କନକ ବ୍ୟୁରୋ :  ମନ୍ଦିର ମାଳିନୀ ସହର ଭୁବନେଶ୍ବର। ଯୁଆଡେ ଆଖି ବୁଲାଇଲେ ସେଇଠି ଖାଲି ମନ୍ଦିର ହିଁ ମନ୍ଦିର। କିଛି ଆଖି ସାମ୍ନାରେ ଦେଖାଯାଉଛି ତ ଆଉ କିଛି ଏବେବି ମାଟି ତଳେ ପୋତି ହୋଇ ରହିଛି । ମାଟି ତଳର ଦୁନିଆକୁ ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ପୁଣି ଥରେ ଆରମ୍ଭ କରିଛି ଖନନ ପ୍ରକ୍ରିୟା । କିନ୍ତୁ ଏବେବି ଜବରଦଖଲକାରୀଙ୍କ ଅକ୍ତିଆରରେ ରହିଛି ଅନେକ କୀର୍ତ୍ତିରାଜି । ମାଟି ତଳୁ ଐତିହ୍ୟ ଖୋଜିବା ପାଇଁ ଲିଙ୍ଗରାଜ ମନ୍ଦିର ପାଖରେ ପୁଣି ଥରେ ଆରମ୍ଭ ହୋଇଛି ଖନନ କାର୍ଯ୍ୟ ।  ପ୍ରତ୍ନତତ୍ତ୍ବ ବିଭାଗର ଦକ୍ଷ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ଚାଲିଛି ଖନନ । ପ୍ରତ୍ନତତ୍ତ୍ବ ବିଭାଗ ଗତ କିଛି ବର୍ଷ ତଳେ ଶୁକ ଶାରି ମନ୍ଦିର ପାଖରେ ଖନନ କରିବା  ପରେ ଅନେକ କୀର୍ତ୍ତିରାଜିର ସନ୍ଧାନ ପାଇଥିଲା। ଅଧାଭଙ୍ଗା ମନ୍ଦିର ଭିତରେ ଦେବୀ ଦୂର୍ଗାଙ୍କ ପ୍ରତିମୂର୍ତ୍ତି ବି ମିଳିଛି। କିଛି ସମୟ ପାଇଁ ଖନନ ପ୍ରକ୍ରିୟା ବନ୍ଦ ହୋଇଥିଲା । କିନ୍ତୁ ପୁଣି ଥରେ ଆରମ୍ଭ ହୋଇଛି ଖନନ। ମାଟି ତଳେ ଆଉ କେଉଁ ମନ୍ଦିର ରହିଛି, ତାହାର ଉତର ଖୋଜିବା ପାଇଁ ଚାଲିଛି ଖନନ ।

Advertisment

ଅଧିକ ପଢ଼ନ୍ତୁ : ଭୁବନେଶ୍ବର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ

 ପାଖାପାଖି ୧୩ ଶହ ବର୍ଷ ପୁରୁଣା ହେବ ଶୁକଶାରୀ ମନ୍ଦିର । ପୁନଃରୁଦ୍ଧାର  ପରେ ମିଳିଥିବା ପୁରୁଣା ଅବଶେଷ ବି ତାଠାରୁ ବହୁ ପୁରୁଣା ବୋଲି ଗବେଷକ କହିଛନ୍ତି । କିଛି ବର୍ଷ ପୂର୍ବରୁ ଏସବୁ ଜବରଦଖଲକାରୀଙ୍କ ଅକ୍ତିଆରରେ ଥିଲା । କିନ୍ତୁ ଉଛେଦ ପରେ ଏସବୁ ଦୃଶ୍ୟମାନ ହେଉଛି । ଶୁକଶାରୀ  ମନ୍ଦିର ସାମ୍ନାରେ ଥିବା ଏହି ମନ୍ଦିର। ଚାରିପଟେ ଘର ଓ ମଝିରେ ରହିଛି ଏହି ପୁରାତନ ମନ୍ଦିର । ମନ୍ଦିରର ମୁଖ୍ୟ ଦ୍ବାର ବାଟେ ଯିବା ସମ୍ଭବପର ନୁହଁ । ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ ମନ୍ଦିରରେ ଦେବାଦେବୀ ନାହାନ୍ତି । କିନ୍ତୁ ଏହି ମନ୍ଦିର ବିଷୟରେ ବିଶେଷ କିଛି କେହି କହିପାରୁନାହାନ୍ତି । ଏଭଳି ଅନେକ ଅପରିଚିତ ମନ୍ଦିର ଏବେବି ନିଜର ପରିଚୟ ଖୋଜୁଛନ୍ତି । ପ୍ରତ୍ନତତ୍ତ୍ବ ବିଭାଗ ଓ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ପାଇଁ ଏଭଳି ଅନେକ ଐତହ୍ୟ ନଷ୍ଟ ହୋଇଚାଲିଛି। ଜବରଦଖଲ ଉଛେଦ କରିବା ସହ ଖନନ ପ୍ରକ୍ରିୟାକୁ ତ୍ବରାନ୍ବିତ କଲେ ମାଟି ତଳର ଦୁନିଆକୁ ଅତି ସହଜରେ ବୁଝିହେବ ବୋଲି କହିଛନ୍ତି ଗବେଷକ ।