କନକ ବ୍ୟୁରୋ : ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ । ମଙ୍ଗଳବାର ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ । ସେବାୟତଙ୍କ ବିବାଦ ଯୋଗୁ ମଙ୍ଗଳବାର ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି । ନୀତି ହୋଇ ନ ପାରିବାରୁ ରାତି ସାଢ଼େ ୯ଟାରେ ବଡ଼ୁ ସେବାୟତ ଠାକୁରଙ୍କ ପହୁଡ଼ ପକାଇଥିଲେ । ଫଳରେ ରାତିସାରା ଠାକୁରେ ଉପାସରେ ରହିଛନ୍ତି ।

Advertisment

ଠାକୁରଙ୍କୁ ଶୀତ ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଔଷଧି ପ୍ରଦାନ ପୂର୍ବକ ଘୃତଲେପନ କରାଯିବା ବିଧି ରହିଛି । ଏଥିପାଇଁ ମକର ସଂକ୍ରାନ୍ତି ପୂର୍ବ ଦିନ କ୍ଷୀର ଆଉଟା ନୀତି ହୋଇଥାଏ । ସନ୍ଧ୍ୟାଧୂପ ପରେ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀ ବାସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ ମନ୍ଦିରକୁ ଯାଇଥା’ନ୍ତି । ଏହି କ୍ରମରେ ଗତ ସନ୍ଧ୍ୟା ଧୂପ ପାଇଁ ବେଶ ସରିଥିଲା । ବ୍ରାହ୍ମଣ ନିଯୋଗ ସେବାୟତ ଠା’ ସଜାଡ଼ିଥିଲେ ।

ଅଧିକ ପଢ଼ନ୍ତୁ : ଆଜି ପବିତ୍ର ମକର ସଂକ୍ରାନ୍ତି; ଶ୍ରୀଜିଉଙ୍କ ମକର ଚୌରାଶୀ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

ତେବେ ମେଘଡମ୍ବରୁ ଓ କ୍ଷୀର ଆସି ନ ଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀ ଅନୁପସ୍ଥିତ ଥିବା ଅଭିଯୋଗ କରି ଚର୍ଚେଇତ ସେବାୟତ ମନ୍ଦିର ଗର୍ଭଗୃହକୁ ଭୋଗ ପୂରାଇବାକୁ ମନା କରିଥିଲେ । ଏହାର କିଛି ସମୟ ପରେ ମେଘଡମ୍ବରୁ ଆସିଥିଲେ ହେଁ କ୍ଷୀର ଆସି ନଥିବା କଥା କହିଥିଲେ । ଗତବର୍ଷ ଏହି ତିଥିରେ କ୍ଷୀର ଆଉଟା ନୀତିକୁ ନେଇ ଠାକୁର ମନ୍ଦିର ବାହାରକୁ ଯିବା ପରେ ନୀତି ବିବାଦ ହୋଇ ଠାକୁର ବାହାରେ ଉପବାସରେ ରହିଥିଲେ ।