କନକ ବ୍ୟୁରୋ : ମକର ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଦେଖାଦେଇଛି । ଫଳରେ ମଙ୍ଗଳବାର ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି । ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ପରସ୍ପରଙ୍କ ମଧ୍ୟରେ ଚାଲିଛି, ଦୋଷ ଲଦାଲଦି । ଯାହା ଫଳରେ ଗତକାଲିଠାରୁ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ଆଜି ବି ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଯେହେତୁ ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା । ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି । ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । 

Advertisment

ଯେ ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ, ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ଠାକୁରଙ୍କୁ ଶୀତ ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଔଷଧି ପ୍ରଦାନ ପୂର୍ବକ ଘୃତଲେପନ କରାଯିବା ବିଧି ରହିଛି । ଏଥିପାଇଁ ମକର ସଂକ୍ରାନ୍ତି ପୂର୍ବ ଦିନ କ୍ଷୀର ଆଉଟା ନୀତି ହୋଇଥାଏ । ସନ୍ଧ୍ୟାଧୂପ ପରେ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀ ବାସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରେ ଥିବା ଭୁବନେଶ୍ବରୀ ମନ୍ଦିରକୁ ଯାଇଥା’ନ୍ତି । ଏହି କ୍ରମରେ ଗତ ସନ୍ଧ୍ୟା ଧୂପ ପାଇଁ ବେଶ ସରିଥିଲା । ବ୍ରାହ୍ମଣ ନିଯୋଗ ସେବାୟତ ସବୁ ସଜାଡ଼ିଥିଲେ । ତେବେ ମେଘଡମ୍ବରୁ ଓ କ୍ଷୀର ଆସି ନ ଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀ ଅନୁପସ୍ଥିତ ଥିବା ଅଭିଯୋଗ କରି ଚର୍ଚେଇତ ସେବାୟତ ମନ୍ଦିର ଗର୍ଭଗୃହକୁ ଭୋଗ ପୂରାଇବାକୁ ମନା କରିଥିଲେ । ଏହାର କିଛି ସମୟ ପରେ ମେଘଡମ୍ବରୁ ଆସିଥିଲେ ହେଁ କ୍ଷୀର ଆସି ନଥିବା କଥା କହିଥିଲେ । ଗତବର୍ଷ ଏହି ତିଥିରେ କ୍ଷୀର ଆଉଟା ନୀତିକୁ ନେଇ ଠାକୁର ମନ୍ଦିର ବାହାରକୁ ଯିବା ପରେ ନୀତି ବିବାଦ ହୋଇ ଠାକୁର ବାହାରେ  ଉପବାସରେ ରହିଥିଲେ । 

ଅଧିକ ପଢ଼ନ୍ତୁ--ଆଜି ପବିତ୍ର ମକର ସଂକ୍ରାନ୍ତି; ଶ୍ରୀଜିଉଙ୍କ ମକର ଚୌରାଶୀ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼