କନକ ବ୍ୟୁରୋ : ନବରାତ୍ରୀ ସମୟରେ ମା’ ଆଦିଶକ୍ତିଙ୍କ ୯ ସ୍ବରୂପକୁ ଆରାଧନା କରାଯାଏ । ମା’ଙ୍କ ୯ ସ୍ବରୂପ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଏବଂ ଭୟଙ୍କର ରୂପ ହେଉଛନ୍ତି ମା’ ବଗଳାମୁଖୀଙ୍କର । ତନ୍ତ୍ରଶାସ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ରୂପରେ ପୂଜିତ ମା’ଙ୍କ ପୂଜା ସାଧକ ବୈଭବ,ବିଜୟ,ଶତ୍ରୁ ନାଶ,ସମୃଦ୍ଧି ଏବଂ ପ୍ରଚଣ୍ଡ ଶକ୍ତି ପ୍ରାପ୍ତ ଉଦ୍ଦେଶ୍ୟରେ କରିଥା’ନ୍ତି । ମା’ଙ୍କ ଉତ୍ପତ୍ତି ଓ ଲୀଳା କଥା ଶୁଣିଲେ ସଂକଟ ଦୂର ହୁଏ ବୋଲି କୁହାଯାଏ । ତେବେ ଆସନ୍ତୁ ମା’ଙ୍କ ଉତ୍ପତ୍ତି ଏବଂ ତାଙ୍କ କଥା ବିଷୟରେ ଅଧିକ ଜାଣିବା ।
ଆଗକୁ ପଢ଼ନ୍ତୁ : ମା’ ପାର୍ବତୀଙ୍କ ଏକମାତ୍ର ବିଧବା ରୂପ : କାଳରାତ୍ରୀଙ୍କଠାରୁ ଅଧିକ ଭୟଙ୍କର
ପୌରାଣିକ କଥାନୁସାରେ ସତ୍ୟଯୁଗ ସମୟରେ ଥରେ ସୃଷ୍ଟିରେ ଭୟଙ୍କର ସଙ୍କଟ ମାଡ଼ି ଆସିଥିଲା । ଚାରିଆଡ଼େ ପ୍ରକୃତିର ତାଣ୍ଡବ,ଝଡ଼ ତୋଫାନର ପରିବେଶ ସୃଷ୍ଟି ହେଲା । ଜଳ,ବାୟୁ ଏବଂ ପୃଥିବୀର ସନ୍ତୁଳନରେ ବିଘ୍ନ ଉତ୍ପନ୍ନ ହେଲା । ସମ୍ପୂର୍ଣ୍ଣ ଜଗତ ତ୍ରାହି ତ୍ରାହି ଡାକ ଦେଲା । ଏହି ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଦେବତାଗଣ ବ୍ରହ୍ମଦେବଙ୍କ ଶରଣ ପଶିଲେ । ପ୍ରଜାପିତା ଏ ସମସ୍ୟାର ସମଧାନ ପାଇଁ ଦେବତାଙ୍କୁ ଶ୍ରୀହରିଙ୍କ ପାଖକୁ ଯିବାକୁ କହିଲେ । ବ୍ରହ୍ମାଙ୍କ କଥା ମାନି ଦେବଗଣ ନାରାୟଣଙ୍କ ପାଖକୁ ଚଳିଲେ । ନାରାୟଣ ଏଭଳି ସଂକଟକୁ ମୁକାବିଲା କରିବା ପାଇଁ ଦେବତାଙ୍କୁ ଉପାୟ କହିଲେ । ହରିଙ୍କ କଥା ମାନି ଦେବତା ହରିଦ୍ରା ସରୋବର ତଟରେ ତପସ୍ୟା କଲେ ଏବଂ ମା’ ବଗଳାମୁଖୀଙ୍କ ଆରାଧନା କଲେ । ଏମିତିକି ସୃଷ୍ଟିକର୍ତ୍ତା ଏବଂ ପାଳନକର୍ତ୍ତା ମଧ୍ୟ ମା’ଙ୍କୁ ଆବାହନ କଲେ । ଫଳସ୍ବରୂପ ସ୍ବର୍ଣ୍ଣବର୍ଣ୍ଣା ମା’ ଦେହରେ ହଳଦିଆ ବସ୍ତ୍ର ପରିଧାନ କରି ଦୁଇ ହସ୍ତରେ ଗଦା ଏବଂ ପାଶ ଧରି ଉଭା ହେଲେ । ମା’ଙ୍କ ଶକ୍ତି ଏବଂ ଉର୍ଜ୍ଜା ଏତେ ଥିଲା ଯେ ତାହା ପ୍ରକୃତିର ତାଣ୍ଡବକୁ ଶାନ୍ତ କରିବା ସହ ଜୀବଜଗତକୁ ଭୟମୁକ୍ତ କରି ଶାନ୍ତି ପ୍ରଦାନ କରିଥିଲା । ଦେବୀଙ୍କ ପୂଜା କରିବା ଦ୍ବାରା ଶତ୍ରୁଙ୍କ ନାଶ ହୋଇଥାଏ ବୋଲି ସାଧୁସନ୍ଥ କହିଥା’ନ୍ତି । ମା’ ବିଜୟମୁଦ୍ରାରେ ଆବିର୍ଭାବ ହୋଇଥିବାରୁ ସାଧକମାନେ ମଧ୍ୟ ପ୍ରତି କ୍ଷେତ୍ରରେ ବିଜୟଲାଭ କରିଥା’ନ୍ତି । ସଫଳତା ଏବଂ ସମୃଦ୍ଧି ଦେବୀ ସେବକଙ୍କ ପାଦ ଚୁମ୍ବନ କରିଥାଏ । ପୂର୍ବ ସମୟରେ ରାଜା,ମହାରାଜା ଯୁଦ୍ଧ ତଥା ରଣକ୍ଷେତ୍ରକୁ ଯିବା ପୂର୍ବରୁ ଦେବୀଙ୍କ ଆଶିର୍ବାଦ ନେଇ ଯୁଦ୍ଧ କରିବାକୁ ଯାଉଥିଲେ ।
ପୁରାଣରେ ମା’ବଗଳାମୁଖୀଙ୍କ ଅନ୍ୟ ଏକ କଥା ରହିଛି ମଦନ ନାମକ ଏକ ରାକ୍ଷସର ବାକ୍ ସିଦ୍ଧି ଅର୍ଥାତ ସେ ଯାହା କହୁଥିଲା ତାହା ସତ୍ୟ ହେଉଥିବାରୁ ସାରା ସଂସାର ରାକ୍ଷସର ଦୂରାଚାରରେ ଥରହର ହେଉଥିଲା । ଅସୁର ତାର ସିଦ୍ଧିର ଦୂରୁପଯୋଗ ନିଷ୍ପାପଙ୍କ ଉପରେ କରୁଥିଲା । ସେତେବେଳେ ଦେବୀ ବଗଳାମୁଖୀ ପ୍ରକଟ ହୋଇଥିଲେ ଏବଂ ମଦନ ରାକ୍ଷସର ଜିହ୍ବାକୁ ଟାଣି ଦୁଷ୍ଟର ଶକ୍ତିକୁ ହରଣ କରିଥିଲେ ବୋଲି ଜାଣିବାକୁ ମିଳେ । ପୀତ ବସ୍ତ୍ର ଧାରଣ କରିଥିବାରୁ ମା’ଙ୍କୁ ପିତାମ୍ବରା ବୋଲି ମଧ୍ୟ କୁହାଯାଏ । ମା’ଙ୍କ ମୁଖ୍ୟ ମନ୍ତ୍ର ହେଉଛି :
‘‘ଓଁ ହ୍ଲିଂ ବଗଳାମୁଖୀ ସର୍ବ ଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ବୟ ଜିହ୍ବାଂ କଲୟଂ ବୃଦ୍ଧିଂ ବିନାଶୟ ହ୍ଲିଂ ଓଁ ସ୍ବାହା ।’’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/22/bagalamukhi-2026-01-22-20-58-30.jpg)