରେନ୍ଦ୍ର ମୋଦି
ଟ୍ରମ୍ପ ଅତୀତରେ ଅନେକ ଥର ନିଜକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି ଦାବି କରିଛନ୍ତି। ସେ ନିଜକୁ ତାଙ୍କର ଦ୍ୱିତୀୟ ରାଷ୍ଟ୍ରପତି କାର୍ୟ୍ୟକାଳର ଆଠ ମାସ ମଧ୍ୟରେ ଆଠଟି ଯୁଦ୍ଧର ଅନ୍ତ ଘଟାଇବାର ଶ୍ରେୟ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାଚାଡୋଙ୍କ ଆମେରିକା ଗସ୍ତ ବିଷୟରେ ଟ୍ରମ୍ପ କହିଛନ୍ତି ଯେ, ସେ ଆସନ୍ତା ସପ୍ତାହରେ ୱାସିଂଟନ ଆସି ଆମ ଦେଶ ପ୍ରତି ସମ୍ମାନ ଜଣାଇବେ, ଏହା ମୋ ପାଇଁ ମଧ୍ୟ ସମ୍ମାନ ହେବ, କିନ୍ତୁ ଆପଣ ଜାଣନ୍ତି ମୁଁ ଦେଶର ପ୍ରତିନିଧି ମାତ୍ର, ଅନ୍ୟ କିଛି ନୁହେଁ।
Follow Us