କନକ ବ୍ୟୁରୋ : ଚାଲୁ ଚାଲୁ ପିଲାଟିଏ ଯେତେବେଳେ ଝୁଣ୍ଟିପଡ଼େ ତା’ ପାଟିରୁ ବାହାରି ଆସେ ମା’ । ମା’ ଡାକଟି ଖାଲି ଆବେଗ ନୁହେଁ ରକ୍ଷାକବଚର ଏକ ମନ୍ତ୍ର । ଯେମିତି ପାଟିରୁ ମା’ ବାହାରେ ଲାଗେ ସବୁ କଷ୍ଟ ଲାଘବ ହୋଇଯାଇଛି । ଠାକୁରାଣୀଙ୍କ ମନ୍ଦିରରେ ମୁଣ୍ଡିଆ ମାରି ମଥାରେ ମା’ଙ୍କ ସିନ୍ଦୂର ଲଗାଇଦେଲେ ଲାଗେ ସୁପ୍ତ ଶକ୍ତି ଯେମିତି ଜାଗ୍ରତ ହୋଇଯାଇଛି । ମା’ ଯିଏ ସନ୍ତାନକୁ ଖାଲି ହାତରେ କେବେ ଫେରାଏ ନାହିଁ । ମାନସିକ କରିଲେ ମନୋସ୍କାମନା ପୂରଣ କରେ । ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ଶକ୍ତିଦାୟିନୀ ମା’ର ଚମତ୍କାରିତା ଦେଖିବାକୁ ମିଳେ । ଠିକ୍ ସେମିତି ଉଜ୍ଜୟିନୀର ବିଜାନଗରୀରେ ହଜାର ହଜାର ବର୍ଷ ପୁରୁଣା ମାଆ ହରସିଦ୍ଧିଙ୍କ ମନ୍ଦିରରେ ଯିଏ ଥରେ ଆସେ ଖାଲି ହାତରେ କେବେ ବି ଫେରେନାହିଁ । ଭାରତର ୫୧ ଦେବୀ ପୀଠ ମଧ୍ୟରୁ ଅନ୍ୟତମ ମାତା ହରସିଦ୍ଧିଙ୍କ ମନ୍ଦିର । ଯେଉଁଠି ହୁଏ ଚମତ୍କାର । ଆଉ ସେହି ଚମତ୍କାର ନିଜ ଆଖିରେ ନଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ । 

Advertisment

ଆଗକୁ ପଢ଼ନ୍ତୁ : ମା’ ପାର୍ବତୀଙ୍କ ପ୍ରଚଣ୍ଡ ଉଗ୍ର ଅବତାର : ଅନ୍ୟ ପାଇଁ କାଟିଥିଲେ ନିଜ ଶିର ?

ବର୍ଷେ କି ଦୁଇ ବର୍ଷ ନୁହେଁ ୨ ହଜାର ବର୍ଷ ଧରି ମନ୍ଦିରରେ ମାଆଙ୍କ ନିକଟରେ ଜଳୁଛି ଅଖଣ୍ଡ ଜ୍ୟୋତି । ଯେତେ ଝଡ଼ ବର୍ଷା ଆସିଲେ ବି ଏହି ଜ୍ୟୋତି କେବେବି ଲିଭିନାହିଁ । ଏଠି ରହିଛି ଭକ୍ତଙ୍କ ଆସ୍ଥା ଆଉ ବିଶ୍ୱାସ ଯେଉଁଥିପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି ମାଆ ପାଖକୁ । ଶ୍ରଦ୍ଧାଳୁଙ୍କ ପାଇଁ ମାଆ ତିନି ରୂପରେ ଦର୍ଶନ ଦେଇଥାଏ । ସକାଳୁ ବାଲ୍ୟରୂପ , ମଧ୍ୟାହ୍ନରେ ଯୁବ ଓ ସନ୍ଧ୍ୟା ସମୟରେ ମାଆର ବୃଦ୍ଧ ରୂପ ଦେଖିବାକୁ ମିଳିଥାଏ । ଶକ୍ତିସ୍ୱରୂପା ମାଆ ହରସିଦ୍ଧି ନିକଟରେ ମନୋସ୍କାମନା ପାଇଁ ଶ୍ରଦ୍ଧାଳୁମାନେ ଗୋବରରେ ଓଲଟା ସ୍ୱସ୍ତିକ ଚିହ୍ନ କରିଥା’ନ୍ତି । ଆଉ ମନବାଞ୍ଛା ପୂରଣ ହେଲା ପରେ ସିଧା ସ୍ୱସ୍ତିକ କରି ମାଆଙ୍କ ନିକଟରେ ପୂଜା କରିଥା’ନ୍ତି । ନବରାତ୍ରୀରେ ମା’ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିବା ବେଳେ ଏଠାରେ ନଡ଼ିଆ ଭାଙ୍ଗିବା ମନା । ମାଆଙ୍କ ମନ୍ଦିର ସାମ୍ନାରେ ରହିଛି ଦୁଇଟି ବଡ଼ ବଡ଼ ଦୀପର ସ୍ତମ୍ଭ । ଯେଉଁଠି ୧୧ଶହରୁ ଅଧିକ ଦୀପ ପ୍ରଜ୍ବଳିତ ହୋଇଥାଏ । କୁହାଯାଏ ଭାଗ୍ୟରେ ଥିଲେ ଏହି ଦୀପ ଲଗାଇବାକୁ ସୌଭାଗ୍ୟ ମିଳେ । ଏନେଇ ବହୁ ପୂର୍ବରୁ ଯୋଗାଯୋଗ କରିବାକୁ ପଡ଼ିଥାଏ । କୁହନ୍ତି ଭାଗ୍ୟରେ ଥିଲେ ମାଆର ଏହି ଦୀପ ସ୍ତମ୍ଭରେ ତେଲ ପକାଇବାକୁ ସୁଯୋଗ ମିଳେ । 

ଏହି ଦୀପରେ ୬୦ କେଜିରୁ ଅଧିକ ତେଲ ଦିଆଯାଏ ଏବଂ ଯେତେବେଳେ ଏହି ଦୀପ ଏକସଙ୍ଗରେ ଜଳେ ଲାଗେ ଯେମିତି ନବଶକ୍ତି ଆବିର୍ଭାବ ହୋଇଛନ୍ତି । ପ୍ରତିଦିନ ମା’ଙ୍କ ମନ୍ଦିରକୁ କିଛି ନା କିଛି ଆଶା,ବିଶ୍ବାସ ନେଇ ଶ୍ରଦ୍ଧାଳୁଟିଏ ଚାଲିଆସିଥାଏ । ଆଉ ନିଶ୍ଚିତ ଭାବରେ ମାଆର ଚମତ୍କାର ପ୍ରାପ୍ତ କରିଥାଏ । ପ୍ରତିଟି ଶ୍ରଦ୍ଧାଳୁ ମାଆଙ୍କ ମନ୍ଦିରର ଚମତ୍କାରିତା ଅନୁଭବ କରିଛନ୍ତି । ହେଲେ ମନ୍ଦିରର ବାସ୍ତବରେ କ’ଣ ରହିଛି ଦିବ୍ୟ ରୂପ ତା’ର ରହସ୍ୟ କାହାକୁ ବି ଜଣାନାହିଁ । ଉଜ୍ଜୟିନୀର ଆରାଧ୍ୟ ଦେବୀ ମା’ ହରସିଦ୍ଧିଙ୍କୁ ଆମର କୋଟି କୋଟି ପ୍ରଣାମ ।