କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଉତ୍ତର ଭାରତରେ ଏହାକୁ ଲୋହରୀ କୁହାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ପାଇଁ ଆଜି ଘରେ ଘରେ ପ୍ରସ୍ତୁତ ହେବ ମକର ଚାଉଳ । ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହ ମନ୍ଦିର ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ ଏହିଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର, ଗୋଲମରିଚ ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ ।
ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟକେଶ୍ୱର ମହାଦେବଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ହଟକେଶ୍ୱର ମହାଦେବଙ୍କ ଦର୍ଶନ ସହ ଏଠି ଥିବା ପବିତ୍ର କୁଣ୍ଡର ଜଳ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ଶୈବପୀଠରେ ରହିଛି ଉଷ୍ଣ ପ୍ରସ୍ରବଣ କୁଣ୍ଡ । ବିଶ୍ୱାସ ରହିଛି ଏହି କୁଣ୍ଡରୁ ବାହାରୁଥିବା ପାଣିରେ ଗାଧୋଇଲେ ଚର୍ମରୋଗ ଦୂର ହୋଇଥାଏ । ସେହିପରି ଏଠାରେ ମକର ମେଳାରେ ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜା ପର୍ବ ଅନୁଷ୍ଠିତ ହୁଏ । କିଏ ସନ୍ତାନ ପ୍ରାପ୍ତି ପାଇଁ ମାନସିକ କରି ଧାଇଁ ଆସିଥାଏ ତ ଆଉ କିଏ ପରିବାରର ଶୁଭ ମନାସୀ । ବିଶ୍ୱାସ ରହିଛି ପ୍ରଭୁ ହଟକେଶ୍ବରଙ୍କ ପାଖରେ ମାନସିକ କରି ବୁଡ ପକାଇଲେ ବନ୍ଧ୍ୟା ନାରୀ ମାତୃତ୍ୱ ଲାଭ କରେ । ଯେଉଁଥିପାଇଁ ଭୋର ୩ଟାରୁ ଏଠାରେ ଲାଗିଛି ନାହିଁ ନଥିବା ଭିଡ଼ । ତେବେ ମାନସିକଧାରୀ ମହିଳାମାନଙ୍କ ପାଇଁ ଯାତ୍ରୀ ବିଶ୍ରାମଗାରର ବ୍ୟବସ୍ଥା କରାଯାଇଛି । ପୀଠରେ ମକର ସଂକ୍ରାନ୍ତିଠାରୁ ମାଘ ସପ୍ତମୀ ପର୍ୟ୍ୟନ୍ତ ମେଳା ଚାଲିବ ।
ଅଧିକ ପଢ଼ନ୍ତୁ : ମନ ମୋହିବ ମକର ଚାଉଳର ମହକ
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତ୍ସବ ମୁଖର ଯାଜପୁରର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ବରୁଣେଶ୍ଵରଙ୍କ ପୀଠ । ବାବା ବରୁଣେଶ୍ଵର ବର୍ଷ ସାରା ପାଣି ଭିତରେ ବୁଡ଼ି ରହୁଥିବା ବେଳେ ଆଜିର ଦିନରେ ପାଣିରୁ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ବିଶ୍ୱାସ ରହିଛି ବାବା ବରୁଣେଶ୍ୱରଙ୍କୁ ଆଜିର ଦିନରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ସେଥିପାଇଁ ଶ୍ରଦ୍ଧାଳୁ ରାତି ୩ଟା ରୁ ଭିଡ଼ ଲଗାଇ ବାବାଙ୍କ ବଡ଼ ସିଂହାରବେଶ ଦର୍ଶନ କରିବା ପାଇଁ ଭିଡ଼ ଜମାଇଛନ୍ତି । ଏହି ଅବସରରେ ୯ ଦିନ ବ୍ୟାପୀ ମେଳା ଓ ଯାତ୍ରା ମହାସମର ଦେଖିବାକୁ ମିଳିବ ।
ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜି ଭକ୍ତମାନଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଏହି ବେଶରେ ଶ୍ରୀଜିଉଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯାଏ । ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏଥିସହିତ ଶ୍ରୀଜିଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ । ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି । ମହାପ୍ରଭୁଙ୍କ ମକର ଚାଉଳ ପ୍ରସାଦ ରୂପେ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳୁଛି । ସେପଟେ ଭକ୍ତଙ୍କ ଭଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗଣପର୍ବ ମକରକୁ ବେଶ ଧୁମଧାମର ସହ ପାଳନ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲାବାସୀ । ମକର ପଲ୍ଲା ଜାଳିବା ସହ ଆରମ୍ଭ ହୋଇଛି ମକର ପର୍ବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/14/makar-sankranti-2026-01-14-08-25-38.jpg)