କନକ ବ୍ୟୁରୋ :ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାଜଧାନୀ ଛାତି ଉପରେ ଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଯେମିତି କାହାରି ନଜର ପଡୁନି । ନା ଅଛି ମେଟାଲ୍ ଡିଟେକ୍ଟର, ନା କାମ କରୁଛି ସିସିଟିଭି , ଯିଏ ପାରିଲା ସିଏ ପଶୁଛନ୍ତି । କାହାରିକୁ ଯାଞ୍ଚ ବି କରାଯାଉନି । ସୁରକ୍ଷା ଆଳରେ ମନ୍ଦିର ମୁଖ୍ୟ ଦ୍ବାରରେ ଛିଡ଼ା ହୋଇଛନ୍ତି ହାତଗଣତି ପୁଲିସ କର୍ମଚାରୀ । ବହୁ ପୁରାତନ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏମିତି ରହିଛି ସୁରକ୍ଷା ବ୍ୟବସ୍ଥା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ଓ ସ୍ଥାନୀୟ ବାସିନ୍ଦା ।  

Advertisment

ଅଧିକ ପଢନ୍ତୁ :ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ

ଏକାମ୍ର ପ୍ରଳଳ୍ପ କାର୍ଯ୍ୟ ଆରମ୍ଭ ନ ହେବା ଆଗରୁ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାରରେ ବନ୍ଧୁକଧାରୀ ପୁଲିସ ନିୟୋଜିତ ହେଉଥିଲେ , ଏବେ ସେତକ ବି ହେଉନି । ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କାମ ବି ଅଧପନ୍ତରିଆ ଭାବେ ପଡ଼ିରହିଛି । ୭ ବର୍ଷ ହେବ ମେଟାଲ୍‌ ଡିଟେକ୍ଟର ବି ଅଚଳ । ବଜ୍ରପାତରେ ୨୦ରୁ ଅଧିକ ସିସିଟିଭି ଅକାମୀ ହୋଇଯାଇଛି । ଯେଉଁ ସିସିଟିଭି କାମ କରୁଛି ସେଥିରେ ସଷ୍ଟ ଚିତ୍ର ଆସୁନାହିଁ । ଏଠାରେ ଏକ ୱାଚ୍ ଟାୱାର ହେବା ନେଇ ୧୦ ବର୍ଷ ତଳେ କମିସନରେଟ ପୁଲିସ ଘୋଷଣା କରିଥିଲା , ତା ବି ପାଣିର ଗାର ସଦୃଶ। ମନ୍ଦିର ଭିତରକୁ ଅନେକ ଥର ମୋବାଇଲ୍ ଯିବା ସହ ଫଟୋ ଭାଇରଲ ହେବାର ନଜିର ବି ରହିଛି । ଆବଶ୍ୟକ ସୁରକ୍ଷାକର୍ମୀ ନଥିବାରୁ ସଂଧ୍ୟା ସମୟରେ ମନ୍ଦିର ଭିତରକୁ ଯିବାକୁ ବି ସୁରକ୍ଷିତ ମଣୁନାହାନ୍ତି ଶ୍ରଦ୍ଧାଳୁ ।